Jai Odisha
News

ଆଜି ମହାଶିବରାତ୍ରି , ଲିଙ୍ଗରାଜଙ୍କ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ନୀତିକାନ୍ତି

ଭୁବନେଶ୍ବର,୦୧/୦୩: ଆଜି ହେଉଛି ମହାଶିବରାତ୍ରୀ ।  ଏଥିପାଇଁ ଚଳଚଞ୍ଚଳ ଶୈବପୀଠ। ଏହି ଅବସରରେ ବାବା ଲିଙ୍ଗରାଜଙ୍କ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ନୀତିକାନ୍ତି ଅନୁଷ୍ଠିତ ହେଉଛି । ରାତି ୩ଟାରୁ ଖୋଲିଛି ବାବା ଲିଙ୍ଗରାଜଙ୍କ ମୁଖ୍ୟଦ୍ୱାର । ୩ଟା ୩୦ରେ ମଙ୍ଗଳା ଆଳତି ପରେ ଆରମ୍ଭ ହୋଇଛି ଅବକାଶ ନୀତି । ସେହିପରି ସକାଳ ୫ଟାରୁ ସାହାଣ ମେଳା ଦର୍ଶନ ଅର୍ଥାତ ସାଧାରଣ ଦର୍ଶନ ହେଉଛି । ଏହାପରେ୧୧.୩୦ମିନିଟ୍‌ରୁ ୧୨ଟା ଛାମୁ ପରିଷ୍କାର, ୧୨ଟାରେ ମହାସ୍ନାନ ବେଶ, ୧୨ଟା ୪୫ରୁ ସୂର୍ଯ୍ୟ ପୂଜା, ଦ୍ବାରପାଳ ପୂଜା, ଶ୍ରୀଜିଉ ଓ ଠାକୁରାଣୀଙ୍କ ବଲ୍ଲଭ ଓ ଶ୍ରୀଜିଉଙ୍କ ସକାଳ ଧୂପ ଅନୁଷ୍ଠିତ ହେବ। ଅପରାହ୍‌ଣ ସାଢ଼େ ୨ଟାରୁ ଭୁବନେଶ୍ବରୀଙ୍କ ସକାଳ ଧୂପ, ୨ଟା ୪୫ରୁ ଭୋଗ ମଣ୍ଡପ, ଅପରାହ୍‌ଣ ୩.୪୫ରୁ ୪ଟା ୪୫ ମଧ୍ୟରେ ପୁଣି ଦର୍ଶନ ହେବ। ଅପରାହ୍‌ଣ ୪.୪୫ରୁ ଛାମୁ ପରିଷ୍କାର, ୫ଟା ୧୫ରେ ଶ୍ରୀଜିଉଙ୍କ ବେଶ, ୫ଟା ୫୪ରୁ ବୀର କିଶୋର ବଲ୍ଲଭ, ଦ୍ବିପ୍ରହର ଧୂପ, ସନ୍ଧ୍ୟା ୭ଟାରେ ପହୁଡ଼ ପଡ଼ିବ। ୭ଟା ୧୦ରୁ ଶ୍ରୀଜିଉଙ୍କ ସନ୍ଧ୍ୟା ଆଳତି ଓ ଟେରା ଫିଟା ନୀତି ସମ୍ପନ୍ନ ହେବ। ସନ୍ଧ୍ୟା ସାଢ଼େ ୭ରୁ ଶ୍ରୀଜିଉଙ୍କ ମାଜଣା ଓ ବେଶ, ୮ଟା ୧୦ରେ ଶ୍ରୀଜିଉଙ୍କ ଯାତ୍ରା ପୂଜା ଓ ବେଢ଼ା ପରିକ୍ରମା। ୮ଟା ୫୫ମିନିଟ୍‌ରେ ସନ୍ଧ୍ୟା ଧୂପ ଓ ତୀର୍ଥଜଳ ଆନୟନ କରାଯାଇ ରାତି ୧୦ରେ ମହାଦୀପ ଉଠିବ ବୋଲି ନୀତି ନିର୍ଘଣ୍ଟ ହୋଇଛି। ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ମନ୍ଦିରରେ ପ୍ରସ୍ତୁତି ସରିଛି। ଫୁଲରେ ସଜେଇ ହୋଇଛି ମନ୍ଦିର। ମନ୍ଦିର ଭିତର ଓ ବାହାରକୁ ଅଧିକ ଆକର୍ଷଣୀୟ କରିବା ପାଇଁ ରଙ୍ଗିନ ଆଲୋକମାଳାରେ ସଜା ଯାଇଛି। ଝଲସୁଛି ଏକାମ୍ରକ୍ଷେତ୍ରର ଏହି ପ୍ରସିଦ୍ଧ ଶୈବପୀଠ। ଏଥିସହ ମେଘନାଦ ପାଚେରି ଓ ମନ୍ଦିର ନିକଟ ଗଛରେ ମଧ୍ୟ ଲାଇଟ୍‌ ଲଗାଯାଇ ସୌନ୍ଦର୍ଯ୍ୟୀକରଣ କରାଯାଇଛି। ମନ୍ଦିରର ରଙ୍ଗ କାମ ସରିଥିବା ବେଳେ ସିଂହଦ୍ବାରକୁ ଫୁଲରେ ସଜା ଯାଇଛି। ଚଳିତବର୍ଷ ଗର୍ଭଗୃହ ଦର୍ଶନ ମନା ହୋଇଥିବା ବେଳେ ଆଡକାଠରୁ ଭକ୍ତମାନେ ଦର୍ଶନ କରୁଛନ୍ତି । ତେବେ ବ୍ୟାରିକେଡ୍ ଭିତରେ ଧାଡି ହୋଇ ମନ୍ଦିର ଭିତରକୁ ଭକ୍ତମାନେ ପ୍ରବେଶ କରୁଛନ୍ତି । ଉତ୍ତର ଦ୍ୱାର ଦେଇ ସେବାୟତ ଓ ତାଙ୍କ ପରିବାର ଲୋକ ପ୍ରବେଶ କରୁଛନ୍ତି ।  ସେପଟେ ମହାଶିବରାତ୍ରୀକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭୁବନେଶ୍ୱର ଡିସିପିଙ୍କ ତତ୍ତ୍ୱାବଧାନରେ ୬ ଜଣ ଅତିରିକ୍ତ ଡିସିପି, ୧୨ ଜଣ ଏସିପି, ୧୯ ଜଣ ଇନ୍ସପେକ୍ଟର, ୮୫ ଅଫିସର ଏବଂ ୨୭ ପ୍ଲାଟୁନ ଫୋର୍ସ ମୃତୟନ ହୋଇଛନ୍ତି ।

Leave A Reply

Your email address will not be published.