Jai Odisha
News

ଆଜି ମହାପ୍ରଭୁଙ୍କ ଭଉଁରୀ ଯାତ୍ରା

ପୁରୀ  ,୧୨ା୫: ଆଜି ମହାପ୍ରଭୁଙ୍କ ଭଉଁରୀ ଯାତ୍ରା। ଏହି ଅବସରରେ ଶ୍ରୀକ୍ଷେତ୍ରରେ ତିନି ରଥର ଚକ ଅଖ ଡେରା ନୀତି ହେବ। ସକାଳଧୂପ ପରେ ଶ୍ରୀମନ୍ଦିରରୁ ପୂଜାପଣ୍ଡା ସେବକମାନେ ଶ୍ରୀଜିଉଙ୍କ ଆଜ୍ଞାମାଳ ଧରି ରଥ ଖଳାକୁ ବିଜେ କରିବା ପରେ ତିନି ରଥର ଦୁଇଟି ଲେଖାଏଁ ଚକ ସହ ଗୋଟିଏ ଲେଖାଏଁ ଅଖ ଡେରା ଯିବ। ଚକ ଅଖ ଡେରା ନୀତି ସମ୍ପନ୍ନ ପରେ ରଥ ନିର୍ମାଣର ଅନ୍ୟାନ୍ୟ କାର୍ଯ୍ୟ ଆରମ୍ଭ ହେବ। ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିନ। ଆଜି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଭୂଦେବୀ, ଶ୍ରୀଦେବୀ, ରାମକୃଷ୍ଣ ଓ ମଦନମୋହନଙ୍କ ପଞ୍ଚ ମହାଦେବ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଘେରା ଜଳକ୍ରୀଡା କରିବେ।ଅପରାହ୍ନ ୪ଟାରେ ଏକ ବିରାଟ ଶୋଭାଯାତ୍ରାରେ ଶ୍ରୀମନ୍ଦିରରୁ ମହାପ୍ରଭୁ ମଣିବିମାନରେ ବାହାରି ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ଯିବେ। ଭଉଁରୀ ଯାତ୍ରାରେ ଅତ୍ୟଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।  ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଶେଷ ହୋଇଛି। ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ରଥଖଳାରେ ପରମ୍ପରା ମୁତାବକ ତିନିରଥର ପ୍ରତ୍ୟେକ ଦୁଇଟି ଚକ ସହ ଗୋଟିଏ ଅଖ ସଂଯୋଗ କରାଯିବ। ଏହାକୁ ଚକଅଖ ଡେରା ନୀତି କୁହାଯାଏ। ଏଥିପାଇଁ ବିଶ୍ୱକର୍ମା ମହାରଣାମାନେ ୬ଟି ଚକ ଓ ତିନୋଟି ଅଖ ପ୍ରସ୍ତୁତ କରି ରଖିଛନ୍ତି। ଶୁକ୍ରବାର ଶ୍ରୀମନ୍ଦିରରେ ସକାଳ ଧୂପ ବଢିବା ପରେ ତିନିବାଡ଼ର ପୂଜାପଣ୍ଡା ସେବାୟତମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ଧରି ରଥଖଳାକୁ ଆସିବେ। ଆଜ୍ଞାମାଳ ପ୍ରଦାନ ପରେ ସେଠାରେ ଭୋଇ ସେବକମାନେ ଚକଅଖ ଡେରା କାର୍ଯ୍ୟ ସମ୍ପନ୍ନ କରି ପ୍ରଥମ ହରିବୋଲ ପକାଇବେ। ସେହିପରି ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଭଉଁରୀ ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ଯାତଭୋଗ ସରିବା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଏବଂ ଶ୍ରୀକ୍ଷେତ୍ରର ପଞ୍ଚପାଣ୍ଡବ ପାଲିଙ୍କି ଓ ବିମାନରେ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରିବେ। ଦିନ ଚାପ ସରିବା ପରେ ଠାକୁରମାନେ ଚକଡ଼ା ପରିସରରେ ଥିବା ଚନ୍ଦନ କୁଣ୍ଡକୁ ବିଜେ ହେବେ। ପରେ ବେଶ ହୋଇ ଭୋଗ ମଣୋହି ହେବେ। ବିଡିଆ ମଣୋହୀ ହୋଇ ଠାକୁରମାନେ ଭଉଁରୀ ଯାତ୍ରା କରିବା ପାଇଁ ଚାପକୁ ବିଜେ କରିବେ। ପୁଷ୍କରିଣୀର ସମସ୍ତ କୋଣ ଓ ଦୀପିଦାଣ୍ଡି ନିକଟରେ ଚାପଡଙ୍ଗା ୨୧ ଘେରା ଲେଖାଏ ବୁଲିବ।

Leave A Reply

Your email address will not be published.