Jai Odisha
News

ଆଜି ଶ୍ରୀମନ୍ଦିରରେ ସପ୍ତପୁରୀ ଅମାବାସ୍ୟା ,ମହାପ୍ରଭୁଙ୍କ ବିଶେଷ ନୀତି ସମ୍ପନ୍ନ

ପୁରୀ,୨୭/୦୮: ଆଜି ଶ୍ରୀମନ୍ଦିରରେ ସପ୍ତପୁରୀ ଅମାବାସ୍ୟା ।  ପାରମ୍ପରିକ ପଟୁଆରରେ କୁମ୍ଭାରପଡ଼ାରୁ ଆସିଥିଲା ସ୍ୱତନ୍ତ୍ର ତାଡ଼ । ସପ୍ତପୁରୀ ଅମାବାସ୍ୟାରେ ମହାପ୍ରଭୁଙ୍କ ସକାଳ ଧୂପ ସରିଲେ ବିଶେଷ ନୀତି ସମ୍ପନ୍ନ ହେବ । ଏଥିସହ ଅମାବାସ୍ୟାରେ ଶ୍ରୀଜଗନ୍ନାଥଙ୍କ ବିଜେ ପ୍ରତିମା ଶ୍ରୀନାରାୟଣ ମହାପ୍ରଭୁ ସାଗର ବିଜେ କରିବେ । ଏହି ଅବସରରେ ଅନୁଷ୍ଠିତ ହେବ ବସ୍ତ୍ରହରଣ ନୀତି । ଶୁକ୍ରବାର ଅଲାମଚଣ୍ଡୀ ଠାକୁରାଣୀଙ୍କ ନିକଟରୁ ସାତପୁରୀ ତାଡ଼ ଆସିଥିଲା । ଘଣ୍ଟ ଘଣ୍ଟା କାହାଳୀ ଓ ଓହ୍ଲାରର ପଟୁଆରରେ ବଡ଼ଦାଣ୍ଡ ହୋଇ ତାଡ଼ ଶ୍ରୀମନ୍ଦିରରେ ପହଞ୍ଚିଥିଲା । ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଭ୍ରମଣ କରିଥିଲା ପଟୁଆର । ପରେ ଅଚିନ୍ତା ପହଣ୍ଡ ରୋଷ ବେହେରଣରେ ରଖାଯାଇଥିଲା । ସନ୍ଧ୍ୟା ଧୂପ ସରିବା ପରେ ପୂଜାପଣ୍ଡା ସାମନ୍ତ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଘଣ୍ଟ, ଛତା, କାହାଳୀ ବାଜି ଦକ୍ଷିଣକାଳୀ ଠାକୁରାଣୀଙ୍କ ମନ୍ଦିରକୁ ଯାଇଥିଲେ । ଦକ୍ଷିଣକାଳୀଙ୍କ ସେବକ ପୂଜାପଣ୍ଡାଙ୍କ ଠାରୁ ଆଜ୍ଞାମାଳ ଘେନି ସିଂହଦ୍ୱାର ଦେଇ ଅଚିନ୍ତା ପହଣ୍ଡ ଦେଇ ରୋଷଘର ବାହାରପାଶେ ଆଜ୍ଞାମାଳ ରୋଷ ଆଡ଼େ ଦେଇଥିଲେ । ଶନିବାର ଠାକୁରଙ୍କ ଅବକାଶ ନୀତି ସରିବା ପରେ ତିନି ବାଡ଼ରେ ବେଶ ଅନୁଷ୍ଠିତ ହେବ । ଗମ୍ଭୀରାରେ ପାଣି ପଡ଼ି ଟେରାବନ୍ଧା ଯିବା ପରେ ସକାଳ ଧୂପ ସହ ସାତପୁରୀ ଭୋଗ ତାଡ଼ ରୋଷରୁ ଘଣ୍ଟ, ଛତା, କାହାଳୀ ସହକାରେ ଶ୍ରୀଛାମୁରେ ପହଞ୍ଚିବ । ମୁଦିରସ୍ତ ପ୍ରସାଦ ଲାଗି କରିବା ପରେ ପୂଜାପଣ୍ଡା ସାଆନ୍ତେ ଷୋଡ଼ଶ ଉପଚାରରେ ଉକ୍ତ ଭୋଗକୁ ମଣୋହୀ କରିବେ । ଏହାପରେ ଆଳତି ବଢି ପୂଜାପଣ୍ଡା ସାଆନ୍ତେ, ପତିମହାପାତ୍ର, ମୁଦିରସ୍ତ ସେବକ ତିନିବାଡ଼ରେ ବନ୍ଦାପନା କରିବେ । ଏଥିସହ ବସ୍ତ୍ରହରଣ ପ୍ରସ୍ତାବ ଅନୁଷ୍ଠିତ ହେବ । ସନ୍ଧ୍ୟାଧୂପ ସରିଲେ ଏହି ସ୍ୱତନ୍ତ୍ର ନୀତି ସମ୍ପନ୍ନ ହେବ ।

Leave A Reply

Your email address will not be published.