Jai Odisha
News

ଆଜିଠୁ ସଂସଦର ବଜେଟ୍‍ ଅଧିବେଶନ

ନୂଆଦିଲ୍ଲୀ,୩୧/୦୧: ଆଜିଠୁ କୋଭିଡ-୧୯ କଟକଣା ମଧ୍ୟରେ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଆସନ୍ତା ଫେବ୍ରୁଆରୀ ୧ ତାରିଖରେ ୨୦୨୨-୨୩ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପିତ ହେବ । ଏହା ପୂର୍ବରୁ ସଂସଦରେ ଆଜି  ଆର୍ଥିକ ସର୍ଭେ ୨୦୨୧-୨୨ ପାଇଁ ଆର୍ଥିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହେବ । ସଂସଦର ଉଭୟ ଗୃହରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୧-୨୨ ଆର୍ଥିକ ସମୀକ୍ଷା ଲୋକସଭାରେ ଉପସ୍ଥାପନ କରିବେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଉଭୟ ଗୃହକୁ ସମ୍ବୋଧନ କରିବେ । ବଜେଟ୍‍ ଯୋଗୁ ଗୃହରେ ଆଜି ଓ ଆସନ୍ତାକାଲି ରହିବନି ପ୍ରଶ୍ନୋତ୍ତର ଏବଂ ଶୂନ୍ୟକାଳ । ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ କରାଯିବା ନେଇ କାର୍ଯ୍ୟକ୍ରମ ରହିଛି । ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପରେ ଅର୍ଥାତ ଆସନ୍ତାକାଲି ଫେବ୍ରୁଆରୀ ୧ତାରିଖରେ ୨୦୨୨-୨୩ ପାଇଁ ବଜେଟ୍‍ ଉପସ୍ଥାପନା କରାଯିବ । ବଜେଟ ଉପସ୍ଥାପନା ପରେ ବୁଧବାରଠାରୁ ଚାଲିବ ଗୃହକାର୍ଯ୍ୟ । ଏହା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୧୧ ପର୍ଯ୍ୟନ୍ତ ଚାଲିବ । ଏଥିରେ ୧୦ଟି କାର୍ଯ୍ୟ ଦିବସ ରହିଛି । ପ୍ରାୟ ୧ ମାସର ବିରତି ପରେ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୪ରୁ ଆରମ୍ଭ ହୋଇ ଏପ୍ରିଲ ୮ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି । ଏହି ପର୍ଯ୍ୟାୟ ଅଧିବେଶନରେ ୧୯ ଟି କାର୍ଯ୍ୟଦିବସ ରହିଥିବା ଜଣାପଡିଛି ।  ଏଥର ବଜେଟ କାଗଜବିହୀନ ହୋଇଛି । ତେଣୁ ଅର୍ଥମନ୍ତ୍ରୀ ପାରମ୍ପରିକ ବହି-ଖାତା ବଦଳରେ ଏକ ଟ୍ୟାବଲେଟ୍‌ ଧରି ଗୃହକୁ ଆସିବେ ।ଅନ୍ୟପକ୍ଷରେ ଲୋକସଭା ଅଧିବେଶନ ଅପରାହ୍ନ ୪ଟାରୁ ଆରମ୍ଭ ହୋଇ ରାତି ୯ଟା ଯାଏ ବସିବ । ଗତ ଜାନୁଆରୀ ୨୭ରେ ଲୋକସଭା ପକ୍ଷରୁ ଡିଜିଟାଲ ସଂସଦ ଆପ୍‌ର ଆଧୁନିକ ଭର୍ସନର ଶୁଭାରମ୍ଭ କରାଯାଇଛି । ଏହି ଆପ୍‌ ମାଧ୍ୟମରେ ନାଗରିକମାନେ ସଂସଦରେ ହେଉଥିବା ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଜାଣିପାରିବେ ।ଏହି ଅଧିବେଶନରେ ବିରୋଧୀ ଦଳମାନେ ମୋଦୀ ସରକାରଙ୍କୁ ଘେରିବା ପାଇଁ ଜୋର୍‌ଦାର ପ୍ରସ୍ତୁତି କରିଛନ୍ତି। ପେଗାସସ୍‌ ସମେତ ଚୀନ୍, ମୁଦ୍ରାସ୍ଫୀତି, ବେକାରୀ ଏବଂ ଚାଷୀ ପ୍ରସଙ୍ଗରେ କେନ୍ଦ୍ରକୁ ଘେରିବା ପାଇଁ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଓ ଅନ୍ୟ ଦଳମାନେ ରଣନୀତି ପ୍ରସ୍ତୁତ କରିଛନ୍ତି। ଏଥର ବଜେଟ୍ ଅଧିବେଶନରେ ପ୍ରବଳ ହଟ୍ଟଗୋଳ ସମ୍ଭାବନା ରହିଛି। ପେଗାସସ୍ ସ୍ପାଏୱେୟାର ମାମଲାରେ ଗତକାଲି ଏକ ବିଦେଶୀ ଗଣମାଧ୍ୟମ ରିପୋର୍ଟକୁ ନେଇ ହଇଚଇ ସୃଷ୍ଟି ହୋଇଛି। କେନ୍ଦ୍ର ସରକାର ଇସ୍ରାଏଲଠାରୁ ଏହି ସ୍ପାଏୱେର କିଣିବା ସଂକ୍ରାନ୍ତ ରିପୋର୍ଟକୁ ନେଇ କଂଗ୍ରେସ ମୋଦୀ ସରକାରକୁ ଘେରିଛି। ଅନ୍ୟପକ୍ଷରେ ପୂର୍ବ ଲଦାଖରେ ଚୀନ୍‌ର ଅନୁପ୍ରବେଶ ଭଳି ପ୍ରସଙ୍ଗରେ ବିରୋଧୀ ଦଳମାନେ ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି।

Leave A Reply

Your email address will not be published.