Jai Odisha
News

ଆଗାମୀ ଦିନରେ ଶୁଖିଯିବ ମହାନଦୀ-ବ୍ରାହ୍ମଣୀ, କୃଷି ସହିତ ପାନୀୟ ଜଳ ଉପରେ ପଡିବ ପ୍ରଭାବ

କେନ୍ଦ୍ରାପଡ଼ା  ,୯ା୧:ଆଗାମୀ ଦିନରେ ଶୁଖିଯିବ ମହାନଦୀ-ବ୍ରାହ୍ମଣୀ, କୃଷି ସହିତ ପାନୀୟ ଜଳ ଉପରେ ପଡିବ ପ୍ରଭାବ |ସମୁଦ୍ରରେ ଛୋଟ ବଡ଼ ନଦୀ ଓ ନାଳ ମିଶ୍ରଣ କରିବା ଦ୍ବାରା ସମୁଦ୍ର ପାଣି ପ୍ରଦୂଷିତ ହେବାକୁ ଯାଉଛି। ପ୍ରଦୂଷଣରୁ ସମୁଦ୍ରକୁ ରକ୍ଷା କରିବା ନିମନ୍ତେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜାତୀୟ ସବୁଜ ପ୍ରାଧିକରଣ(ଏନ୍‌ଜିଟି)ରେ ଏକ ମାମଲା ରୁଜୁ ହୋଇଛି। ସେ ସଂକ୍ରାନ୍ତରେ ଏନଜିଟି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ତଥ୍ୟ ମାଗିଛି। ବୋର୍ଡ ଉପକୂଳବର୍ତ୍ତୀ ଜିଲା ଗୁଡିକରେ କେଉଁ ନଦୀ ଓ ନାଳ ସମୁଦ୍ରରେ ମିଶିଛି, ଶୀତ, ଗ୍ରୀଷ୍ମ ଓ ବର୍ଷା ଋତୁରେ କେତେ ପାଣି ମିଶୁଛି ତା’ର ସବିଶେଷ ତଥ୍ୟ ଜଳ ସମ୍ପଦ ବିଭାଗକୁ ମଗାଯାଇଥିଲା। ଜଳ ସମ୍ପଦ ବିଭାଗ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଉପକୂଳବର୍ତ୍ତୀ ଗଞ୍ଜାମ, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, ବାଲେଶ୍ବର, ଭଦ୍ରକ ଏବଂ କେନ୍ଦ୍ରାପଡାର କେଉଁ ନଦୀ ଓ ନାଳରୁ କେତେ ପାଣି ସମୁଦ୍ରରେ ମିଶ୍ରଣ କରୁଛି ତା’ର ବିସ୍ତୃତ ରିପୋର୍ଟ ପ୍ରଦାନ କରିଛି | କେନ୍ଦ୍ରାପଡ଼ା ଜିଲାରେ ମହାନଦୀ ଜଳ କମିବା ଆରମ୍ଭ ହୋଇଛି। ଆଗାମୀ ଦିନରେ କୃଷି ସହିତ ପାନୀୟ ଜଳ ଉପରେ ପଡିବ ପ୍ରଭାବ  | ଲୁଣା, ଚିତ୍ରୋପତ୍ଳା, ବିରୂପା, ମହାନଦୀ ଆଦିରେ ପ୍ରବାହିତ ଜଳ କମିବା ଫଳରେ ବହୁ ମୁଖ୍ୟ ଓ ଶାଖା କେନାଲ ଶୁଖିଲା ପଡିଛି।   ଶୀତଦିନିଆ ଫସଲ ଉପରେ ପ୍ରଭାବ ପଡିଛି।  ଆଗାମୀ ଦିନରେ ମହାନଦୀ ଓ ବ୍ରାହ୍ମଣୀ ଶୁଖିଯିବ। ବର୍ଷାଦିନେ ଉଭୟ ନଦୀର ନିଜସ୍ବ ଜଳ କମିବନାହିଁ ସିନା; ପଡୋଶୀ ରାଜ୍ୟରୁ ଆସୁଥିବା ଜଳ ପରିମାଣ ହ୍ରାସ ପାଇବ। ଫଳରେ ମହାନଦୀ ଓ ବ୍ରାହ୍ମଣୀ ଭଳି ଦୁଇ ବୃହତ୍ ନଦୀର ଅପମୃତ୍ୟୁ ଘଟିବା ଆଶଙ୍କା ବଢିଛି। ଏହା ରାଜ୍ୟରେ ମଧୁର ଜଳ ସଙ୍କଟ ସୃଷ୍ଟି କରିବା ଆଶଙ୍କା ବଢାଇଛି। ତେବେ ଜଳ ସଂରକ୍ଷଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ବର୍ଷା ଜଳ ସଂରକ୍ଷଣ, ଭୂତଳ ଜଳ ସଂରକ୍ଷଣ ଯୋଜନା ପ୍ରଚଳନ କରାଯାଇଛି। ଯୋଜନାକୁ ସୂଚାରୁ ରୂପେ କାର୍ଯ୍ୟକାରୀ କରା ନ ଗଲେ ଆଗକୁ ମଧୁର ଜଳ ସଙ୍କଟ ଆଶଙ୍କାକୁ ଏଡାଇ ଦିଆଯାଇ ପାରିବ ନାହିଁ। ମହାନଦୀର ଜଳ ଧାରା କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ବ୍ଲକ ମହାକାଳପଡ଼ାର ମହାନଙ୍ଗଳଠାରୁ ମାତ୍ର ୧୦ କିଲୋମିଟର ପ୍ରବାହିତ ହୋଇ ଗଡରୋମିତ ପର୍ଯ୍ୟନ୍ତ ଲମ୍ବିଛି। ଏଥିସହିତ କଟକ ଜିଲା ଗୁଆଳନାସୀଠାରୁ ଜିଲାରେ ପ୍ରବାହିତ ଚିତ୍ରୋପତ୍ଳା ନଦୀ ମହାନଦୀଠାରୁ ଜଳ ଗ୍ରହଣ କରୁଛି। ଚିତ୍ରୋପତ୍ଳା ନଦୀରୁ ଲୁଣାନଦୀ ବରପଦାଠାରେ ସୃଷ୍ଟି ହୋଇଛି। ସେହିପରି ଜଗତପୁରର ତେଣ୍ଡାକୁଡାଠାରେ ପାଇକା ନଦୀ ଓ ଚୌଦ୍ୱାର ନିକଟରେ ବିରୂପା ନଦୀ ମହାନଦୀର ଜଳ ଗ୍ରହଣ କରି ପୂର୍ଣ୍ଣଗର୍ଭା ହୋଇଛି। ଜଗତପୁରର ବ୍ୟାରେଜ ନିକଟରେ କେନ୍ଦ୍ରାପଡ଼ା କେନାଲ ସୃଷ୍ଟି କରାଯାଇ ମହାନଦୀର ଜଳକୁ ଜିଲାରେ ପ୍ରବାହିତ ଗୋବରୀ କେନାଲ, ପଟ୍ଟାମୁଣ୍ଡାଇ କେନାଲ ଓ ଗୋବରୀ ସମ୍ପ୍ରସାରିତ କେନାଲକୁ ଛଡାଯାଇଥାଏ। ଫଳରେ ମହାନଦୀର ଜଳକୁ ଭିତ୍ତିକରି ଜିଲାର ୪୧,୬୮୧ ହେକ୍ଟର କ୍ଷେତରେ ଚାଷ ହେଉଛି। ଏଥିସହ ଲୁଣା ଅଞ୍ଚଳ ଭାବେ ପରିଚିତ ରାଜନଗର, ମହାକାଳପଡ଼ା ବ୍ଲକ ସମେତ କେନ୍ଦ୍ରାପଡ଼ା ସହରବାସୀ ଏହାର ମଧୁର ଜଳକୁ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି। ଆଗାମୀ ଦିନରେ ୨ଟି ମେଗା ପାନୀୟ ଜଳ ପ୍ରକଳ୍ପ ସହ ଆଖଡ଼ାଶାଳୀ ନିକଟରେ ଦେଶର ପ୍ରଥମ ନଦୀଭିତ୍ତିକ ବନ୍ଧ ନିର୍ମାଣ ଯୋଜନା ରହିଛି। ଉପରମୁଣ୍ଡରେ ମହାନଦୀର ଜଳ ପ୍ରବାହ କମିଲେ ତଳମୁଣ୍ଡରେ ଥିବା କେନ୍ଦ୍ରାପଡ଼ା ଜିଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ। ଏ ସମ୍ପର୍କରେ ପୂର୍ବତନ କାଉନସିଲର ହିରଣ୍ୟ କୁମାର ପଣ୍ଡା କହିଛନ୍ତି, ମହାନଦୀ ଜଳ ବିବାଦକୁ ନେଇ ଛତିଶଗଡ଼ ଓ ଓଡ଼ିଶା ସରକାର ମୁହଁାମୁହିଁ ହୋଇଛନ୍ତି। ଟ୍ରିବ୍ୟୁନାଲରେ ଏ ନେଇ ଚାଲିଥିବା ବିବାଦ ତୁଟୁନାହିଁ। ଏହାର ପ୍ରଭାବ କେନ୍ଦ୍ରାପଡ଼ା ଜିଲାରେ ଦେଖିବାକୁ ମିଳିଛି। ସଂଘୀୟ ବ୍ୟବସ୍ଥାରେ ଦେଶ ଚାଲୁଥିବା ବେଳେ ରାଜ୍ୟଗୁଡିକ ମଧ୍ୟରେ ବିବାଦ ଆଦୌ ସମୀଚୀନ ନୁହେଁ। ବିବାଦର ଅନ୍ତ ପାଇଁ ସମସ୍ତ ରାଜନୈତିକ ଦଳ ଏକାଠି ହୋଇ ରାଜ୍ୟ ସ୍ବାର୍ଥ ପାଇଁ ସ୍ବର ଉଠାଇବା ଆବଶ୍ୟକ।  ଜଳ ସମ୍ପଦ ବିଭାଗର ତଥ୍ୟାନୁଯାୟୀ, ୨୦୦୧ରେ ମହାନଦୀର ନିଜସ୍ବ ଜଳ ୨୯.୯ କ୍ୟୁମେକ୍ସ ଥିବାବେଳେ ବାହାର ରାଜ୍ୟରୁ ୨୯.୨୫୫ କ୍ୟୁମେକ୍ସ ଜଳ ମିଶୁଥିଲା। ମୋଟ ଜଳ ୫୯.୧୫୫ କ୍ୟୁମେକ୍ସ ଥିଲା। ୨୦୫୧ ସୁଦ୍ଧା ମହାନଦୀର ନିଜସ୍ବ ଜଳ ୨୯.୯କ୍ୟୁମେକ୍ସ ରହିବ, ହେଲେ ବାହାର ରାଜ୍ୟରୁ ଆସୁଥିବା ଜଳ ହ୍ରାସ ପାଇବା ଦ୍ବାରା ୨୧.୦୩୯କ୍ୟୁମେକ୍ସକୁ କମି ଆସିବ। ୨୯ବର୍ଷ ବେଳକୁ ମହାନଦୀ ଜଳପତ୍ତନ ମୋଟ ୫୦.୯୩୯କ୍ୟୁମେକ୍ସ ରହିବ। ଅନ୍ୟପଟେ ୨୦୦୧ରେ ବ୍ରାହ୍ମଣୀର ନିଜସ୍ବ ଜଳ ୧୧.୩୯୧କ୍ୟୁମେକ୍ସ ଥିବାବେଳେ ପଡୋଶୀ ରାଜ୍ୟରୁ ୭.୫୬୮ କ୍ୟୁମେକ୍ସ ଜଳ ଆସୁଥିଲା। ସେତେବେଳେ ବ୍ରାହ୍ମଣୀର ଜଳ ୧୮.୫୭୭ କ୍ୟୁମେକ୍ସ ଥିଲା। ୨୦୫୧ ବେଳକୁ ନିଜସ୍ବ ଜଳ ଅପରିବର୍ତ୍ତିତ ରହିବାକୁ ଥିବାବେଳେ ପଡୋଶୀ ରାଜ୍ୟରୁ ପ୍ରବାହ କମିବାରୁ ୩.୧୧୮କ୍ୟୁମେକ୍ସକୁ ହ୍ରାସ ପାଇବ। ୨୦୫୧ରେ ବ୍ରାହ୍ମଣୀରୁ ୧୪.୫୦୯ କ୍ୟୁମେକ୍ସ ଜଳ ସମୁଦ୍ରରେ ମିଶିବ। ୨୦୦୧ରେ ବାହୁଦାର ନିଜସ୍ବ ଜଳ ୦.୪୩୮କ୍ୟୁମେକ୍ସ ଥିବାବେଳେ ବୈତରଣୀ ୭.୫୬୮, ବୁଢାବଳଙ୍ଗ ୩.୧୧୧, ଇନ୍ଦ୍ରାବତୀ ୬.୨୬୫, କୋଲାବ ୧୧.୦୮୯, ନାଗାବଳୀ ୨.୮୫୩, ଋଷିକୂଲ୍ୟା ୩.୯୪୯, ସୁବର୍ଣ୍ଣରେଖା ୩.୯୪୯, ବଂଶଧାରା ୫.୦୮୩ କ୍ୟୁମେକ୍ସ ଜଳ ପ୍ରବାହ କରୁଥିଲା। ଏହି ନଦୀ ଗୁଡିକର ଜଳପତ୍ତନ ୨୦୫୧ ବେଳକୁ ପରିବର୍ତ୍ତନ ଆସିବ ନାହିଁ। ମୋଟାମୋଟି ଭାବେ ଦେଖିଲେ ୨୦୦୧ରେ ୧୧ଟି ନଦୀର ମୋଟ ୧୨୦.୪୦ କ୍ୟୁମେକ୍ସ ଜଳ ଥିବାବେଳେ ୨୦୫୧ ବେଳକୁ ୧୦୮.୧୧କୁ ଖସି ଆସିବ। ୨୦୧୬-୧୭ରେ ଅନୁଗୋଳର ଟିକରପଡାରେ ମହାନଦୀ ଜଳ ପ୍ରବାହ ହାରାହାରି ୯୫୮.୩୪ ଥିବା‌େ‌ବଳେ ଗ୍ରୀଷ୍ମରେ ୨୩୭.୮୭, ଶୀତରେ ୨୧୮.୮୮ ଏବଂ ବର୍ଷା ଋତୁରେ ୨୪୧୮.୨୭କ୍ୟୁମେକ୍ସ ଜଳ ପ୍ରବାହ ହୋଇ ସମୁଦ୍ରରେ ମିଶୁଥିଲା। ୨୦୧୮-୧୯ରେ ‌େ‌ଜନାପୁରରେ ବ୍ରାହ୍ମଣୀ ଜଳ ପ୍ରବାହ ହାରାହାରି ୩୯୨.୧୫ କ୍ୟୁମେକ୍ସ ଥିବାବେଳେ ଗ୍ରୀଷ୍ମରେ ୧୦୩.୭୨, ଶୀତରେ ୧୧୦.୫୯, ବର୍ଷା ଋତୁରେ ୯୬୨.୧୪କ୍ୟୁମେକ୍ସ ଜଳ ବଙ୍ଗୋପସାଗରରେ ପଡୁଥିଲା। ୨୦୨୧-୨୦୨୨ରେ ଆନନ୍ଦପୁର ଷ୍ଟେସନରେ ବୈତରଣୀ ଜଳ ପ୍ରବାହ ହାରାହାରି ୧୦୩.୭୦ କ୍ୟୁମେକ୍ସ ଥିବାବେଳେ ଗ୍ରୀଷ୍ମରେ ୯.୩୯, ଶୀତରେ ୩୩.୩୮ ଏବଂ ବର୍ଷା ଋତୁରେ ୨୬୮.୩୪କ୍ୟୁମେକ୍ସ ଜଳ ସମୁଦ୍ରକୁ ଚାଲି ଯାଉଥିଲା। ସୁବର୍ଣ୍ଣରେଖା ୨୦୨୧-୨୨ରେ ରାଜଘାଟ ଷ୍ଟେସନରେ ହାରାହାରି ଜଳ ପ୍ରବାହ ୩୨୨.୨୧ ଥିବାବେଳେ ଗ୍ରୀଷ୍ମରେ ୩୨.୭୯, ଶୀତରେ ୧୨୬.୪୫ ଏବଂ ବର୍ଷା ଋତୁରେ ୮୦୭.୩୮କ୍ୟୁମେକ୍ସ ଜଳ ସମୁଦ୍ରକୁ ବୋହି ଯାଉଥିଲା। ବୁଢ଼ାବଳଙ୍ଗ ୨୦୨୧-୨୨ରେ ଗୋବିନ୍ଦପୁର ଷ୍ଟେସନରେ ହାରାହାରି ଜଳ ପ୍ରବାହ ୭୧.୭୫ ଥିବାବେଳେ ଗ୍ରୀଷ୍ମରେ ୧୬.୪, ଶୀତରେ ୪୮.୩୪ ଏବଂ ବର୍ଷା ଋତୁରେ ୧୫୦.୮୬କ୍ୟୁମେକ୍ସ ଜଳ ସମୁଦ୍ରରେ ମିଶୁଛି। ଋଷିକୂଲ୍ୟା ୨୦୨୧-୨୨ରେ ପୁରୁଷୋତ୍ତମପୁର ଷ୍ଟେସନରେ ହାରାହାରି ଜଳ ପ୍ରବାହ ୮୨.୭୮ ଥିବାବେଳେ ଗ୍ରୀଷ୍ମରେ ୮.୨୦, ଶୀତରେ ୧୨୫.୮୫୨ ଏବଂ ବର୍ଷା ଋତୁରେ ୧୧୪.୬୩ କ୍ୟୁମେକ୍ସ ଜଳ ସମୁଦ୍ରକୁ ନିଷ୍କାସିତ ହେଉଛି।ମହାନଦୀ ଜଳ ବିବାଦ ଶୀଘ୍ର ସମାଧାନ ହେବା ଆବଶ୍ୟକ। କୃଷି, ପାନୀୟ ଜଳ ସହିତ ପରିବେଶ ନଷ୍ଟ ହେବ। ଜିଲାର ବିଭିନ୍ନ ନଦୀ ଓ କେନାଲକୁ ଏହି ନଦୀ ପାଣି ଯୋଗାଉଛି। ଏହାର ଜଳଧାରା ବନ୍ଦ ହେଲେ ବହୁ ଅଞ୍ଚଳ ଖୁବ୍‌ଶୀଘ୍ର ଲୁଣା ପାଲଟିବ।

Leave A Reply

Your email address will not be published.