Jai Odisha
News

ଆଜି ଘୋଷଯାତ୍ରା : ଭାଇ-ଭଉଣୀଙ୍କୁ ସାଙ୍ଗରେ ନେଇ ୯ ଦିନିଆ ଯାତ୍ରାରେ ଯିବେ ମହାପ୍ରଭୁ

ପୁରୀ ୦୧।୦୭:  ଆଜି ମହାପ୍ରଭୁଙ୍କ ରଥଯାତ୍ରା। ପୁରୀରେ ରଥଯାତ୍ରା ପାଇଁ ଉତ୍ସବ ମୁଖର ଦେଖାଯାଇଛି। ଶ୍ରୀକ୍ଷେତ୍ରରେ ଚାରିଆଡ଼େ ଲୋକାରଣ୍ୟ ହୋଇଛି। ବଡ଼ଦାଣ୍ଡରେ ଗହଳି ଲାଗିସାରିଛି। ଏହି ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଲକ୍ଷାଧିକ ଭକ୍ତଙ୍କ ସମାଗମରେ ବଡ଼ଦାଣ୍ଡ ଜନସମୁଦ୍ର ପାଲଟିଛି। ଦୀର୍ଘ ଦୁଇ ବର୍ଷ ପରେ ବଡଦାଣ୍ଡରେ ଭକ୍ତ ଓ ଭଗବାନଙ୍କର ହେବ ମହାମିଳନ । କରୋନା କଟକଣା ପାଇଁ ଦୁଇ ବର୍ଷ ଧରି ଭକ୍ତମାନଙ୍କୁ ରଥଯାତ୍ରାରେ ସାମିଲ ହେବା ପାଇଁ ବାରଣ କରାଯାଇଥିଲା । କିନ୍ତୁ ଚଳିତ ବର୍ଷ ଭକ୍ତଙ୍କୁ ରଥଯାତ୍ରାରେ ସାମିଲ ହେବାର ଅନୁମତି ମିଳିଛି । ସୁରକ୍ଷିତ ଏବଂ ଶୃଙ୍ଖଳିତ ରଥଯାତ୍ରା ପାଇଁ ପ୍ରଶାସନ ମଧ୍ୟ ବ୍ୟାପକ ପ୍ରସ୍ତୁତି କରିଛି ।କିନ୍ତୁ ରାଜ୍ୟରେ କରୋନା ସଂପୂର୍ଣ୍ଣ ରୂପେ ମୁକ୍ତ ନଥିବାରୁ ପୁରୀକୁ ଆସିଥିବା ସମସ୍ତ ଶ୍ରଦ୍ଧାଳୁଙ୍କୁ ମାସ୍କ ପିନ୍ଧିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ତେବେ  ସାମାନ୍ୟ କଟକଣା ମଧ୍ୟରେ ପୁରୀକୁ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତଙ୍କର ସମାଗମ ହୋଇଛି। ହରିବୋଲ, ଜୟ ଜଗନ୍ନାଥ ଧ୍ବନୀରେ ଶ୍ରୀକ୍ଷେତ୍ର କମ୍ପି ଉଠିଛି। ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ମଧ୍ୟ ହୋଇଛି ।ପୁରୀ ରଥଯାତ୍ରା ପାଇଁ ଆଜି ଭୋର ସକାଳୁ ନୀତିକାନ୍ତି ଆରମ୍ଭ ହୋଇଯାଇଛି। ଜଗତର ବଡ଼ ଠାକୁର ଶ୍ରୀଜଗନ୍ନାଥ ନିଜର ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ଶ୍ରୀମନ୍ଦିରରୁ ୯ ଦିବସୀୟ ଯାତ୍ରାରେ ବାହାରିବେ। ବଡ଼ଦାଣ୍ଡରେ ଚତୁର୍ଦ୍ଧା ମୂରତିଙ୍କୁ ଦର୍ଶନ କରିବା ପାଇଁ ଦେଶ ବିଦେଶରୁ ଭକ୍ତ ଓ ଶ୍ରଦ୍ଧାଳୁ ଛୁଟି ଆସିଛନ୍ତି । ସମସ୍ତେ ଚାତକ ପରି ଅନେଇ ରହିଛନ୍ତି, ଶ୍ରୀଜିଉ ମାନେ କେତେବେଳେ ରଥ ଉପରେ ବିରାଜମାନ କରିବେ। କାରଣ ବିଶ୍ବାସ ଅନୁଯାୟୀ ରଥରେ ୩ ଠାକୁରଙ୍କୁ ଦର୍ଶନ କଲେ ସବୁ ପାପ ଧୋଇ ହୋଇଯାଇ ପୂଣ୍ୟ ମିଳିଥାଏ।ରଥଯାତ୍ରା ଅବସରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇସାରିଛି। ପୂର୍ବାହ୍ନରେ ପହଣ୍ଡି ଆରମ୍ଭ ହେବ। ଏହା ଅପରାହ୍ନ ସାଢ଼େ ୧୨ଟା ସୁଦ୍ଧା ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ରଥ ଉପରେ ସମସ୍ତ ନୀତିକାନ୍ତି ଶେଷ ହେଲା ପରେ ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ ଯଥାକ୍ରମେ ଶରଧାବାଲି ଅଭିମୁଖେ ଗଡ଼ିବ। ଯାହା ଆଶା କରାଯାଉଛି ଅପରାହ୍ନ ୪ଟା ସୁଦ୍ଧା ତିନି ରଥ ଟଣା ଆରମ୍ଭ ହୋଇଯିବ ଏବଂ ସନ୍ଧ୍ୟା ସୁଦ୍ଧା ଶ୍ରୀଜିଉମାନେ ଶରଧାବାଲିରେ ପହଞ୍ଚି ଯିବେ। ମହାପ୍ରଭୁ ଜଗନ୍ନାଥ ୯ ଦିନିଆ ଯାତ୍ରା ଅବସରରେ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ମାଉସୀ ଘରକୁ ଯିବେ।

Leave A Reply

Your email address will not be published.