Jai Odisha
News

ଆଜି ସାବିତ୍ରୀ ଅମାବାସ୍ୟା,ମନ୍ଦିର ମାନଙ୍କରେ ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର,୧୯।୫:  ଆଜି  ପବିତ୍ର ସାବିତ୍ରୀ ଅମାବାସ୍ୟା । ଭାରତୀୟ ପରମ୍ପରା ଅନୁସାରେ ପ୍ରତ୍ୟେକ ସଧବା ମହିଳାମାନେ ଏହି ବ୍ରତକୁ ପାଳନ କରିଥାନ୍ତି । ସାବିତ୍ରୀ ସାଧ୍ୱୀ ନାରୀଙ୍କର ଆଦର୍ଶ; ତେଣୁ ଏହା ନିଜ ପତିଙ୍କର ଦୀର୍ଘ ଆୟୁଷ ନିମନ୍ତେ ମଙ୍ଗଳ ମନାସି, ସଧବା ସ୍ତ୍ରୀମାନେ ସାବିତ୍ରୀଙ୍କ ପରି ଆଜୀବନ ସଧବା ହେବା ପାଇଁ, ଏ ଓଷା ପାଳନ କରିଥାନ୍ତି। ଜ୍ୟୈଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ କରାଯାଇଥାଏ । ଏ ଦିନ ସଧବା ସ୍ତ୍ରୀଲୋକମାନେ ଉପବାସ କରନ୍ତି, ଅନ୍ନ ଗ୍ରହଣ କରନ୍ତି ନାହିଁ ଓ ଅପରାହ୍ଣରେ ପୂଜା ଶେଷ ହେଲେ (ଧୂଆମୁଗ, ନଡ଼ିଆ, କଦଳୀ (ରମ୍ଭା), ଆମ୍ବ, ପଣସ, ସପୁରୀ, ତାଳସଜ ଆଦି) ଫଳାହାର କରନ୍ତି । ଏଥିପାଇଁ ଚଉଁରା ମୂଳେ ବା ଠାକୁର ଘରେ ବ୍ରତୋତ୍ସବ ପାଳନ ବେଳେ ସାବିତ୍ରୀ ଉପାଖ୍ୟାନ ପାଠ କରାଯାଏ । ବାସ୍ତବରେ ଏ ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା’ ସାବିତ୍ରୀ । ସାବିତ୍ରୀ ବ୍ରହ୍ମାଙ୍କ ପତ୍ନୀ, ଗାୟତ୍ରୀ, ସୂର୍ଯ୍ୟାଧିଷ୍ଠାତ୍ରୀ ଦେବୀ । ଦେବୀ ସାବିତ୍ରୀଙ୍କ ମାନବୀ ସାବିତ୍ରୀଙ୍କ ପ୍ରତି ଆଶୀର୍ବାଦ ଓ କରୁଣା କିପରି ସତ୍ୟବାନଙ୍କୁ ମୃତ୍ୟୁକବଳରୁ ଫେରାଇ ଆଣିଲା, ତାହାକୁ ଆଧାର କରି ମା’ ସାବିତ୍ରୀଙ୍କୁ ମହିମାନ୍ୱିତ କରାଯାଇଥାଏ ।    ଆଜି ହେଉଛି ସଧବା ହିନ୍ଦୁ ନାରୀଙ୍କ ଲାଗି ସବୁଠାରୁ ବଡ଼ ପର୍ବ ସାବିତ୍ରୀ ଓଷା। ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି ହିନ୍ଦୁ ସଧବା ମହିଳା।ଆଜି ରାଜ୍ୟର ସବୁଠି ସଧବା ମହିଳାମାନେ ମହାସତୀ ସାବିତ୍ରୀଙ୍କ ପତିଭକ୍ତିକୁ ମନେ ପକାଇ ପୂଜାର୍ଚ୍ଚନା କରୁଛନ୍ତି। ଏହି କାରଣରୁ ବିଭିନ୍ନ ମନ୍ଦିରରେ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି ।  ସାବିତ୍ରୀ ବ୍ରତଧାରୀ ମହିଳା ମାନେ ନୂଆ ଶାଢ଼ି, ଚୁଡ଼ି, ଫଳମୂଳ ଓ ପୂଜା ସାମଗ୍ରୀ ଧରି ମନ୍ଦିରକୁ ପୂଜା କରିବାକୁ ଯାଇଥାନ୍ତି। ସାବିତ୍ରୀ ବ୍ରତ ନେଇ ବିଭିନ୍ନ ମନ୍ଦିର ମାନଙ୍କରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ପୂଜା ବଜାରରେ ମଧ୍ୟ ଭିଡ ପରିଲିକ୍ଷିତ ହେଉଛି।

Leave A Reply

Your email address will not be published.