Jai Odisha
News

ଆଜି ମେ’ ୧ ତାରିଖ , ବିଶ୍ୱ ଶ୍ରମିକ ଦିବସ

ଭୁବନେଶ୍ବର,୧ା୫ :ଆଜି ଶ୍ରମିକ ଦିବସ |ଦେଶରେ ମେ’ ୧ ତାରିଖରେ ପାଳିତ ହେଉଛି ବିଶ୍ୱ ଶ୍ରମିକ ଦିବସ। ଏହାକୁ ମେ’ ଦିବସ ବା ଆନ୍ତର୍ଜାତିକ ଶ୍ରମିକ ଦିବସ ଭାବେ ମଧ୍ୟ ପାଳନ କରାଯାଉଛି। ଉନବିଂଶ ଶତାବ୍ଦୀର ଶେଷଭାଗରେ ନିଜ ହକ୍‌ ପାଇଁ ଶିଳ୍ପପତିମାନଙ୍କ ଆକ୍ରୋଶର ଶିକାର ହୋଇଥିବା ଏବଂ ପ୍ରାଣ ହରାଇଥିବା ଶ୍ରମିକମାନଙ୍କ ସଂଘର୍ଷକୁ ଏହି ଦିବସ ମନେ ପକାଇ ଦେଉଛି।  ବିଶ୍ବର ଶତାଧିକ ରାଷ୍ଟ୍ରରେ ମେ ୧ ତାରିଖରେ ଶ୍ରମିକ ଦିବସ ପାଳନ କରାଯାଉଛି। ବର୍ତ୍ତମାନ ଦେଶରେ ଶ୍ରମିକମାନଙ୍କର ସ୍ଥିତି ଅତି ଦୟନୀୟ ହୋଇପଡ଼ିଛି। ଶ୍ରମିକମାନଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା କରାଯାଉଥିବା ସରକାର କହୁଥିଲେ ବି ତାହା ବାସ୍ତବ ନୁହେଁ। ଶ୍ରମିକମାନଙ୍କୁ ସର୍ବନିମ୍ନ ମଜୁରି ଦିଆଯାଉ ନ ଥିବାବେଳେ ସେମାନଙ୍କୁ ୧୨ଘଣ୍ଟା କାମ କରିବାକୁ ପଡ଼ୁଛି। ସେମାନଙ୍କୁ କୌଣସି ସାମାଜିକ ସୁରକ୍ଷା ଦିଆଯାଉ ନାହିଁ। ସବୁଠୁ ପ୍ରଥମେ ୧୮୮୨ରେ ଆମେରିକା ଓ କାନାଡାରେ ସେପ୍ଟେମ୍ବର ମାସରେ ଶ୍ରମିକ ଦିବସ ପାଳିତ ହେଲା। କିଛି ବର୍ଷ ପରେ ମେ ପହିଲାରେ ଏହି ଦିବସ ପାଳନର ନିଷ୍ପତ୍ତି ନିଆଗଲା। ଶ୍ରମିକମାନେ‌ ଆଠଘଣ୍ଟା କାର୍ଯ୍ୟ ସମୟ ଦାବି କରିବାରୁ ଏହା ଆନ୍ଦୋଳନର ରୂପ ନେଲା। ଆମେରିକାର ବାଲ୍ଟିମୋର ସହରରେ ୧୮୬୬ ମସିହା ଅଗଷ୍ଟ ୨୦ ତାରିଖରେ ଷାଠିଏଟି ସଂଘର ପ୍ରତିନିଧିମାନେ ଏକତ୍ରିତ ହୋଇ ଆଠଘଣ୍ଟା କାର୍ଯ୍ୟ ଆଇନ ପ୍ରଣୟନ ପାଇଁ ପ୍ରସ୍ତାବ ଗୃହୀତ କରିଥଲେ। ୧୮୬୮ରେ ଯୁକ୍ତରାଷ୍ଟ୍ର ଆମେରିକାର କଂଗ୍ରେସ ଆଠଘଣ୍ଟା ଶ୍ରମଦିବସକୁ ଗ୍ରହଣ କରିଥଲା। ୧୯୨୩ରେ ତତ୍କାଳୀନ ମାଡ୍ରାସରେ ‘ଲେବର୍ କିସାନ ଅଫ୍ ପାର୍ଟି’ ପକ୍ଷରୁ ଭାରତରେ ପ୍ରଥମଥର ପାଇଁ ଶ୍ରମିକ ଦିବସ ପାଳିତ ହେଲା।ସରକାରଙ୍କ ଆଇନ ମୁତାବକ ୧୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ନିର୍ମାଣ କାମ ହେଲେ ତା’ର ୧ ପ୍ରତିଶତ ସେସ୍‌ ଭାବେ ଶ୍ରମ କମିସନ ଅଧୀନରେ ଥିବା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡକୁ ଯାଏ। ଏହି ଅର୍ଥରେ ଶ୍ରମିକମାନଙ୍କ ଝିଅ ବାହାଘର, ଛାତ୍ରବୃତ୍ତିଠୁ ନେଇ ଗୁରୁତର ଚିକିତ୍ସା ପାଇଁ ପ୍ରଦାନ କରାଯିବାର ନିୟମ ରହିଛି। ସହାୟତା ମିଳୁଛି ମଧ୍ୟ। ଅଥଚ ଅଧିକାଂଶ ନିର୍ମାଣ ଶ୍ରମିକ ସଚେତନତା ଅଭାବରୁ ଏହାର ସୁଯୋଗ ନେଇପାରୁନାହାନ୍ତି। ନିର୍ମାଣ ଶ୍ରମିକଙ୍କର ନିର୍ମାଣ ବେ‌ଳେ ମୃତ୍ୟୁ ହେଲେ ୨ଲକ୍ଷ ୫୦ ହଜାର ଟଙ୍କାର ସହାୟତା ରାଶି ଦେବାର ବନ୍ଦୋବସ୍ତ କରାଯାଇଛି, କିନ୍ତୁ କେହି ନିର୍ମାଣ କାମ କରୁଥିବା ବେଳେ ଭିନ୍ନକ୍ଷମ ହୋଇଗଲେ ସେମାନଙ୍କ ପାଇଁ ଟଙ୍କାଟିଏ ସହାୟତାର ବ୍ୟବସ୍ଥା କରାଯାଇନାହିଁ। ୧୯୯୬ ବିଲ୍‌ଡିଂ ଆଣ୍ଡ୍‌ ଅଦର କନ୍‌ଷ୍ଟ୍ରକ୍ସନ ୱାର୍କର୍ସ ଆକ୍ଟକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିଲେ ହେଁ ଶ୍ରମିକଙ୍କ ପାଇଁ ସରକାରଙ୍କର ଦରଦ ନାହିଁ।

Leave A Reply

Your email address will not be published.