Jai Odisha
News

ଆଜି ଦୁଇ ଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି,କରିବେ ମହାପ୍ରଭୁଙ୍କ ଦର୍ଶନ

ଭୁବନେଶ୍ୱର  ୧୦/୧୧: ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଦେଶର   ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ । ଗୁରୁବାର ଓ ଶୁକ୍ରବାର ଭୁବନେଶ୍ୱର ଏବଂ ପୁରୀରେ ତାଙ୍କର ଅନେକ କାର୍ଯ୍ୟକ୍ରମ ରହିଛି। ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ଏହି ଦୁଇଟି ସହରରେ ୭୫ ପ୍ଲାଟୁନ୍‌ରୁ ଅଧିକ ପୁଲିସ୍‌ ଫୋର୍ସ ସହ ୫ ଶହ ଅଫିସର ମୁତୟନ କରାଯାଇଛି। ବୁଧବାର ପୁରୀ ଓ ଭୁବନେଶ୍ୱର ପୁଲିସ୍‌ ପକ୍ଷରୁ ରିହର୍ସାଲ୍‌ କରାଯାଇଥିଲା । ମିଳିଥିବା ସୂଚନା ମୁତାବକ, ୧୦ ତାରିଖ ସକାଳ ୧୦ଟା ୪୦ ମିନିଟ୍‌ରେ ରାଷ୍ଟ୍ରପତି ଏକ ସ୍ୱତନ୍ତ୍ର ବିମାନରେ ଆସି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ । ସେଠାରେ ତାଙ୍କୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସ୍ୱାଗତ କରିବେ। ତା’ପରେ ବିମାନ ବନ୍ଦରରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯିବ । ୧୧ଟା ୨୦ ମିନିଟ୍‌ରେ ସେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ପୁରୀ ଯିବେ। ୧୧ଟା ୪୦ରେ ପୁରୀ ତାଳବଣିଆ ହେଲିପ୍ୟାଡ୍‌ରେ ଅବତରଣ କରିବେ। ୧୧ଟା ୫୦ରୁ ସେଠାରୁ ବାହାରି ଶ୍ରୀଜଗନ୍ନାଥ ମନ୍ଦିର ଯିବେ । ମଧ୍ୟାହ୍ଣ ୧୨ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ରାଷ୍ଟ୍ରପତି ଶ୍ରୀମନ୍ଦିରରେ ରହିବେ। ସେଠାରୁ ବାହାରି ଶ୍ରୀମନ୍ଦିର ବାହାରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରିବେ। ୧ଟା ୫ ମିନିଟରୁ ସେଠାରୁ ବାହାରି ୧ ଟା ୧୦ ମିନିଟ୍‌ରେ ପୁରୀ ରାଜଭବନରେ ପହଞ୍ଚିବେ । ମଧ୍ୟାହ୍ଣ ୧ଟା ୧୦ରୁ ଅପରାହ୍ଣ ୨ଟା ୧୦ ପର୍ଯ୍ୟନ୍ତ ରାଷ୍ଟ୍ରପତି ରାଜଭବନରେ ଅବସ୍ଥାନ କରିବେ । ଏହି ୧ ଘଣ୍ଟା ମଧ୍ୟରେ ମହାପ୍ରସାଦ ସେବନ ଓ ବିଶ୍ରାମ କାର୍ଯ୍ୟକ୍ରମ ରହିଛି। ଅପରାହ୍ଣ ୩ଟା ବେଳେ ପୁରୀ ରାଜଭବନରୁ ବାହାରି ୩ଟା ୧୦ରେ ତାଳବଣିଆରେ ହେଲିପ୍ୟାଡ୍‌ରେ ପହଞ୍ଚିବେ । ୩ଟା ୨୦ରୁ ସେଠାରୁ ବାହାରି ୩ଟା ୫୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ଅପରାହ୍ଣ ୩ଟା ୫୦ ମିନିଟ୍‌ ସମୟରେ ବିମାନ ବନ୍ଦରରୁ ବାହାରି ୪ଟା ୫ ମିନିଟ୍‌ରେ କଳ୍ପନା ମ୍ୟୁଜିୟମ ଛକରେ ପହଞ୍ଚି ବକ୍ସି ଜଗବନ୍ଧୁ ବିଦ୍ୟାଧରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ସେଠାରୁ ଆସି ରାଜଭବନ ଛକରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି, ତା’ପରେ ୟୁନିଟ୍‌-୮ ଗୋପବନ୍ଧୁ ଛକରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେବେ। ସେଠାରୁ ପାୱାର ହାଉସ୍‌ ଛକରେ ପହଞ୍ଚି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରିବେ। ସେଠାରେ ଚନ୍ଦ୍ରଶେଖରପୁର ନାଲକୋ ଛକକୁ ଯାଇ ସ୍ୱଭାବ କବି ଗଙ୍ଗାଧର ମେହେର ଓ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରିବେ । ଏହି ଛକରୁ ୨ ଶହ ଫୁଟିଆ ରାସ୍ତା ଦେଇ ହାତିଆଶୁଣି ବସ୍ତିରେ ଥିବା ଭଗବାନ ବିର୍ସା ମୁଣ୍ଡା ଓ ପରେ ସୀତାନାଥ ବସ୍ତିରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ୫ଟା ୧୦ରେ ସେ ଭୁବନେଶ୍ୱର ରାଜଭବନ ଫେରି ବିଶ୍ରାମ ନେବେ। ଦ୍ୱିତୀୟ ଦିନ ଅର୍ଥାତ ୧୧ ତାରିଖରେ ରାଷ୍ଟ୍ରପତି ସକାଳ ୯ଟାରେ ଖଣ୍ଡଗିରିରେ ଥିବା ତପୋବନ ହାଇସ୍କୁଲ୍‌, ୟୁନିଟ୍‌-୨ ବାଳିକା ଉଚ୍ଚବିଦ୍ୟାଳୟ ଓ ତା’ପରେ କୁନ୍ତଳା କୁମାରୀ ସାବତ ଆଦିବାସୀ ମହିଳା ହଷ୍ଟେଲ୍‌ ଯିବେ । ସେଠାରୁ ଫେରି ଜୟଦେବ ଭବନରେ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଦ୍ୱାରା ପ୍ରସ୍ତୁତ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପୁସ୍ତକ ସମୂହ, ବିଜ୍ଞାନ ଓ ବୈଷୟିକ ଜ୍ଞାନ ଭାଷାକୋଷ କମିଶନଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ବୈଷୟିକ ଭାଷାକୋଷ ଏବଂ ବିବିଧ ଭାରତୀୟ ଭାଷାରେ ଜ୍ଞାନ ପୋର୍ଟାଲ୍‌ “ଇ-କୁମ୍ଭ’ ଉନ୍ମୋଚନ କରିବେ । ଅପରାହ୍ଣରେ ଭୁବନେଶ୍ୱର ବିମାନ ବନ୍ଦରରୁ ରାଞ୍ଚି ଅଭିମୁଖେ ଯାତ୍ରା କରିବେ । ପୂର୍ବରୁ ସୂଚନା ଦିଆଯାଇଥିଲା ରାଷ୍ଟ୍ରପତି ସକାଳ ସାଢ଼େ ୯ଟାରେ ଭୁବନେଶ୍ୱରରେ ପହଞ୍ଚିବେ ।

Leave A Reply

Your email address will not be published.