Jai Odisha
News

ଆଜି ପବିତ୍ର ମହାଳୟା , ପିତୃପୁରୁଷଙ୍କୁ ପିଣ୍ଡଦେବାର ଅନ୍ତିମ ଦିନ

ପୁରୀ ,୨୫।୦୯: ଆଜି ପବିତ୍ର ମହାଳୟା। ୧୫ ଦିନ ଧରି ଚାଲିଥିବା ପିତୃପକ୍ଷର ଆଜି ଶେଷ ଦିନ। ଆଜି ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ପିଣ୍ଡଦାନ କରିବାର ପରମ୍ପରା ରହିଛି। ଭାଦ୍ରବ କୃଷ୍ଣ ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା  ଏହି ଦିନରେ ଯେଉଁ ଶ୍ରାଦ୍ଧ ବା ପିଣ୍ଡଦାନ କରାଯାଏ ସେଥିରେ ପିତୃପୁରୁଷଙ୍କ ପୂର୍ଣ୍ଣ ପ୍ରାପ୍ତି ହୋଇଥାଏ ବୋଲି  ବିଶ୍ବାସ ରହିଛି। ପିତୃ ପୁରୁଷ ମାନଙ୍କ ମୃତ୍ୟୁ ତିଥି ଅନୁସାରେ ଏହି ୧୫ ଦିନ ମଧ୍ୟରେ ଶ୍ରାଦ୍ଧ ଦେବାର ପରମ୍ପରା ରହିଛି।ଏହି ପିତୃପକ୍ଷରେ ପିତୃ ପୁରୁଷମାନେ ମର୍ତ୍ତମଣ୍ଡଳକୁ ଆସିଥାନ୍ତି ବୋଲି ବିଶ୍ୱାସ ରହିଛି। ପିତୃପକ୍ଷର ପ୍ରତ୍ୟେକ ତିଥିରେ ଶ୍ରାଦ୍ଧ ଦିଆଯାଉଥିଲେ ମଧ୍ୟ ମହାଳୟାରେ ଶ୍ରାଦ୍ଧ ଓ ପିଣ୍ଡଦାନ କରିବାର ବିଶେଷ ମହତ୍ତ୍ୱ ରହିଛି। ବିଶେଷ କରି ତୀର୍ଥକ୍ଷେତ୍ର ଓ ତୀର୍ଥ ପୁଷ୍କରିଣୀରେ ପିଣ୍ଡଦାନ ସହ ତର୍ପଣ କରାଯାଉଥିବାରୁ ପୁରୀରେ ଏଥିପାଇଁ ବହୁତ ଭକ୍ତ ଆସି ପିଣ୍ଡଦାନ କରିଛନ୍ତି।  କୋରୋନା ଯୋଗୁ ଗତ ବର୍ଷ ଶ୍ରୀମନ୍ଦିରରେ ମହାଳୟା ଶ୍ରାଦ୍ଧ ଉପରେ ବାରଣ ଲଗାଯାଇଥିଲା। ତେବେ ଚଳିତ ବର୍ଷ କୋରୋନା କଟକଣା ହଟିଥିବା ବେଳେ ଶ୍ରୀମନ୍ଦିରରେ ଭିଡ ଦେଖିବାକୁ ମିଳିଛି। ତେବେ ଶ୍ରୀମନ୍ଦିର ବାଇଶି ପାହାଚରେ ତିଳତର୍ପଣ ବନ୍ଦ ରହିଥିବା ବେଳେ ମହୋଦଧି , ନରେନ୍ଦ୍ର, ଶ୍ୱେତଗଙ୍ଗା, ମାର୍କଣ୍ଡେୟ ଆଦି ତୀର୍ଥ ପୁଷ୍କରିଣୀ ମାନଙ୍କରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରାଯାଉଛି। ଶ୍ରୀମନ୍ଦିର ଉତ୍ତରଦ୍ବାର ସମ୍ମୁଖଭାଗରେ ବସି ପୁରୋହିତ ମାନେ ତିଳତର୍ପଣ କରୁଛନ୍ତି। ସେହିପରି ଶ୍ରୀମନ୍ଦିରରେ ଆଜି ଗୁପ୍ତ ଗୁଣ୍ଡିଚା ଅନୁଷ୍ଠିତ ହେବ। ଶ୍ରୀଗୁଣ୍ଡିଚା ଯାତ୍ରାରେ ମା ମହାଲକ୍ଷ୍ମୀଙ୍କୁ ପ୍ରଭୁ ଶ୍ରୀଜଗନ୍ନାଥ ସାଙ୍ଗରେ ନେଇ ନଥିବାରୁ ଏହି ଗୁପ୍ତ ଗୁଣ୍ଡିଚା ଆୟୋଜନ ହୋଇଥାଏ ବୋଲି ଲୋକକଥା ରହିଛି। ଅଭିମାନିନୀ ମା ମହାଲକ୍ଷ୍ମୀଙ୍କୁ ମନାଇବା ପାଇଁ ଏହି ଗୁପ୍ତ ଗୁଣ୍ଡିଚାରେ ଦୁର୍ଗାମାଧବ ଏକ ଶୋଭାଯାତ୍ରାରେ ଶ୍ରୀମନ୍ଦିରରୁ ବାହାରି ଦୋଳମଣ୍ଡପ ସାହିରେ ଥିବା ନାରାୟଣୀ ମନ୍ଦିରକୁ ଯାଇଥାନ୍ତି।

Leave A Reply

Your email address will not be published.