Jai Odisha
News

ଆଜି ମାଘ ସପ୍ତମୀ:,ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ବୁଡ

ପୁରୀ,୨୮।୧: ଆଜି ପବିତ୍ର ମାଘ ସପ୍ତମୀ। । ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ  ଭୋର୍‌ରୁ ହଜାର ହଜାର ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି।  ପବିତ୍ର ମାଘ ସପ୍ତମୀ ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ଚନ୍ଦ୍ରଭାଗାରେ ବୁଡ଼ ପକାଇ ପୂଣ୍ୟ ଅର୍ଜନ କରିଛନ୍ତି। ମହାପ୍ରଭୁଙ୍କ ମହାସ୍ନାନ ପରେ ପରେ ଭୋର ୪ଟା ୪୧ରେ ଶ୍ରଦ୍ଧାଳୁମାନେ ମାଘବୁଡ଼ ପକାଇ ସୂର୍ଯ୍ୟୋଦୟ ଦର୍ଶନ କରିଛନ୍ତି।  ଏହି ଅବସରରେ କୋଣାର୍କ ନିକଟସ୍ଥ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ଓ ବେଳାଭୂମିରେ ଲକ୍ଷାଧିକ ସଂଖ୍ୟକ ଶ୍ରଦ୍ଧାଳୁ ବୁଡ ପକାଇଛନ୍ତି। ପାରମ୍ପରିକ ରୀତି ମତେ ମାଧିପୁରର ତ୍ରିବେଣୀଶ୍ଵର, ସନ୍ଥପୁରର ଈଶାନେଶ୍ଵର ଏବଂ କୁରଜଙ୍ଗର ଦକ୍ଷିଣେଶ୍ଵର ମହାଦେବଙ୍କ ଚଳନ୍ତି ପ୍ରତିମାଙ୍କୁ ପୂର୍ବ ରାତିରେ ବିମାନକୁ ବିଜେ କରାଯିବା ପରେ ଭୋର ୩ଟା ୫୦ ମିନିଟ୍‍ ବେଳକୁ ଠାକୁରମାନଙ୍କୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ସ୍ନାନ କରାଯାଇଥିଲା। ଚନ୍ଦ୍ରଭାଗା ସ୍ନାନ ପରେ ମନ୍ଦିର ପରିକ୍ରମା ପରମ୍ପରା ରହିଥିବାରୁ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ କରାଯିବ ବୋଲି ସୂଚନା ମିଳିଛି । ଭିଡକୁ ଦୃଷ୍ଟିରେ ରଖି ୩୦ ପ୍ଲାଟୁନ୍‍ ପୋଲିସ ଫୋର୍ସଙ୍କୁ ମୂତୟନ କରାଯାଇଛି ବୋଲି ଏସ୍‍ପି କେ.ବିଶାଲ ସିଂହ କହିଛନ୍ତି । ସେପଟେ ବୁଡ ପକାଇବା ପରେ ଭକ୍ତ ଶ୍ରଦ୍ଧାଳୁମାନେ ଉଦୟମାନ ସୂର୍ଯ୍ୟଙ୍କୁ ଦର୍ଶନ କରି କୃତାର୍ଥ ମନେ କରିବା ସହ ନିଜର ମନବାଞ୍ଛା ଓ ମନସ୍କାମନା ପୂରଣ କରିଛନ୍ତି।ଗତକାଲି ଷଷ୍ଠୀ ସନ୍ଧ୍ୟାରେ ତିନି ଠାକୁର ତ୍ରିବେଣୀଶ୍ୱର, ଦକ୍ଷିଣେଶ୍ୱର ଏବଂ ଐଶାନେଶ୍ୱର ମହାପ୍ରଭୁ ପାରମ୍ପରିକ ଶୋଭାଯାତ୍ରାରେ ବାହାରି ଭୋଗ ଖାଇବା ସହ ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଞ୍ଚିଥିଲେ। ମହାପ୍ରଭୁଙ୍କ ମହାସ୍ନାନ ପରେ ପରେ ଭୋର ୪ଟା ୪୧ରେ ଶ୍ରଦ୍ଧାଳୁମାନେ ମାଘବୁଡ଼ ପକାଇ ସୂର୍ଯ୍ୟୋଦୟ ଦର୍ଶନ କରିଛନ୍ତି । ଏଥିପାଇଁ ଗତକାଲି ରାତିରୁ ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗା ମେଳା ପଡିଆରେ ଅସ୍ଥାୟୀ କୁଡିଆ କରି ରାତ୍ରି ଯାପନ କରିଥିଲେ। ଏଠାରେ ମାଟି ହାଣ୍ଡିରେ ରୋଷେଇ କରି ପିତୃପୁରୁଷଙ୍କୁ ପିଣ୍ଡଦାନ କରିଥିଲେ।  ବିଶ୍ବାସ ରହିଛି, ସୂର୍ଯ୍ୟଦେବ ଏହି ସପ୍ତମୀରେ ଜନ୍ମ ନେଇଥିଲେ। ଯେଉଁଥିପାଇଁ କୋଣାର୍କ ‘ସୂର୍ଯ୍ୟକ୍ଷେତ୍ର’ ବା ‘ଅର୍କକ୍ଷେତ୍ର’ ଭାବେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି।

Leave A Reply

Your email address will not be published.