Jai Odisha
News

ଆଜିଠୁ ଏସିଆ କପ୍‌ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ର ପଞ୍ଚଦଶ ସଂସ୍କରଣ ଆରମ୍ଭ

ଦୁବାଇ, ୨୭/୦୮:ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ(Asia Cup 2022)ର ପଞ୍ଚଦଶ ସଂସ୍କରଣ ଆଜିଠୁ ଆରମ୍ଭ ହେଉଛି। ଟ୍ୱେଣ୍ଟି-୨୦ ଭିତ୍ତିରେ ଖେଳା ଯିବାକୁ ଥିବା ଏହି ୬ ରାଷ୍ଟ୍ରୀୟ ପ୍ରତିଯୋଗିତାର ପ୍ରଥମ ଦିନରେ  ଆଫଗାନିସ୍ତାନ ଶ୍ରୀଲଙ୍କାକୁ ଭେଟିବ। UAEରେ ଦୁବାଇ ଇଣ୍ଟରନ୍ୟାସନାଲ୍‌ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ।ଭାରତୀୟ ସମୟ ସନ୍ଧ୍ୟା ୭.୩୦ ମିନିଟରୁ ଏହି ମ୍ୟାଚ୍‌ ଆରମ୍ଭ ହେବ । ଏହି ସଂସ୍କରଣ ଶ୍ରୀଲଙ୍କାରେ ଆୟୋଜିତ ହେବାର ଥିଲା । କିନ୍ତୁ ଦେଶରେ ଅର୍ଥନୈତିକ ଅସ୍ଥିରତା ଲାଗି ରହିଥିବାରୁ ଶ୍ରୀଲଙ୍କା ବୋର୍ଡ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଅସମର୍ଥ ପ୍ରକାଶ କରିଥିଲା । ଶେଷରେ ୟୁଏଇକୁ ଟୁର୍ଣ୍ଣାମେଣ୍ଟ ସ୍ଥାନାନ୍ତର କରାଯାଇଥିଲା । ୨୦୧୮ ସଂସ୍କରଣ ମଧ୍ୟ ୟୁଏଇରେ ଖେଳାଯାଇଥିଲା । ଏଥର ଦୁବାଇ ଓ ସାରଜା ଦୁଇଟି ଭେନ୍ୟୁରେ ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଖେଳାଯିବ ।ଦ୍ୱିତୀୟ ଦିନ ଅର୍ଥାତ୍ ଆସନ୍ତାକାଲି ସୁପର୍‌ସଣ୍ଡେରେ ଖେଳାଯିବାକୁ ଥିବା ଭାରତ-ପାକିସ୍ତାନ ମହାମୁକାବିଲାକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖିବାକୁ ମିଳିଛି। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପାଖାପାଖି ଗୋଟିଏ ବର୍ଷର ବ୍ୟବଧାନ ପରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଉଭୟ ଟିମ୍‌ ମଧ୍ୟରେ ଖେଳାଯାଇଥିବା ଗତ ମୁକାବିଲାକୁ ପାକିସ୍ତାନ ଏକତରଫା ଭାବେ ୧୦ ଓ୍ୱିକେଟରେ ଜିତିଥିବାରୁ ଭାରତୀୟ ପ୍ରଶଂସକ ଏହି ଲଢ଼େଇକୁ ପ୍ରତିଶୋଧର ଲଢ଼େଇ ଆଖ୍ୟା ଦେଇଛନ୍ତି।ଆସନ୍ତାକାଲି ପାକିସ୍ତାନ ସହ ମ୍ୟାଚ୍‌କୁ ନେଇ ଟିମ୍‌ ଇଣ୍ଡିଆର ଉପଅଧିନାୟକ କେ.ଏଲ. ରାହୁଲ କହିଛନ୍ତି, ପାକିସ୍ତାନ ପରି ଏକ ଭଲ ଟିମ୍‌ ବିପକ୍ଷରେ ଖେଳିବା ଆମ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍। ଟିମ୍ ଇଣ୍ଡିଆ ଏହି ମ୍ୟାଚ୍‌କୁ ଅପେକ୍ଷା କରି ରହିଛି। କାରଣ ଉଭୟ ଟିମ୍‌ ନିୟମିତ ଭାବେ ଖେଳୁ ନାହାନ୍ତି। କେବଳ ବଡ଼ ଟୁର୍ଣ୍ଣାମେଣ୍ଟରେ ଖେଳୁଛନ୍ତି। ତେଣୁ ପାକିସ୍ତାନ ପରି ଏକ ଭଲ ଟିମ୍‌ ବିପକ୍ଷରେ ଖେଳିବା ଆମ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍।

Leave A Reply

Your email address will not be published.