Jai Odisha
News

ଆଜି ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦ୍ଵିତୀୟ ଦିନିକିଆ

ବାର୍ବାଡୋସ, ୨୯।୭: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଚାଲିଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ ଶନିବାର ବାର୍ବାଡୋସର କିଙ୍ଗଷ୍ଟନ ଓଭାଲରେ ଖେଳାଯିବ। ପ୍ରଥମ ମ୍ୟାଚରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୫ ୱିକେଟରେ ପରାଜିତ ହୋଇଥିବା ଘରୋଇ ୱେଷ୍ଟଇଣ୍ଡିଜ୍‌ ଶୃଙ୍ଖଳାକୁ ଫେରିବା ଲାଗି ଉଦ୍ୟମ କରିବ। ଅନ୍ୟପକ୍ଷରେ ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତୀୟ ଦଳ ଆଗୁଆ ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ରହିଛି। ଟେଷ୍ଟ ପରେ ଦିନିକିଆ ଶୃଙ୍ଖଳାକୁ ଜିତିବା ଲକ୍ଷ୍ୟରେ ଭାରତ ରହିଛି। ପ୍ରଥମ ଦିନିକିଆକୁ ୫ ଉଇକେଟରେ ଜିତି ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀଲାଭ କରିଛି। ତେଣୁ ଦ୍ୱିତୀୟ ଦିନିକିଆ ଜିତି ଆଗୁଆ ସିରିଜ ବିଜୟ ଲକ୍ଷ୍ୟରେ ରହିଛି ଟିମ୍‌ ଇଣ୍ଡିଆ। ପ୍ରଥମ ଦିନିକିଆରେ ବିଜୟ ଲକ୍ଷ୍ୟ ମାତ୍ର ୧୧୫ ରନ ଥିବାରୁ ଅଧିନାୟକ ରୋହିତ ଶର୍ମା ଓ କୋଚ୍‌ ରାହୁଲ ଡ୍ରାଭିଡ ମିଡିଲ୍‌ ଅର୍ଡର ବ୍ୟାଟରଙ୍କୁ ଟପ୍‌ ଅର୍ଡରରେ ଖେଳିବା ସୁଯୋଗ ଦେଇଥିଲେ। ମାତ୍ର ଟର୍ନିଂ ଟ୍ରାକ୍‌ରେ ଭାରତ ବିଜୟ ଲକ୍ଷ୍ୟରେ ପହଞ୍ଚତ୍ବା ପାଇଁ ୫ ଉଇକେଟ ହରାଇଥିଲା। ତେଣୁ ଆଗାମୀ ମ୍ୟାଚରେ ସ୍ବାଭାବିକ ବ୍ୟାଟିଂ ଅର୍ଡରକୁ ନେଇ ଭାରତ ଖେଳିବ ବୋଲି ଆଶା କରାଯାଉଛି। ଦ୍ୱିତୀୟ ଦିନିକିଆର ଟ୍ରାକ୍‌ ପ୍ରଥମ ଦିନିକିଆ ପରି ସମାନ ହୋଇ ନ ପାରେ। ତେବେ ଏଠାରେ ଭାରତ ପ୍ରଥମେ ବ୍ୟାଟିଂ ଚ୍ୟାଲେଞ୍ଜ ପାଇଲେ ମଧ୍ୟ ପ୍ରଭାବୀ ହୋଇପାରିବ। ପୂର୍ବ ମ୍ୟାଚରେ ଗୁଡାକେଶ ମୋତିଙ୍କ ଅର୍ଥାଡକ୍ସ ବାମହାତୀ ସ୍ପିନ୍‌ ଏବଂ ୟାନିକ୍‌ କାରିଆଙ୍କ ଲେଗ୍‌ ବ୍ରେକ୍‌କୁ ଖେଳିବାରେ ଭାରତକୁ ବିଶେଷ ଅସୁବିଧା ହୋଇ ନ ଥିଲେ ମଧ୍ୟ ସହଜ ମଧ୍ୟ ଅନୁଭବ କରି ନ ଥିଲା। ସୂର୍ଯ୍ୟକୁମାର ଯାଦବ ନିଜ ଟି୨୦ ଫର୍ମକୁ ୫୦ ଓଭର ଫର୍ମାଟରେ ରୂପାନ୍ତରିତ କରିବାର ଅଛି। ପ୍ରଥମ ଦିନିକିଆ ତାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଥିଲା। ସେ ଭଲ ଆରମ୍ଭ ମଧ୍ୟ କରିଥିଲେ, ମାତ୍ର ମୋତିଙ୍କ ବଲ୍‌କୁ କ୍ରମାଗତ ସୁଇପ୍‌ ଶଟ୍‌ ଖେଳିବାକୁଯାଇ ଆଉଟ ହୋଇଥିଲେ। ଶ୍ରେୟସ ଆୟାର ଓ ଲୋକେଶ ରାହୁଲ ଫିଟ୍‌ ହେଲେ ଭାରତୀୟ ଏକାଦଶରେ ସ୍ଥାନ ପାଇବା ତାଙ୍କ ପାଇଁ ଅସୁବିଧା ହେବ ବୋଲି ସୂର୍ଯ୍ୟ ଭଲଭାବେ ଜାଣିଛନ୍ତି। ତେଣୁ ତାଙ୍କୁ ସତର୍କତାର ସହ ଖେଳିବାକୁ ହେବ। ଏସିଆ କପ୍‌ରେ ପାକିସ୍ତାନ ବିପକ୍ଷରେ ସେ ଭଲ ଖେଳିଥିଲେ। ମହମ୍ମଦ ଶାମି, ଯଶପ୍ରୀତ୍‌ ବୁମ୍‌ରା, ମହମ୍ମଦ ସିରାଜ ଓ ଶାର୍ଦ୍ଦୂଳ ଠାକୁରଙ୍କ ଉପସ୍ଥିତିରେ ମୁକେଶ କୁମାରଙ୍କୁ ରିଜର୍ଭ ପେସରଭାବେ ବିବେଚନା କରାଯାଉଥିଲା। ମାତ୍ର ସୁଯୋଗ ପାଇବା ପରେ ସମସ୍ତ ଫର୍ମାଟରେ ଯେପରି ଲାଇନ୍‌ ଓ ଲେନ୍ଥରେ ବୋଲିଂ କରୁଛନ୍ତି ତାଙ୍କୁ ଦଳରୁ ବାଦ୍‌ଦେବା ସହଜ ହେବନି।

ଭାରତୀୟ ସମ୍ଭାବ୍ୟ ୧୧: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍‌, ବିରାଟ କୋହଲି, ଈଶାନ କିଶନ, ହାର୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, ଶାର୍ଦୁଳ ଠାକୁର, ରବୀନ୍ଦ୍ର ଜାଦେଜା, କୁଲଦୀପ ଯାଦବ, ମୁକେଶ କୁମାର, ଉମ୍ରାନ ମଲ୍ଲିକ।

ୱେଷ୍ଟଇଣ୍ଡିଜ୍‌ ସମ୍ଭାବ୍ୟ ୧୧: ବ୍ରାଣ୍ଡନ କିଙ୍ଗ୍‌, କାଇଲ୍‌ ମେୟର୍ସ, ଅଲିକ୍‌ ଅଥାନାଜ୍‌, ସାଇ ହୋପ୍‌ (ଅଧିନାୟକ), ସିମ୍ରନ ହେଟମାୟର, ରୋଭମନ ପାୱେଲ, ରୋମାରିଓ ସେଫର୍ଡ, ଡୋମନିକ୍‌ ଡ୍ରେକ୍ସ, ୟାନିକ୍‌ କାରିଆ, ଗୁଡକେଶ ମୋତି, ଜୟଦେନ୍‌ ସିଲ୍ସ।

Leave A Reply

Your email address will not be published.