Jai Odisha
News

ଆଜି ଭୁବନେଶ୍ୱର ଷ୍ଟେସନ ପୁନଃ ବିକାଶର ଶିଳାନ୍ୟାସ

ଭୁବନେଶ୍ବର,୨୯।୧୨ :   ଭୁବନେଶ୍ୱର ରେଳଷ୍ଟେସନ ନବୀକରଣ ପାଇଁ ଆଜି (ଗୁରୁବାର) ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଯୋଗ ଦେଇଛନ୍ତି। ବିଶିଷ୍ଟ ଅତିଥି ଭାବେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଧାୟକ ସୁର ରାଉତରାୟ ଓ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗ ଦେଇଛନ୍ତି। ଭାରତ ବର୍ଷରେ ରେଳ ଯାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ସେବା ଯୋଗାଇଦେବା ଲକ୍ଷ୍ୟରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପରିକଳ୍ପନା ମଧ୍ୟରେ ଭୁବନେଶ୍ୱର ରେଳ ଷ୍ଟେସନ ପୁନଃ ବିକାଶ ସ୍ଥାନ ପାଇଛି । ଏହା ଏକ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଯାହାର କାର୍ଯ୍ୟ ଶୀଘ୍ର  ସମ୍ପାଦନ ପାଇଁ ମନ୍ତ୍ରୀ ଗୁରୁତ୍ୱାରୋପ କରୁଛନ୍ତି । ଏହି ପ୍ରକଳ୍ପ ପାଇଁ ୩୦୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଅଛି ଯାହାକି ୨୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ। ସେହିପରି ୧୪ କିଲୋମିଟର ଦୀର୍ଘ ଅନୁଗୁଳ -ବଳରାମ ନୂତନ ରେଳ ଲାଇନ ପଣ୍ୟ କାରବାର ବିଶେଷ ଭାବେ କୋଇଲା ପରିବହନ ପାଇଁ ଉପଯୋଗ ହୋଇପାରିବ ଏବଂ ଏହା ବିଭିନ୍ନ ଶିଳ୍ପ ସଂସ୍ଥା ବିଶେଷ ଭାବେ ପାୱାର ହାଉସ ମାନଙ୍କୁ ସହାୟତା ଯୋଗାଇବ। ଏହା ମଧ୍ୟ ଏହି ଅଞ୍ଚଳର ଉନ୍ନତି ସଙ୍ଗେ ସଙ୍ଗେ ଦେଶର ଆର୍ଥିକ ବିକାଶରେ ନୂତନ ଅଧ୍ୟାୟ ଯୋଡିବ। ଏହା ବ୍ୟତୀତ, ବହୁ ପ୍ରତିକ୍ଷିତ ଓ ଜନସାଧାରଣଙ୍କ ପଡିରହିଥିବା ଦୀର୍ଘଦିନର ଦାବିକୁ ପୂରଣ କରିବା ପାଇଁ ବିଶେଷ ଭାବେ ରେଳ ଯାତ୍ରୀ ମାନଙ୍କ ଆକାଂକ୍ଷା ପୂରଣ ପାଇଁ ଦୁଇଟି ନୂତନ ଟ୍ରେନ ପ୍ରଚଳନ କରାଯାଉଛି।କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଳ ବିକାଶ ଲାଗି ଓଡ଼ିଶା ପାଇଁ ୧୦ ହଜାର କୋଟି ଟଙ୍କା ଦେଇଛନ୍ତି। କେନ୍ଦ୍ର ସରକାରଙ୍କର ଇଚ୍ଛା ଶକ୍ତି ଅଛି, ଅର୍ଥ ଅଛି। ଓଡ଼ିଶାର ସର୍ବାଙ୍ଗୀନ ବିକାଶ ଲାଗି ମୋଦୀଙ୍କର ଆନ୍ତରିକ ଇଚ୍ଛା ଅଛି। ରାଜନୀତିର ଉପରକୁ ଉଠି କାମ କରିବାକୁ ସେ ଆହ୍ବାନ ଦେଇଛନ୍ତି। ଠିକ୍ ସେହିପରି ଟେଲିକମ୍ କ୍ଷେତ୍ରରେ ବିକାଶ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ୫୬୦୦ କୋଟି ଟଙ୍କା ଦେଇଛନ୍ତି। ଓଡ଼ିଶାରେ ଜାନୁଆରି ୨୬ ପୂର୍ବରୁ ୫-ଜି ସେବା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଅଶ୍ବିନୀ ବୈଷ୍ଣବ। ଭୁବନେଶ୍ୱରରୁ ଭଦ୍ରକକୁ ମଧ୍ୟ ଏକ ନୂଆ ଟ୍ରେନ୍ ଚଳାଚଳ କରାଯିବ ବୋଲି ସେ ଘୋଷଣା କରିଛନ୍ତି।

Leave A Reply

Your email address will not be published.