Jai Odisha
News

ଆଜିଠୁ ଅଲ୍‌ ଓଡ଼ିଶା ସନ୍ତରଣ ପ୍ରତିଯୋଗିତା

ଭୁବନେଶ୍ୱର, ୨୮/୦୫: ଆଜିଠୁ ୬୨ତମ ଅଲ୍‌ ଓଡ଼ିଶା ରାଜ୍ୟ ସନ୍ତରଣ ଚାମ୍ପିଅନସିପ୍‌ କଳିଙ୍ଗ ଷ୍ଟାଡିୟମସ୍ଥିତ ବିଜୁ ପଟ୍ଟନାୟକ ସୁଇମିଂ ପୁଲ୍‌ରେ ଆରମ୍ଭ ହେବ । ଜୁନିୟର, ସବ୍‌ ଜୁନିୟର ବର୍ଗର ଉଭୟ ବାଳକ ଓ ବାଳିକା ବର୍ଗରେ ପ୍ରତିଯୋଗିତା ହେବ । ୩ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତା ରାଜ୍ୟ କ୍ରୀଡ଼ା ବିଭାଗ ଏବଂ ଓଡ଼ିଶା ସନ୍ତରଣ ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଯାଉଛି । ମୋଟ୍‌ ୨୦ଟି ଜିଲ୍ଲାରୁ ୨୫୮ ଜଣ ପ୍ରତିଯୋଗୀ ଏଥିରେ ଭାଗ ନେଇଛନ୍ତି । ସେମାନଙ୍କ ମଧ୍ୟରେ ୧୮୧ ଜଣ ବାଳକ ରହିଛନ୍ତି। ୫୦ ଜଣ ଟେକ୍‌ନିକାଲ ଅଫିସର ପ୍ରତିଯୋଗିତା ପରିଚାଳନା କରିବେ । କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରତିଯୋଗିତାକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ପ୍ରତିଯୋଗୀ ଜାତୀୟ ଆକ୍ୱାଟିକ୍‌ ଚାମ୍ପିଅନସିପ୍‌ରେ ଅଂଶ ଗ୍ରହଣ କରିବା ନେଇ ଯୋଗ୍ୟତା ହାସଲ କରିବେ । ଆସନ୍ତା ଜୁନ ମାସରେ ସବ୍‌ ଜୁନିୟର ବର୍ଗରେ ଜାତୀୟ ଆକ୍ୱାଟିକ୍‌ ଚାମ୍ପିଅନସିପ୍‌ ରାଜକୋଟ୍‌ରେ ଆୟୋଜିତ ହେବ । ଜୁନିୟର ବର୍ଗର ଚାମ୍ପିଅନସିପ୍‌ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଜୁଲାଇ ୧୬ରୁ ୨୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.