Jai Odisha
News

ଆଜିଠାରୁ ମହାପ୍ରଭୁଙ୍କ ଦେବ ଦୀପାବଳି ନୀତି ଆରମ୍ଭ

ପୁରୀ ୨୨/୧୧: ଆଜିଠାରୁ ଶ୍ରୀମନ୍ଦିରରେ ତିନିଦିନ ବ୍ୟାପି ମହାପ୍ରଭୁଙ୍କ ଦେବଦୀପାବଳି ନୀତି ଆରମ୍ଭ ହୋଇଛି । ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ ଦେବେ । ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନିଦିନ ଧରି ଏହି ନୀତି ଯଥାବିଧି ପାଳନ ହେବାର ପରମ୍ପରା ରହିଆସିଛି ।‌  ତେବେ ଦେବ ଦିପାବଳୀର ପ୍ରଥମ ଦିନ ନୀତି ପାଇଁ ଶ୍ରୀ ମନ୍ଦିରରେ ପ୍ରସ୍ତୁତି ଚାଲିଛି । ଏହି ତିନି ଦିନ ମହାପ୍ରଭୁ ପିତୃପୁରୁଷଙ୍କୁ ଦୀପଦାନ କରିବା ସହ ଶ୍ରାଦ୍ଧ ମଧ୍ୟ ପକାଇଥାନ୍ତି ।ଆଜି ପ୍ରଥମ ଦିନ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ସନ୍ଧ୍ୟାଧୂପ ନୀତି ବଢିବା ପରେ ମହାପ୍ରଭୁ, ଅଦିତି ଓ କଶ୍ୟପଙ୍କ ଉଦ୍ଦେଶ୍ୟରେ ଦୀପ ଦାନ ଓ ଶ୍ରାଦ୍ଧ ଦେବେ । ସେହିପରି ଦ୍ୱିତୀୟ ଦିନରେ ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଦୀପଦାନ ହେବ । ଏହାସହ ତୃତୀୟ ଦିନରେ ଦେବକୀ, ବାସୁଦେବ, ନନ୍ଦ ଓ ଗୁଣ୍ଡିଚା ରାଣୀଙ୍କୁ ଏହି ଦୀପଦାନ ସହ ଶ୍ରାଦ୍ଧ ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହିନୀତି ସହ ମହାଦୀପ ପ୍ରଜ୍ୱଳିତ ମଧ୍ୟ ହୋଇଥାଏ, ଯାହାକି ଦେବଦିପାବଳୀ ନାମରେ ପରିଚିତ । ଏହି ତିନି ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରାଦ୍ଧ ବେଶ ଧାରଣ କରି ପିତୃପୁରୁଷ ଉଦେଶ୍ୟରେ ଶ୍ରାଦ୍ଧ ତର୍ପଣ କରିବେ। ଏହା ସହ ଏହି ତିନିଦିନ ମଧ୍ୟ ମହାଦୀପ ମଧ୍ୟ ପ୍ରଜ୍ବଳିତ ହେବ । ତେଣୁ ଏହାକୁ ଦେବଦୀପାବଳି କୁହାଯାଏ । ପ୍ରତିଦିନ ସଂଧ୍ୟା ଧୂପ ପରେ ପୁଷ୍ପାଳକ ସେବାୟତ ମାନେ ମହାପ୍ରଭୁଙ୍କୁ ଶ୍ରାଦ୍ଧ ବେଶରେ ନାଗପୁରୀ ଶାଢୀ ଚାଦରରେ ଭୂଷିତ କରାଇବେ । ଏହି ବେଶରେ ଶ୍ରୀବିଗ୍ରହମାନେ ଧଳାବସ୍ତ୍ର ପରିଧାନ କରିଥାନ୍ତି । ଶ୍ରୀଜଗନ୍ନାଥ ମହାପ୍ରଭୁ ୧୬ ହାତ, ଶ୍ରୀବଳଭଦ୍ର ୧୪ ହାତ ଓ ଦେବୀ ସୁଭଦ୍ରା ୧୨ ହାତ ଲମ୍ବ ବିଶିଷ୍ଟ ସୂତା ଶାଢୀ ବା ନାଗପୁରୀ ଶାଢୀ ପରିଧାନ କରିଥାନ୍ତି । ଶ୍ରାଦ୍ଧ ବେଶରେ ତଡଗୀ, ନଳୀଭୂଜ, ଚନ୍ଦ୍ର ସୂର୍ଯ୍ୟ, କୁଣ୍ଡଳୀ, ଆଡକାନି, ହରିଡା ମାଳି, କମରପଟି ପ୍ରଭୃତି ସ୍ୱର୍ଣ୍ଣ ଅଳଙ୍କାରରେ ଠାକୁରମାନେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।

Leave A Reply

Your email address will not be published.