Jai Odisha
News

ଆଜିଠୁ ପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରା

କଟକ,୦୮/୧୧: ଆଜିଠୁ ଆରମ୍ଭ ହେଉଛି ବିଶ୍ବ ପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରା ।   ଦୀର୍ଘ ଦୁଇବର୍ଷ ପରେ ବାଲିଯାତ୍ରା ହେଉଥିବାରୁ ଲୋକଙ୍କ ମନରେ ଭରି ରହିଛି ବେଶ ଉତ୍ସାହ । ଏବର୍ଷ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରଶାସନ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି । ଚଳିତ ବର୍ଷ ବାଲିଯାତ୍ରାରେ ବୁଲା ବୁଲି ସାଙ୍ଗକୁ ଜନ ସାଧାରଣ ମହାନଦୀରେ ଲାଇଟ ଆଣ୍ଡ ସାଉଣ୍ଡର ମଜା ନେଇ ପାରିବେ । ପଡ଼ିଆ ଚିକ୍‌ଚିକ୍‌ କରୁଛି । ନୂଆ ବୋହୂ ଭଳି ସଜେଇ ହୋଇଛି ।   ସବୁକିଛି ପୂର୍ବ ନିର୍ଦ୍ଧାରିତ ଯୋଜନା ମୁତାବକ ।   ସାଢ଼େ ୪୨ ଏକର ପରିମିତ ଜମିରେ ଲୋକେ ମନଭରି ବୁଲିବେ, ଖାଇବେ ପିଇବେ, କିଣାକିଣି କରିବେ, ମଉଜ ମଜଲିସ୍‌ କରି ଫେରିବେ ।ଆଉ ମାତ୍ର କେତୋଟି ଘଣ୍ଟାର ବ୍ୟବଧାନ ପରେ ମହାନଦୀ ପଠାରେ ଆରମ୍ଭ ହେବାକୁ ଯାଉଛି ପୂର୍ବ ଭାରତର ସର୍ବବୃହତ୍‌ ବାଣିଜ୍ୟିକ ତଥା ସାଂସ୍କୃତିକ ମେଳା ଐତିହାସିକ ବାଲିଯାତ୍ରା ।  ମେଳାରେ ସାଇକେଲ୍‌, ବାଇକ୍‌ ଓ କାର୍‌ ପାର୍କିଂ ଷ୍ଟାଣ୍ଡ୍‌ ଠାରୁ ଆରମ୍ଭ କରି ଖାଦ୍ୟପେୟ, ଆସବାବପତ୍ର, ହାତତିଆରି ସାମଗ୍ରୀ, ପୋଷାକପତ୍ର ଯାଏ.. ସବୁକିଛିର ମୂଲ୍ୟ ବଢ଼ିବ ବୋଲି ଅନୁମାନ କରାଯାଉଛି ।  ସେହିପରି ପ୍ରଶାସନ ପକ୍ଷରୁ କଟକ ଇନ କଟକର ପରିକଳ୍ପନା କରାଯାଇଛି ।  ଯେଉଁଠି ସବୁଜ ବଳୟ ଭିତରେ ବସି ରଙ୍ଗୀନ ଆଲୋକ ଓ ଭାଇଚାର ର ପ୍ରତୀକ ମନ୍ଦିର ମସଜିଦ ଗୁରୁଦ୍ଵାର ସବୁ ଦେଖିବାକୁ ମିଳିବ ।  ବାଇକ୍‌ଟିଏ ନେଇ ଯଦି କେହି ବାଲିଯାତ୍ରା ଯାଆନ୍ତି ସେଠି ପାର୍କିଂ ଷ୍ଟାଣ୍ଡ୍‌ ବାବଦରେ ୫୦ ଟଙ୍କା ଦେବାକୁ ହେବ । କାର୍‌ ନେଇ ଗଲେ ଶହେ । ତେଣୁ ଏଥର ବାଲିଯାତ୍ରା ବୁଲାବୁଲି ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାରକୁ ନିଶ୍ଚିତ ଭାବେ ବାଧିବ ବୋଲି କୁହାଯାଉଛି ।  ଏଥିପାଇଁ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ ହୋଇସାରିଛି । ପ୍ରାୟ ୭୦ଲକ୍ଷ ଲୋକଙ୍କ ଆଗମନ ଲାଗି ପ୍ରସ୍ତୁତ ରହିଛି ଜିଲ୍ଲା ପ୍ରଶାସନ । ୧୪ଶହରୁ ଅଧିକ ଷ୍ଟଲ୍‌, ୨ହଜାରରୁ ଅଧିକ ବ୍ୟବସାୟୀ ଏବଂ ପ୍ରତ୍ୟେକ ଦିନ ୧୦ କୋଟିରୁ ଅଧିକ ବ୍ୟବସାୟ ସୁଯୋଗ ନେଇ ଏକ ନୂଆ ରୂପରେଖରେ ଏଥର ବାଲିଯାତ୍ରା ଆୟୋଜନ ହେଉଛି । ୮ ରୁ ୧୬ ତାରିଖ ଯାଏ ବାଲିଯାତ୍ରାର ଉଭୟ ତଳ ଓ ଉପର ପଡିଆ ଉଛୁଳି ପଡିବ । ସମ୍ପୂର୍ଣ୍ଣ ମେଳା ଲାଗି ୧୫ କୋଟି ଟଙ୍କାର ବୀମା କରାଯାଇଛି । ଏଥର ଅନେକ ଗୁଡିଏ ଆକର୍ଷଣ ଯୋଡ଼ାଯାଇଛି ।କଟକ ଇନ୍‌ କଟକ, ମହାନଦୀରେ ଲେଜର୍‌ ଲାଇଟ୍‌ ସୋ’, ୱାଟର୍‌ ସ୍ପୋର୍ଟସ୍‌, ପଥୋତ୍ସବ, ଯୋଗ ଶିବିର ଭଳି ଅନେକ କିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଲୋକଙ୍କୁ ମେଳା ପଡିଆକୁ ଆକର୍ଷିତ କରିବ ଓ ବାନ୍ଧି ରଖିବ। ଗଣକବି ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ ଷ୍ଟାର୍‌ କଳାକାରଙ୍କ ଉପସ୍ଥିତି ବାଲିଯାତ୍ରାର ମାହୋଲ ଜମାଇବ । ବଲିଉଡ୍‌ କଳାକାରଙ୍କୁ ନେଇ ମଞ୍ଚ ଦୁଲୁକିବ ।

Leave A Reply

Your email address will not be published.