Jai Odisha
News

ଆଜିଠୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

ଋାଜନଗର,୦୧/୦୮: ଆଜିଠୁ ଖୋଲିବ ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ  । ଦୀର୍ଘ ୩ ମାସ ଧରି ଭିତରକନିକା ଜାତୀୟ ଉଦ୍ୟାନ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା।  ପର୍ଯ୍ୟଟକଙ୍କ ଆସିବାକୁ ନେଇ ସ୍ୱତନ୍ତ୍ର ଆୟୋଜନ ହୋଇଛି । ସ୍ୱାଗତ କରିବାକୁ ଭିତରକନିକାରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ନୂତନ ଲୁଣା ନର୍ସରୀ, ବିଳାସପୂର୍ଣ୍ଣ ରେସ୍ତୋରାଁ, ବ୍ୟାଟେରୀ ବୋଟ୍ ସାଙ୍ଗକୁ ବୋଟରେ ଲାଇବ୍ରେରୀ ବ୍ୟବସ୍ଥା ପର୍ଯ୍ୟଟକ ଏଥର ପାଇବେ । ପ୍ରବେଶ ପଥ ଡାଙ୍ଗମାଳଠାରେ ପର୍ଯ୍ୟଟକଙ୍କ ପାଇଁ ସେଲ୍‌ଫି ପଏଣ୍ଟ୍‌ ସହିତ ବୋଟ୍‌ ଲାଇବ୍ରେରି ପ୍ରସ୍ତୁତ କରାଯାଇଛି। ବୋଟ ଲାଇବ୍ରେରିରେ ଭିତରକନିକାର ବିଭିନ୍ନ ପଶୁପକ୍ଷୀ, ଗଛଲତା ସଂପର୍କିତ ବହି ସହିତ ବିଭିନ୍ନ ଶିକ୍ଷଣୀୟ ବହି ରଖାଯାଇଛି। ଛାତ୍ରଛାତ୍ରୀଙ୍କ ସମେତ ସବୁ ବର୍ଗର ପର୍ଯ୍ୟଟକ ଏହି ବୋଟ ଲାଇବ୍ରେରିର ମଜା ନେଇପାରିବେ। ଏଥିସହ ଜାତୀୟ ଉଦ୍ୟାନ ଭିତରେ ନୂଆ କରି କନିକା କାଫେ ନିର୍ମାଣ କରାଯାଇଛି। ସଂପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କନିକା କାଫେ ଭିତରେ ବସି ପର୍ଯ୍ୟଟକମାନେ ଭୋଜନ କରିବା ସମୟରେ ପଶୁ ପକ୍ଷୀ ଓ ଜଙ୍ଗଲର ଶୋଭା ଉପଭୋଗ କରିପାରିବେ। ଏହାବାଦ୍‌ ପ୍ରଥମଥର ପାଇଁ ସ୍ଥାୟୀ ମ୍ୟାନଗ୍ରୁଭ ନର୍ସରି ନିର୍ମାଣ କରାଯାଇଛି। ଏଥିରେ ୬୭ ପ୍ରଜାତିର ଲୁଣା ଗଛର ଚାରା ପ୍ରସ୍ତୁତ କରାଯାଉଛି। ମ୍ୟାନଗ୍ରୁଭ ଗଛର ନାଁ ଓ ଏହାର ବିଶେଷତ୍ବ ଫଳକ ଲଗାଯାଇଛି। ଏହା ଉଭୟ ପର୍ଯ୍ୟଟକ, ଛାତ୍ରଛାତ୍ରୀ ଓ ଗବେଷକଙ୍କ ପାଇଁ ଉପାଦେୟ ହେବ। ଭିତରକନିକା ଜାତୀୟ ଉଦ୍ୟାନ ପ୍ରବେଶପଥ ଡାଙ୍ଗମାଳ ଭିତରେ ୮ଟି ସରକାରୀ ବୋଟ୍‌ ରଖାଯାଇଛି। ପର୍ଯ୍ୟଟକମାନେ ସିଧାସଳକ ସ୍ଥଳପଥରେ ଆସି ଡାଙ୍ଗମାଳରୁ ଜଳଯାତ୍ରା କରିପାରିବେ। ଏହାବାଦ୍‌ ଚାନ୍ଦବାଲି, ଖୋଳା ଓ ଗୁପ୍ତିରୁ ପର୍ଯ୍ୟଟକମାନେ ଭିତରକନିକା ଆସିପାରିବେ। ଆସନ୍ତାକାଲିଠାରୁ ଡାଙ୍ଗମାଳ ଓ ଗୁପ୍ତିରେ ରାତ୍ରିଯାପନ ଖୋଲା ଥିବା ବେଳେ ହବାଳିଖଟିକୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି। ସମୁଦ୍ର ହବାଳିଖଟିରେ ଥିବା ଡଲଫିନ ହାଉସ ନିକଟକୁ ମାଡି ଆସିଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ କିଛିଦିନ ପାଇଁ ହବାଳିଖଟିରେ ଦିନ ଓ ରାତ୍ରି ଉଭୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି। ଅନ୍ୟପଟେ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟକୁ ପଲିଥିନ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ପୂର୍ବରୁ ଏହି କଟକଣା ଥିଲେ ମଧ୍ୟ କେତେକାଂଶରେ ପର୍ଯ୍ୟଟକମାନେ ପଲିଥିନ ଭିତରକୁ ନେଇ ଏଣେତେଣେ ଫୋପାଡିବା ସହ ନଦୀ ନାଳରେ ମଧ୍ୟ ଫିଙ୍ଗୁଥିଲେ। ପଲିଥିନ ଓ ପ୍ଲାଷ୍ଟିକ ଯୋଗୁଁ ଜୀବଜନ୍ତୁ ମାନେ ମଧ୍ୟ ଅସୁବିଧାରେ ପଡୁଛନ୍ତି।

Leave A Reply

Your email address will not be published.