Jai Odisha
News

ଆଜିଠୁ ତିନିଦିନିଆ ଓଡ଼ିଶା ଟ୍ରାଭେଲ୍‌ ବଜାର

ଭୁବନେଶ୍ୱର,୨୮/୧୦:  ଆଜିଠୁ ତିନିଦିନିଆ ଓଡ଼ିଶା ଟ୍ରାଭେଲ୍‌ ବଜାର | ଭାରତ ତଥା ଅନ୍ତର୍ଜାତୀୟ ବଜାରରେ ଓଡ଼ିଶା ପର୍ଯ୍ୟଟନର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ଆୟୋଜିତ ହେଉଛି ଓଡ଼ିଶା ଟ୍ରାଭେଲ୍‌ ବଜାର  । ଏହାର ମୂଳ ଲକ୍ଷ୍ୟ ପର୍ଯ୍ୟଟକଙ୍କ ଆଗମନ କେମିତି ବଢ଼ିବ? ବିଶେଷକରି ରାଜ୍ୟକୁ ଘରୋଇ ତଥା ଦେଶୀୟ ପର୍ଯ୍ୟଟକ କେମିତି ଅଧିକ ଆସିବେ? ଯେହେତୁ ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଚଳାଚଳ ପୁନଃ ଆରମ୍ଭ ହୋଇପାରିନି ତେଣୁ ସରକାରଙ୍କ ନଜର ଦେଶୀ ପର୍ଯ୍ୟଟକଙ୍କ ଉପରେ ରହିଛି । କାରଣ ଭାରତ ପର୍ଯ୍ୟଟନ ପରିସଂଖ୍ୟାନ-୨୦୨୨ ରିପୋର୍ଟ ଅନୁସାରେ, ଦେଶୀ ପର୍ଯ୍ୟଟକ ର‌୍ୟାଙ୍କିଂରେ ଓଡ଼ିଶା ୧୮ ଏବଂ ବିଦେଶୀ ପର୍ଯ୍ୟଟକ ର‌୍ୟାଙ୍କିଂରେ ୨୦ ସ୍ଥାନରେ ରହିଛି । ଗତ ବର୍ଷ ଦେଶରେ ବୁଲାବୁଲି କରିଥିବା ମୋଟ ପର୍ଯ୍ୟଟକଙ୍କ ମଧ୍ୟରୁ ଶତକଡ଼ା ୧ ଭାଗ ବି ଓଡ଼ିଶା ଆସିନାହାନ୍ତି । ୨୦୨୧ରେ ଉଭୟ ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଦୃଷ୍ଟିରୁ ଶ୍ରେଷ୍ଠ ୧୦ ରାଜ୍ୟ ତାଲିକାରେ ବି ସ୍ଥାନ ପାଇନି ଓଡ଼ିଶା । ତେଣୁ ଏସବୁ ଦୃଷ୍ଟିରୁ ଦେଶୀୟ ପର୍ଯ୍ୟଟକଙ୍କ ଉପରେ ଅଧିକ ଗୁରୁତ୍ୱ ଦେଉଛି ରାଜ୍ୟ । ଗତକାଲି ଏନେଇ ସାମ୍ବାଦିକ ସମ୍ମିଳନୀରେ ବିଭାଗ ପକ୍ଷରୁ ବିଭାଗୀୟ ମନ୍ତ୍ରୀ, ସଚିବ, ନିର୍ଦ୍ଦେଶକ ସମସ୍ତେ କହିଥିଲେ । ସେଥିପାଇଁ ଓଟିବିରେ ଅଂଶଗ୍ରହଣ ଲାଗି ୮୩ଟି ଦେଶୀ ଟୁର୍‌ ଅପରେଟରଙ୍କୁ ନିମନ୍ତ୍ରଣ କରାଯାଇଥିବାବେଳେ ୨୫ଟି ବିଦେଶୀ ଟୁର୍‌ ଅପରେଟରମାନଙ୍କୁ ଡକାଯାଇଛି । ଦକ୍ଷିଣ ଏସୀୟ ଦେଶର ଟୁର୍‌ ଅପରେଟର୍ସଙ୍କୁ ଡକାଯିବା ସହ ପ୍ରଥମ ଥର ପାଇଁ ଭିଏତନାମ୍‌ ଭଳି ଦେଶକୁ ନିମନ୍ତ୍ରଣ କରାଯାଇଛି । ଏହି ତିନିଦିନିଆ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶାର ବିଭିନ୍ନ ଟୁର ଅପରେଟର, ହୋଟେଲିୟରଙ୍କ ମଧ୍ୟରେ ବିଟୁବି (ବିଜିନେସ୍‌ ଟୁ ବିଜିନେସ୍‌) ଓ ବିଟୁଜି (ବିଜିନେସ୍‌ ଟୁ ସରକାର) ବୈଠକ ବସିବ । ଇଭେଣ୍ଟ ସମୟରେ ନିବେଶକ ଏବଂ ଏୟାରଲାଇନ୍ସ ଅପରେଟର୍ସ ସହିତ ବିଟୁଜି ବୈଠକର ଯୋଜନା ରହିଛି । ବିମାନଯାତ୍ରାଠୁ ଆରମ୍ଭ କରି ପର୍ଯ୍ୟଟନସ୍ଥଳୀ ବୁଲିବା, ରହିବା ପର୍ଯ୍ୟନ୍ତ ବିଭିନ୍ନ ପ୍ୟାକେଜ୍‌ ଉପରେ ଗୁରୁତ୍ୱ ଦିଆଯିବ । ପର୍ଯ୍ୟଟନର ପ୍ରଚାର, ପ୍ରସାର ଲାଗି ବିଭିନ୍ନ ପର୍ଯ୍ୟଟନ ଉତ୍ପାଦର ପ୍ରଦର୍ଶନୀ ସାଙ୍ଗକୁ ବିଭିନ୍ନ ବୈଠକ ବସିବ । ଓଡ଼ିଶାର କଳା, ସଂସ୍କୃତିର ପ୍ରଦର୍ଶନୀ ବି ହେବ । ଆସିଥିବା ଟୁର୍‌ ଅପରେଟର୍ସଙ୍କୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲାଯିବା ସହ ଏକାମ୍ର ହେରିଟେଜ୍‌ ୱାକ୍‌ରେ ସାମିଲ କରାଯିବ ।

 

Leave A Reply

Your email address will not be published.