Jai Odisha
News

ଅଟକିଛି ମହାପ୍ରଭୁଙ୍କ ବନକଲାଗି ନୀତି,ଆଜି ନୀତି ସବ୍‌କମିଟି ବୈଠକ

ପୁରୀ ,୨୮।୭ : ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ବନକଲାଗି ନୀତି ଗତ ୨୮ ଦିନ ଧରି ହୋଇପାରି ନାହିଁ  । ଦତ୍ତ ମହାପାତ୍ର ସେବକ ଏବଂ ଶ୍ରୀମନ୍ଦିର ପ୍ରଶାସନ ଅଲଗା ଅଲଗା ଦିନରେ ବନକଲାଗି ନୀତି କରିବା ପାଇଁ ବିଚାର କରୁଥିବା ଯୋଗୁଁ ଏହି ନୀତି ବନ୍ଦ ରହିଛି  । ଶ୍ରୀଜୀଉମାନଙ୍କର ନୀତିକୁ ଶୃଙ୍ଖଳିତ କରିବା ଲାଗି ଆଜି ଶ୍ରୀମନ୍ଦିର ନୀତି ସବ୍‍-କମିଟିର ବୈଠକ ଡକାଯାଇଛି  । ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବୁଧବାର ଦିନ ବନକଲାଗି ନୀତି କରିବା ପାଇଁ ନିର୍ଦ୍ଦେଶ ଥିଲାବେଳେ ଦତ୍ତମହାପାତ୍ର ସେବକ ଗୁରୁବାର ଦିନ ଏହି ନୀତିକୁ ପାଳନ କରିବା ପାଇଁ ଯୁକ୍ତି ବାଢ଼ୁଛନ୍ତି  ।  ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଆସିଥିବା ବହୁ ଭକ୍ତ ଗୁରୁବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ମନ୍ଦିର ପ୍ରଶାସନ ଜାରି କରିଥିବା କାରଣ ଦର୍ଶାଅ ନୋଟିସର ଜବାବ ଦାଖଲ କରିଛି ଦତ୍ତ ମହାପାତ୍ର ନିଯୋଗ। ତେବେ ତାହା ସନ୍ତୋଷଜନକ ହୋଇନଥିବା ଦର୍ଶାଇ ମନ୍ଦିର ପ୍ରଶାସନ ଅଗ୍ରାହ୍ୟ କରିଦେଇଛି। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ମନ୍ଦିର ପ୍ରଶାସନ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଛି। ଶୁକ୍ରବାର ନୀତି ସବ୍‌କମିଟି ବୈଠକ ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ମନ୍ଦିର ପ୍ରଶାସନ ଏବଂ ଦତ୍ତ ମହାପାତ୍ର ସେବକଙ୍କ ମଧ୍ୟରେ ଏଭଳି ଜିଦିବାଦ ଯୋଗୁ ଶ୍ରୀଜୀଉଙ୍କ ନୀତି ଅଟକିବା ଏହା ପ୍ରଥମ ଘଟଣା। ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୁହଁ ଖୋଲୁ ନାହାନ୍ତି। ଶ୍ରୀମନ୍ଦିର ସ୍ୱତ୍ୱଲିପି ଏବଂ ପରମ୍ପରା ଅନୁଯାୟୀ ପ୍ରତି ଗୁରୁବାର ବନକଲାଗି ଦାବିରେ ଦତ୍ତ ମହାପାତ୍ର ଅଡ଼ି ବସିଛନ୍ତି। ତେବେ ଗୁରୁବାର ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ କେତେକ ବିଶେଷ ନୀତି ଥିବାରୁ ବୁଧବାର ବନକଲାଗି ପାଇଁ ମନ୍ଦିର ପ୍ରଶାସନ ନିର୍ଦେଶନାମା ଜାରି କରିଛି। ଗୁରୁବାର ପରିବର୍ତ୍ତେ ବୁଧବାର ଶ୍ରୀଜୀଉଙ୍କ ବନକଲାଗି ନୀତି ସମ୍ପନ୍ନ କରାଯିବାକୁ ସେଥିରେ କୁହାଯାଇଛି। ଏଥିନେଇ ବିବାଦ ଦେଖାଦେବା ପରେ ଗତ ୧୮ ତାରିଖ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସେଥିରେ କେତେକ ବରିଷ୍ଠ ସେବକ ଏବଂ ଦତ୍ତ ମହାପାତ୍ର ନିଯୋଗ କର୍ମକର୍ତ୍ତା ଉପସ୍ଥିତ ଥିଲେ। ୧୯ ତାରିଖ ବୁଧବାର ଶ୍ରୀଜୀଉଙ୍କ ବନକଲାଗି ପାଇଁ ସେଥିରେ ସ୍ଥିର କରାଯାଇଥିଲା। ଏହାସତ୍ତ୍ୱେ ଦତ୍ତ ମହାପାତ୍ର ସେବକ ସେଦିନ ବନକଲାଗି ପାଇଁ ଯାଇ ନଥିଲେ। ତେଣୁ ୨୬ ତାରିଖ ବୁଧବାର ଶ୍ରୀଜୀଉଙ୍କ ବନକଲାଗି ପାଇଁ ମନ୍ଦିର ପ୍ରଶାସନ ପୁଣିଥରେ ନିର୍ଦେଶ ଦେଇଥିଲା। ଗୁରୁବାର ବନକଲାଗି କରିବା ଜିଦ୍‌ରେ ଦତ୍ତ ମହାପାତ୍ର ନିଯୋଗ ଅଟଳ ରହିଛି। ଶ୍ରୀଜୀଉଙ୍କ ବନକଲାଗି ନୀତିକୁ ନେଇ ସମାଧାନର ବାଟ ବାହାରୁ ନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Leave A Reply

Your email address will not be published.