Jai Odisha
News

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା , ସୁନାକୂଅର ସୁବାଷିତ ଜଳରେ ସ୍ନାନ କରିବେ ଶ୍ରୀଜିଉ

 ପୁରୀ,୪।୬:ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ପାଳନ ହୁଏ ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତି ଜଳ ସ୍ନାନ କରିବେ।ସୁନାକୂଅର ସୁବାଷିତ ଜଳରେ ସ୍ନାନ କରିବେ ଶ୍ରୀଜିଉ । ବଡ଼ଦାଣ୍ଡରେ ଲାଗିବ ଭକ୍ତଙ୍କ ଗହଳି ଚହଳି। ସ୍ନାନବେଦୀରେ ପ୍ରଭୁଙ୍କୁ ଦର୍ଶନ କରି ପବିତ୍ର ହେବ ଚର୍ମଚକ୍ଷୁ। ହାତୀ ବେଶରେ ଝଲସିବେ ଦାରୁଦିଅଁ ।  ଏହି ଅନନ୍ୟ ପରମ୍ପରା ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଭାବବିହ୍ୱଳ କରିଦିଏ। ପାରମ୍ପରିକ ରୀତିରେ ୧୦୮ କଳସୀ ଜଳରେ ସ୍ନାନ କରନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଏ । ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦଇତାମାନେ ପହଣ୍ଡି କରାନ୍ତି।ସାତ ପାହଚ ଉପରେ ଠାକୁରମାନେ ଚୂଳ ଓ ଟାହିଆ ଲାଗି ହେବ। ଟାହିଆ ଲାଗି ହେବାପରେ ଦ୍ୱିତୀୟ ମଙ୍ଗଳାର୍ପଣ ହୁଏ। ରାଘବ ଦାସ ମଠରୁ ଆସିଥିବା ଘଷା ଲାଗି କରାଯାଏ।ପନ୍ତି ଖାଇ ଠାକୁରମାନେ ସ୍ନାନବେଦୀରେ ଅବସ୍ଥାନ କରନ୍ତି। ଗରାବଡୁ ସୁବର୍ଣ୍ଣକଳସ ଧରି ସୁନାକୂଅରୁ ଜଳ ଆଣନ୍ତି। ମହାପ୍ରଭୁ ଜଗନ୍ନାଥଙ୍କୁ ୩୫ ଗରା ଜଳରେ ସ୍ନାନ କରାଯାଏ। ବଡଭାଇ ଶ୍ରୀ ବଳଦେବଙ୍କୁ ୩୩ ଗରା ଜଳରେ ସ୍ନାନ କରାଯାଏ।୨୨ ଗରା ଜଳରେ ଦେବୀ ସୁଭଦ୍ରାଙ୍କୁ ସ୍ନାନ କରାଯାଏ। ୧୮  ଗରା ଜଳରେ ଶ୍ରୀ ସୁଦର୍ଶନଙ୍କୁ ସ୍ନାନ କରାଯାଏ। ସ୍ନାନ ପରେ ଠାକରଙ୍କୁ ଜ୍ବର ହୋଇଥାଏ। ମହାପ୍ରଭୁଙ୍କ ମାନବୀୟ ଲୀଳାର ଇଏ ଆଉ ଏକ ନିଦର୍ଶନ। ଏଇଠୁ ଚତୁର୍ଦ୍ଧାମୂରତି ଯିବେ ଅଣସର ଘର। ଅଣସର ଗୃହରେ ଠାକୁରମାନେ ୧୫ ଦିନ ଅବସ୍ଥାନ କରନ୍ତି।

Leave A Reply

Your email address will not be published.