Jai Odisha
News

ଆଜି ଅଁଳା ନବମୀ,ଭକ୍ତଙ୍କୁ ଓଡ଼ିଆଣୀରେ ବେଶରେ ଦର୍ଶନ ଦେବେ ଶ୍ରୀରାଧା

ସାକ୍ଷୀଗୋପାଳ, ୦୨/୧୧ : ଆଜି ପବିତ୍ର ଅଁଳା ନବମୀ। କାର୍ତ୍ତିକ ଶୁକ୍ଲପକ୍ଷ ନବମୀ ତିଥିରେ ଓଡ଼ିଆଣି ବେଶରେ ଦର୍ଶନ ଦିଅନ୍ତି ଶ୍ରୀରାଧା । ପୁରୀ ଜିଲ୍ଲା ସାକ୍ଷୀଗୋପାଳସ୍ଥିତ ସାକ୍ଷୀଗୋପାଳ ମନ୍ଦିରରେ  କରାଯାଇଛି ବିଶେଷ ଆୟୋଜନ ।  ଆଜି  ଶ୍ରୀଶ୍ରୀରାଧାରାଣୀଙ୍କ ପାଦ ଦର୍ଶନ । ବର୍ଷକରେ କେବଳ ଏହି ଗୋଟିଏ ଦିନ ଭକ୍ତମାନେ ଠାକୁରାଣୀ ଶ୍ରୀଶ୍ରୀରାଧାରାଣୀଙ୍କର ପାଦ ଦର୍ଶନର ଦୁର୍ଲ୍ଲଭ ସୁଯୋଗ ପାଇଥାନ୍ତି । ଏହି ଅବସରରେ ଶ୍ରୀରାଧା ପାଦ ଦର୍ଶନ ନିମେନ୍ତ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।ତେବେ ପୁରୀ ଜିଲ୍ଲା ପ୍ରଶାସନ କଟକଣା ଲଗାଇଛି। ମାଙ୍କ ଦର୍ଶନକୁ ଅନୁମତି, ହେଲେ ଭକ୍ତଙ୍କୁ ରାଧା ପାଦ ଛୁଇଁବା ମନା। ଭକ୍ତମାନେ ଧାଡିରେ ଆସି ଶାନ୍ତିଶୃଙ୍ଖଳାରେ ଠାକୁରଙ୍କୁ ଦର୍ଶନ କରୁଛନ୍ତି। ସାକ୍ଷୀଗୋପାଳ ମନ୍ଦିରର ସିଂହଦ୍ୱାର ଦେଇ ଶ୍ରଦ୍ଧାଳୁମାନେ ପ୍ରବେଶକରି ଠାକୁରଙ୍କୁ ଦର୍ଶନ କରୁଛନ୍ତି । ଭକ୍ତମାନଙ୍କ ଦର୍ଶନ ନିମନ୍ତେ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ୩ ଥାକିଆ ବାଉଁଶ ବ୍ୟାରିକେଡ୍‌ ନିର୍ମାଣ ହୋଇଛି । ଭକ୍ତମାନେ ବ୍ୟାରିକେଡ୍‌ ମଧ୍ୟରେ ଧାଡ଼ିରେ ଯାଇ ଶ୍ରୀରାଧାଙ୍କ ପାଦ ଦର୍ଶନ କରୁଛନ୍ତି । ପ୍ରଶାସନ ତରଫରୁ ମନ୍ଦିର ପରିସରରେ ୭ଟି ଓ ମନ୍ଦିର ଚାରିପଟେ ୧୨ଟି ସିସିଟିଭି କ୍ୟାମେରା ଲଗାଯାଇଛି ।ଦର୍ଶନ କରିବା ପରେ ଉତ୍ତରଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି ଶ୍ରଦ୍ଧାଳୁ । ଶୃଙ୍ଖଳିତ ଦର୍ଶନ ପାଇଁ ୨୦ ପ୍ଲାଟୁନ ଫୋର୍ସ ଓ ୫୦ ଜଣ ପୁଲିସ ଅଧିକାରୀଙ୍କୁ ମୁତୟନ କରାଯାଇଛି । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭକ୍ତମାନଙ୍କ ପାଇଁ ଗାଡ଼ି ପାର୍କିଂ, ପାଣିର ବ୍ୟବସ୍ଥା ବ୍ୟବସ୍ଥା କରାଯାଇଛି। ଭିନ୍ନକ୍ଷମଙ୍କ ପାଇଁ ୧୦ଟି ଇଲେକ୍ଟ୍ରିଗାଡ଼ିର ବ୍ୟବସ୍ଥା କରିଛି ପ୍ରଶାସନ ।

Leave A Reply

Your email address will not be published.