Jai Odisha
News

ଆଖଣ୍ଡଳମଣି ପୀଠର ଉନ୍ନତିକରଣ,୭୭କୋଟି ଟଙ୍କାର ବ୍ଲୁ-ପ୍ରିଣ୍ଟ୍‌

ଚାନ୍ଦବାଲି ,୧୪/୯ :ଚମକିବ ଆରଡ଼ି ଶୈବପୀଠ  । ପର୍ଯ୍ୟଟକମାନଙ୍କ ଆଗମନକୁ ଲକ୍ଷ୍ୟ କରି ରାଜ୍ୟ ସରକାର ଏହି ପୀଠର ବିକାଶ ଲାଗି ରୋଡମ୍ୟାପ୍‌ ତିଆରି କରିଛନ୍ତି । ଏଥିପାଇଁ ୭୭ କୋଟି ଟଙ୍କା ଅନୁଦାନ ଦେବାକୁ ବ୍ଲ୍ୟୁ-ପ୍ରିଣ୍ଟ୍‌ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ମଙ୍ଗଳବାର ରାଜ୍ୟ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏ ସମ୍ପର୍କରେ ଭଦ୍ରକ ସାଂସଦ, ଜିଲ୍ଲାର ବିଧାୟକ ଓ ସରକାରୀ ଅଧିକାରୀଙ୍କ ସହ ଆଖଣ୍ଡଳମଣି ଧାମରେ ସମୀକ୍ଷା କରିଛନ୍ତି । ୨୦୨୦ରେ ମୁଖ୍ୟମନ୍ତ୍ରୀ ଦେବାଦେବୀଙ୍କ ପୀଠ ଉନ୍ନତି ନାମରେ ଆଖଣ୍ଡଳମଣି ଧାମର ଉନ୍ନତି ପାଇଁ ୬ କୋଟି ଟଙ୍କା ବରାଦ କରିଥିଲେ । ଏହି ୬ କୋଟି ଟଙ୍କାରୁ ୪ କୋଟି ଟଙ୍କା ଟେଣ୍ଡର ହେବା ପରେ ବବି ଦାସ ମନ୍ଦିରରେ ପହଞ୍ଚି ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ସାଂସଦ ଓ ବିଧାୟକମାନଙ୍କ ସହ ଆଖଣ୍ଡଳମଣି ପୀଠର ଉନ୍ନତି ବାବଦରେ ଆଲୋଚନା କରି ଖସଡ଼ା ପ୍ରସ୍ତୁତ କରିଛନ୍ତି । ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣି ଧାମର ଉନ୍ନତି କରି ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବାକୁ ମୁଖ୍ୟମନ୍ତ୍ରୀ ଶୁଭଦୃଷ୍ଟି ଦେଇଥିଲେ । ଏହି ପୀଠକୁ ନୂଆ ରୂପରଙ୍ଗ ଦେବା ପାଇଁ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ନିବେଦନରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁମୋଦନ କ୍ରମେ ଏବେ ୭୭ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ପୀଠର ରାସ୍ତା, ସ୍ୱଚ୍ଛତା ଆଦି ନୂଆ ରୂପ ନେବା ସହ ପୀଠକୁ ପ୍ରଶସ୍ତ କରିବା ପାଇଁ ସେବାୟତଙ୍କୁ ଉଚ୍ଛେଦ କରିବା ଆବଶ୍ୟକତା ହୋଇଛି । ଏଥିପାଇଁ ଯେଉଁ ସେବାୟତଙ୍କ ଘର ଉଚ୍ଛେଦ ହେବ, ସେମାନଙ୍କୁ ଏହି ବଜେଟ୍‌ରୁ କ୍ଷତିପୂରଣ ଦିଆଯିବ । ବସ୍‌ଷ୍ଟାଣ୍ଡ୍‌ରୁ ପୀଠକୁ ଗାଁ ଭିତର ଦେଇ ବଙ୍କାଟଙ୍କା ରାସ୍ତାକୁ ବଦଳାଇ ସିଧା କରାଯିବ । ଯେମିତି ବସ୍‌ଷ୍ଟାଣ୍ଡ୍‌ରୁ ବାବାଙ୍କ ମନ୍ଦିର ଦେଖାଯିବ । ବେଢ଼ା ପାଖରେ ଥିବା ଶିବଗଙ୍ଗା ପୁଷ୍କରଣୀର ରୂପ ବଦଳିଯିବ । ଲାଇଟ୍‌ ଓ ସାଉଣ୍ଡ୍‌ରେ ବାବାମଣିଙ୍କ ଏହି ପୁଷ୍କରଣୀ ଭକ୍ତଙ୍କୁ ଆମୋଦିତ କରିବାର ସୁବ୍ୟବସ୍ଥା କରାଯିବ । ସେହିଭଳି ଏହି ଶୈବକ୍ଷେତ୍ରକୁ ଆସୁଥିବା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ୩ କୋଟି ଟଙ୍କାର ଏକ ପାନ୍ଥନିବାସ ନିର୍ମାଣ ହେବାକୁ ଶିଳାନ୍ୟାସ ହୋଇସାରିଛି । ୨ କୋଟି ଟଙ୍କାର ମାର୍କେଟ୍‌ କମ୍ପେ୍ଲକ୍ସ ଓ ଉପର ତାଲାରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ଆରମ୍ଭ ଶେଷ ପର୍ଯ୍ୟାୟରେ । ଖାଲି ସେତିକି ନୁହେଁ, ରାଜ୍ୟ ଓ ରାଜ୍ୟ ବାହାରୁ ଏହି ପ୍ରସିଦ୍ଧ ଶୈବକ୍ଷେତ୍ରକୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ୬ କୋଟି ୧୦ ଲକ୍ଷ ଟଙ୍କାର ଏକ ସାଇନ୍ସ ପାର୍କ ଯାହାକି କୋଳେଇପଦାଠାରେ ନିର୍ମାଣ ପାଇଁ ଶିଳାନ୍ୟାସ ହୋଇସାରିଛି । ମୋଟାମୋଟି ଭାବେ ୧୭ କୋଟି ଟଙ୍କା କେବଳ ଆଗରୁ ବରାଦ ହୋଇଛି । ଏବେ ୭୭ କୋଟି ଟଙ୍କା ଆଖଣ୍ଡଳମଣି ପୀଠର ଉନ୍ନତିକରଣ ପାଇଁ ଆସୁଥିବା ଜଣାପଡ଼ିଛି । ଏହାସହ ଆରଡ଼ିରେ ଏକ ନୂଆ ବସ୍‌ଷ୍ଟାଣ୍ଡ୍‌ ନିର୍ମାଣ ଜାନୁଆରୀଠାରୁ ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି । ଏହି ବସ୍‌ଷ୍ଟାଣ୍ଡ୍‌ରେ ଜିଲ୍ଲା ଓ ଜିଲ୍ଲା ବାହାରୁ ଆସୁଥିବା ବସ୍‌ଗୁଡ଼ିକ ପାର୍କିଂର ବନ୍ଦୋବସ୍ତ ହୋଇଥିବା ବେଳେ ଅନ୍ୟପଟରେ କାର୍‌ ଓ ଅନ୍ୟ ଚାରିଚକିଆ ଯାନରେ ଆସୁଥିବା ପର୍ଯ୍ୟଟକଙ୍କ ପାର୍କିଂ ପାଇଁ ବ୍ୟବସ୍ଥା ହେଉଛି ।

Leave A Reply

Your email address will not be published.