Jai Odisha
News

ଆଜି ନୀତି ଆୟୋଗ ବୈଠକ,ଓଡ଼ିଶା ପାଇଁ ସ୍ୱତନ୍ତ୍ର ପାହ୍ୟା ଦାବି

ଭୁବନେଶ୍ୱର,୦୭/୦୮: ଆଜି ନୀତି ଆୟୋଗ ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  କେନ୍ଦ୍ର ଆଗରେ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦାବି ଉଠାଇବେ ମୁଖ୍ୟମନ୍ତ୍ରୀ   । ରବିବାର ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗ ବୈଠକରେ ନବୀନ ଏ ପ୍ରସଙ୍ଗ ଉଠାଇବେ । ତିନିଦିନିଆ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ଦୀର୍ଘ ବର୍ଷ ହେବ ଓଡ଼ିଶା ପାଇଁ ସ୍ୱତନ୍ତ୍ର ପାହ୍ୟା ଦାବି ଉଠାଯାଉଛି । ଓଡ଼ିଶା ବାରମ୍ବାର ପ୍ରାକୃତିକ ଦୁର୍ବିପାକର ସାମ୍ନା କରୁଛି । ବାରମ୍ବାର ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ତେଣୁ ରବିବାର ବୈଠକରେ ପୁନର୍ବାର ଓଡ଼ିଶା ପାଇଁ ସ୍ୱତନ୍ତ୍ର ପାହ୍ୟା ଦାବି କରିବି ।ଶନିବାର ଦିଲ୍ଲୀରେ ପହଞ୍ଚିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ‘ଆଜାଦି କି ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ । ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରମୁଖ ଉପସ୍ଥିତ ଥିଲେ ।   ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଭୂମିକା ଉପରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ । ସେ ଓଡ଼ିଶାର କଟକ ମାଟିରେ ଜନ୍ମିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ୱାଧୀନତା ଆନ୍ଦୋଳନକୁ ମନେପକାଇଥିଲେ । ଅନ୍ୟ ବୀରମାନଙ୍କ ଭୂମିକା ବାବଦରେ ବି କହିଥିଲେ । ଏହାସହ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ପାଇଁ ଓଡ଼ିଶା ସରକାର କିଭଳି ପ୍ରସ୍ତୁତି କରିଛନ୍ତି, ତାହା ବାବଦରେ ସୂଚନା ଦେଇଥିଲେ । ନୀତି ଆୟୋଗର ସପ୍ତମ ଗଭର୍ଣ୍ଣିଂ କାଉନସିଲ ବୈଠକରେ ସ୍ୱତନ୍ତ୍ର ପାହ୍ୟା କିମ୍ବା ଫୋକସ୍‌ ରାଜ୍ୟ ମାନ୍ୟତା ଦାବି ସହ କୃଷି, ସ୍ୱାସ୍ଥ୍ୟ ବାବଦ ଅନୁଦାନ ବୃଦ୍ଧି, କୋଇଲା ରୟାଲଟି ବୃଦ୍ଧି, ଦୁର୍ଗମ ଅଞ୍ଚଳରେ ମୋବାଇଲ ଟାୱାର ସ୍ଥାପନ ଓ ଗ୍ରାମାଞ୍ଚଳରେ ବ୍ୟାଙ୍କ ଶାଖା ଖୋଲିବା ନେଇ ଦାବି ରଖିପାରନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.