Jai Odisha
News

ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ କୃଷ୍ଣ ବଳରାମ ବେଶ

ପୁରୀ ୨୫।୦୮: ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି। ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହେବ । ଦ୍ୱିପ୍ରହର ଧୂପପରେ ଠାକୁରଙ୍କୁ ଏହି ବେଶ କରାଯିବ। ଶ୍ରୀବଳଭଦ୍ରଙ୍କୁ ବଳରାମ ଓ ଶ୍ରୀଜଗନ୍ନାଥଙ୍କୁ ଶ୍ରୀକୃଷ୍ଣଙ୍କ ବେଶରେ ସୁଶୋଭିତ କରାଯିବ ।  ଏହି ବେଶରେ ଉଭୟ କୃଷ୍ଣ ଅର୍ଥାତ ମହାପ୍ରଭୁ ଜଗନ୍ନାଥ ଏବଂ ବଳରାମ ଅର୍ଥାତ ପ୍ରଭୁ ବଳଭଦ୍ର କାଠ ତିଆରି ୨ଟି ଗୋଡ଼ ଛନ୍ଦି ଛନ୍ଦପୟର ମୁଦ୍ରାରେ ରହିଥାନ୍ତି। ଜଗନ୍ନାଥଙ୍କ ଗୋଟିଏ ହାତରେ ସୁବର୍ଣ୍ଣ ବଂଶୀ ଓ ଅନ୍ୟ ହସ୍ତରେ ପଦ୍ମ ଫୁଲ ଥାଏ।ଶ୍ରୀଜଗନ୍ନାଥ ଶ୍ରୀବଳଭଦ୍ର ଉଭୟ ଛନ୍ଦଯୁକ୍ତ ପାଦରେ ଦୁଇ ବାହୁ ପ୍ରସାର କରି ଦଣ୍ଡାୟମାନ ହୋଇଥିବେ । ସୁବାସିତ ପୁଷ୍ପଅଳଙ୍କାର ଖଚିତ ବଡ଼ କିରିଟୀ ଠାକୁରଙ୍କ ଶ୍ରୀମସ୍ତକରେ ଲାଗି ହେବ । ଶ୍ରୀବିଗ୍ରହଙ୍କ ନିକଟରେ ଦେବକୀ, ବସୁଦେବ, ନନ୍ଦ ଓ ଯଶୋଦାଙ୍କ ପିତୁଳା ରଖାଯିବ । କୃଷ୍ଣ ବଳରାମ ବେଶରେ ଠାକୁରଙ୍କ ସୌନ୍ଦର୍ଯ୍ୟ ଭକ୍ତଙ୍କୁ ବିଭୋର କରିଦିଏ । ସେହିପରି ବଳରାମଙ୍କ ଡାହାଣ ହାତରେ ଶିଘାଂ ଓ ବାମ ହସ୍ତରେ ପଦ୍ମ ଫୁଲ ଥାଏ। କିରୀଟ ଉପରେ ସପ୍ତଫେଣିଆ ସର୍ପ ମଧ୍ୟ ବିରାଜମାନ କରିଥାନ୍ତି । ଏହି ବେଶରେ ଜଗନ୍ନାଥ ଓ ବଳଭଦ୍ର ଗୋଟିଏ ଗୋଟିଏ ପାଗ ପିନ୍ଧିଥିବା ବେଳେ ଏହି ପାଗଦ୍ୱୟ କିରୀଟଯୁକ୍ତ ହୋଇଥାଏ। ରତ୍ନ ସିଂହାସନ ଉପରେ ଖଞ୍ଜା ଯାଇଥିବା ଏକ କ୍ଷୁଦ୍ର କାଠ ନିର୍ମିତ ତଥା ଜରି ଜମ୍ୱୁରାରେ ଆଛାଦିତ ସିଂହାସନରେ ଚକାମୁଣ୍ତି ପକାଇ ପ୍ରଭୁ ପଦ୍ମାସନରେ ଉପନିବଶ କରନ୍ତି। ବାଙ୍କଚୂଳ କିରୀଟ ଉପରେ ପତ୍ରଲଗା କଦମ୍ୱ ଫୁଲ ଶୋଭାପାଇଥାଏ।

Leave A Reply

Your email address will not be published.