Jai Odisha
News

ଆଜି ‘ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା ଯୋଜନା’ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪/୦୫: ସ୍କୁଲସ୍ତରରୁ ଛାତ୍ରଛାତ୍ରୀଙ୍କୁ ଅଲିମ୍ପିକ୍ସ ଶିକ୍ଷା ଦିଆଯିବ । ସ୍କୁଲ ପାଠ୍ୟକ୍ରମରେ ଅଲିମ୍ପିକ୍ସ ସ୍ଥାନ ପାଇବ । ଏଥିପାଇଁ ରାଜ୍ୟ ସରକାର ‘ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା ଯୋଜନା’ ପ୍ରସ୍ତୁତ କରିଛନ୍ତି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବେ। ତେବେ ଚୀନ୍‌ ଓ ଜାପାନ ପରି ଅଲିମ୍ପିକ୍ସ ବିଜେତା ସୃଷ୍ଟି କରିବା ପାଇଁ ସ୍କୁଲ ସ୍ତରରୁ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବାକୁ ଯୋଜନା କରିଛନ୍ତି ସରକାର । ଆସନ୍ତା୨୦୨୪ ପ୍ୟାରିସ ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ସାରା ଦେଶରେ ଓଡ଼ିଶା ସରକାର ଏପରି ପଦକ୍ଷେପ ନେବାରେ ପ୍ରଥମ । ପାଇଲଟ୍‌ ପ୍ରକଳ୍ପ ଭାବେ ଏହି ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ ପ୍ରଥମେ ଭୁବନେଶ୍ୱର ଓ ରାଉରକେଲାର ୯୦ ସ୍କୁଲରେ ଆରମ୍ଭ ହେବ । ଏଥିପାଇଁ ଭୁବନେଶ୍ୱରର ୬୩ ଓ ରାଉରକେଲାର ୨୭ଟି ସ୍କୁଲକୁ ଚିହ୍ନଟ କରାଯାଇଛି । ଏହି ସ୍କୁଲଗୁଡ଼ିକର ୩୨ ହଜାର ଛାତ୍ରଛାତ୍ରୀଙ୍କୁ ଅଲିମ୍ପିକ୍ସ ଶିକ୍ଷା ମିଳିବ । ଏହି କାର୍ଯ୍ୟକ୍ରମ ସଫଳ ହେବା ପରେ ରାଜ୍ୟର ଅନ୍ୟ ସମସ୍ତ ସ୍କୁଲରେ ଲାଗୁ ହେବ । ଫଳରେ ୭୦ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ । ଇଣ୍ଟରନ୍ୟାସନାଲ୍‌ ଅଲିମ୍ପିକ କମିଟି ଓ ଅଭିନବ ବିନ୍ଦ୍ରା ଫାଉଣ୍ଡେସନ୍‌ ଟ୍ରଷ୍ଟର ମିଳିତ ସହଯୋଗରେ ରାଜ୍ୟ ସରକାର ଏହି କାର୍ଯ୍ୟକ୍ରମ କରିବେ ।  ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ

କରିବେ ।

Leave A Reply

Your email address will not be published.