Jai Odisha
News

ଆଜିଠୁ ଇଂଲଣ୍ଡ-ଭାରତ ଦିନିକିଆ ଲଢେଇ

ଲଣ୍ଡନ,୧୨/୦୭: ଆଜି ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ପ୍ରଥମ ଦିନିକିଆ ଖେଳାଯିବ । ଆଜିଠୁ ଆରମ୍ଭ ହେବାକୁ ଯାଉଛି ଇଂଲଣ୍ଡ-ଭାରତ ଦିନିକିଆ ସିରିଜ । ଟି-୨୦ ସିରିଜକୁ ୨-୧ରେ ଜିତିବା ପରେ ଏବେ ଦିନିକିଆ ସିରିଜକୁ କବଜା କରିବା ଲକ୍ଷ୍ୟରେ ଓହ୍ଲାଇବ ଟିମ ଇଣ୍ଡିଆ ।  ତେବେ ଦଳରେ ସ୍ଥାନ ପାଇବା ନେଇ ସବୁଠୁ ବେଶୀ ଚର୍ଚ୍ଚାରେ ଅଛନ୍ତି ପୂର୍ବତନ ଅଧିନାୟକ ବିରାଟ କୋହଲି । ଖରାପ ଫର୍ମ ଦେଇ ଗତି କରୁଥିବା ସମୟରେ ସେ ସାମାନ୍ୟ ଆହତ ହୋଇଥିବା ମଧ୍ୟ ଜାଣିବାକୁ ମିଳିଛି । ତେଣୁ ତାଙ୍କ ସ୍ଥାନରେ ଷ୍ଟାର ବ୍ୟାଟ୍ସମ୍ୟାନ ଶ୍ରେୟସ ଅୟରଙ୍କୁ ଦଳୂରେ ସୁଯୋଗ ଦିଆଯାଇପାରେ । ସେପଟେ ଦଳରେ କମବ୍ୟାକ କରି ପାରନ୍ତି ଷ୍ଟାର ପେସ ବୋଲର ମହମ୍ମଦ ଶାମୀ । ତେବେ ଆସନ୍ତୁ ଜାଣିବା କ’ଣ ରହିପାରେ ଭାରତର ପ୍ଲେଇଙ୍ଗ ୧୧ । ଶିଖର ଧାୱନ ଫେରିଥିବାରୁ ମଧ୍ୟକ୍ରମରେ ସ୍ଥାନ ପାଇବା ପାଇଁ ସୂର୍ଯ୍ୟକୁମାର ଯାଦବ ଓ ଶ୍ରେୟାସ ଆୟରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବା ନିଶ୍ଚିତ । ୨୪ଟି ମ୍ୟାଚ୍‌ ଖେଳି ଆୟର ୪୧ ହାରରେ ରନ୍‌ ସଂଗ୍ରହ କରିଛନ୍ତି । ଦିନିକିଆ ଦଳରେ ସେ ପ୍ରଥମ ଦାବିଦାର । କିନ୍ତୁ ଫିଟ୍‌ ହୋଇ ଫେରିବା ପରଠୁ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି । ତାଙ୍କ ଅନୁପସ୍ଥିତିରେ ଦୀପକ ହୁଡ଼ା, ସୂର୍ଯ୍ୟକୁମାର ଓ ସଞ୍ଜୁ ସାମସନ ଅନ୍ୟ ଦାବିଦାର ରୂପେ ବାଟ ଓଗାଳିଛନ୍ତି । ଦିନକ ତଳେ ସୂର୍ଯ୍ୟକୁମାର ଦର୍ଶନୀୟ ଶତକ ଅର୍ଜନ କରିଛନ୍ତି । ତେଣୁ ତାଙ୍କୁ ପ୍ରାଥମିକତା ମିଳିବା ଆଶା କରାଯାଇପାରେ । ଆଜିର ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ନଜର ରହିବା ନିଶ୍ଚିତ । ଫିଟ୍‌ ହୋଇ ଫେରିବା ଦିନଠୁ ପାଣ୍ଡ୍ୟା ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ବର୍ତ୍ତମାନ ଟି-ଟ୍ୱେଣ୍ଟିର ପ୍ରଦର୍ଶନକୁ ଦିନିକିଆରେ ଦୋହରାଇବାର ସମୟ । ଟିମ ମ୍ୟାନେଜମେଣ୍ଟ ମଧ୍ୟ ଭାବି ଚିନ୍ତି ତାଙ୍କୁ କାର୍ଯ୍ୟ ଭାର ପ୍ରଦାନ କରିବ । ଆବଶ୍ୟକ ପଡ଼ିଲେ ୧୦ ଓଭର ବୋଲିଂ କରିବା ଭଳି ଫିଟ୍‌ନେସ୍‌ ଅଛି କି ନାହିଁ, ତାହା ଏହି ସିରିଜରେ ସ୍ପଷ୍ଟ ହୋଇଯିବ। ଯୁବ ପେସ୍‌ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଦଳରେ ସ୍ଥାନ ମିଳିଛି । ମ୍ୟାଚ୍‌ରେ ବୁମରା ଓ ମହମ୍ମଦ ସାମି ପେସ୍‌ ବିଭାଗ ସମ୍ଭାଳିବେ । ତୃତୀୟ ପେସ୍‌ ବୋଲର ସ୍ଥାନ ପାଇଁ ପ୍ରସିଦ୍ଧ, ସର୍ଦୁଲ ଠାକୁର, ମହମ୍ମଦ ସିରାଜ ଓ ଅର୍ଶଦୀପଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ ।

ସମ୍ଭାବ୍ୟ ଦଳ

ଭାରତୀୟ ଦଳ : ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, ଇଶାନ କିଷନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟର, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ସୁର୍ଦଲ ଠାକୁର, ୟୁଝବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଜଶପ୍ରୀତ ବୁମରା, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସାମି, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ ।

ଇଂଲଣ୍ଡ ଦଳ : ଜୋସ ବଟଲର (ଅଧିନାୟକ), ମୋଇନ ଅଲି, ଜନି ବେୟାରଷ୍ଟୋ, ହ୍ୟାରୀ ବ୍ରୁକ୍ସ, ବ୍ରାଏଡନ କାର୍ସ, ସାମ କୁରାନ, ଲାଏମ ଲିଭଙ୍ଗଷ୍ଟୋନ, କ୍ରେଗ ଓଭରଟନ, ମାଟ ପାର୍କିନସନ, ଜୋ ରୁଟ୍‌, ଜାସନ ରୟ, ଫିଲ ସଲ୍ଟ, ବେନ ଷ୍ଟୋକ୍ସ, ରିସ ଟପଲି, ଡେଭିଡ୍‌ ୱିଲି ।

Leave A Reply

Your email address will not be published.