Jai Odisha
News

ଆଜି ଗୃହରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ୍

ଭୁବନେଶ୍ୱର,୨୪ା୨: ଆଜି ଗୃହରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ୍ ।  ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରି ।    ପାଖାପାଖି 15 ପ୍ରତିଶତ ବଢ଼ିପାରେ ବ୍ୟୟ ଅଟକଳ । 2022-23 ବର୍ଷରେ ଏହା 2 ଲକ୍ଷ କୋଟି ଥିଲା । ଗତକାଲି  ସାଧାରଣ ବଜେଟ୍‌ ଉପସ୍ଥାପନ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧାନସଭାରେ  ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଥିଲା ।  ଅନ୍ୟପଟେ ନବ ଦାସ ହତ୍ୟା ମାମଲାରେ ଗୃହରେ ଲାଗିରହିଛି ହାଲ୍ଲାବୋଲ୍ । CBI ତଦନ୍ତ ଦାବିରେ ଅଡ଼ି ବସିଛନ୍ତି  ବିରୋଧୀ ବିଜେପି ଓ କଂଗ୍ରେସ| ୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶା ଅର୍ଥନୀତିର ବାସ୍ତବ ଅଭିବୃଦ୍ଧି ୭.୮ପ୍ରତିଶତକୁ ବଢ଼ିବ ବୋଲି ଆକଳନ କରାଯାଇଛି। ଏହା ଜାତୀୟ ଅଭିବୃଦ୍ଧି ହାର(୭%)ଠାରୁ ଅଧିକ ରହିବ। ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ସତ୍ତ୍ୱେ ଓଡ଼ିଶା ଅର୍ଥନୀତିର ଅଭିବୃଦ୍ଧି ହାର ଆଗକୁ ବଢ଼ିଛି ଏବଂ ପ୍ରାକ୍‌ କୋଭିଡ କାଳର ହାରାହାରି ଅଭିବୃଦ୍ଧି ହାର (୨୦୧୨-୧୩ରୁ ୨୦୧୯-୨୦) ୭.୧ ଶତାଂଶଠାରୁ ଆଗରେ ରହିଛି। ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)କୁ ଓଡ଼ିଶାର ଅବଦାନ ୨୦୧୧-୧୨ରେ ୨.୬ପ୍ରତିଶତରୁ ୨୦୨୨-୨୩ରେ ୨.୮କୁ ବଢ଼ିଛି। ଦେଶର କିଛି ଉଚ୍ଚ ଆୟକାରୀ ରାଜ୍ୟ ଏବଂ ଓଡ଼ିଶା ମଧ୍ୟରେ ଆର୍ଥିକ ବିକାଶ କ୍ଷେତ୍ରରେ ଦୂରତା କମିବା ସହିତ ରାଜ୍ୟ ପ୍ରଗତି ପଥରେ ଦ୍ରୁତ ଆଗଉଛି। ଓଡ଼ିଶା ଅର୍ଥନୀତି ସର୍ଭେ ରିପୋର୍ଟ ୨୦୨୨-୨୩ରେ ଏହା ଦର୍ଶାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ୨୦୨୧-୨୨ରେ ଅଭିବୃଦ୍ଧି ହାର ୧୧.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଥିଲା। ବିଧାନସଭାରେ ଗୁରୁବାର ଉପସ୍ଥାପିତ ଏହି ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ୨୦୨୧ରୁ ୨୦୩୦ର ଦଶନ୍ଧିରେ ଭାରତ ଅର୍ଥନୀତି ଅନୁକୂଳ ସ୍ଥିତିରେ ରହିବାର ସମ୍ଭାବନା ଥିବାବେଳେ ମୌସୁମି ପ୍ରବାହ, ଯୁଦ୍ଧ ବିଭୀଷିକା ଏବଂ ମୁଦ୍ରାସ୍ଫୀତି ଭଳି ବିପଦ ଆଶଙ୍କା ନରହିଲେ ଓଡ଼ିଶା ଅର୍ଥନୀତି ୨୦୨୩-୨୪ରେ ୮ରୁ ୮.୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିବ। ବିଶ୍ୱବ୍ୟାଙ୍କ ମୂଲ୍ୟାୟନ ଅନୁସାରେ ବିଶ୍ୱ ଅର୍ଥନୀତି ଅଭିବୃଦ୍ଧି ହାର ୨୦୨୨ରେ ୨.୯ ପ୍ରତିଶତ ରହିଛି। କୋଭିଡ, ଯୁଦ୍ଧ ଓ ମୁଦ୍ରାସ୍ଫୀତି ଏହା ପଛର କାରଣ ବୋଲି କୁହାଯାଉଛି। ଏହାସତ୍ତ୍ବେ ଓଡ଼ିଶା ସ୍ଥିତି ସୁଦୃଢ଼ ରହିଛି। ରାଜ୍ୟ ସରକାର ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଛନ୍ତି। ଶୁକ୍ରବାର ଅପରାହ୍ନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହର ଅନୁମୋଦନ ପାଇଁ ଉକ୍ତ ବଜେଟକୁ ବିଧାନସଭାରେ ଉପସ୍ଥାପନ କରିବେ। ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ସରକାର ବଜେଟକୁ ଗ୍ରାମାଞ୍ଚଳ ଭିତ୍ତିଭୂମି, ପାନୀୟ ଜଳ, କୃଷି, ସ୍ବାସ୍ଥ୍ୟ, ଶିକ୍ଷା, ମହିଳା ସଶକ୍ତୀକରଣ ଉପରେ ଅଧିକ ଫୋକସ ଦେବେ। ଆସନ୍ତା ବଜେଟର ଆକାର ଗତ ବଜେଟଠାରୁ ୧୫ ପ୍ରତିଶତ ବୃଦ୍ଧି ପାଇଛି। କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଉଥିବାରୁ ରାଜ୍ୟ ସରକାର ନିଜ ଉତ୍ସରୁ ପ୍ରାୟ ୧ ଲକ୍ଷ କୋଟି ଆଦାୟ କରିବାକୁ ଲକ୍ଷ୍ୟ ରଖିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୨ ଲକ୍ଷ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଥିଲେ।

Leave A Reply

Your email address will not be published.