Jai Odisha
News

ଆଜି ହେଉଛି ପବିତ୍ର ଶାମ୍ବ ଦଶମୀ , ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ଼

ଭୁବନେଶ୍ବର,୧ା୧:  ଆଜି ପବିତ୍ର ଶାମ୍ବ ଦଶମୀ  । ପୌଷମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଶାମ୍ବ ଦଶମୀ ପାଳନ କରାଯାଏ । ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟଙ୍କର ପର୍ବ । ସେହିପରି ଶାମ୍ବ ଦଶମୀକୁ ଚାନ୍ଦ୍ରମାନ ବର୍ଷର ଶେଷ ପର୍ବ ବୋଲି ମଧ୍ୟ କୁହାଯାଏ ।  ଏହି ଦିନରେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରାଯିବା ସହ ବିଭିନ୍ନ ପ୍ରକାର ଫୁଲ, ଫଳ, ପନିପରିବା, ଘାଣ୍ଟ ଆଦି ସୂର୍ଯ୍ୟ ଦେବତାଙ୍କୁ ସମର୍ପିତ କରାଯାଇଥାଏ । ଏହାପରେ ଏହାକୁ ଛୋଟ ଛୋଟ ପିଲାଙ୍କୁ ଖାଇବାକୁ ଦିଆଯାଇଥାଏ । ତେବେ କୁହାଯାଏ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଅଭିଶାପଗ୍ରସ୍ତ ହୋଇ କୁଷ୍ଠ ରୋଗରେ ପିଡିତ ହୋଇଥିଲେ । ଏହାପରେ ସେ ଏହି ରୋଗେରୁ ମୁକ୍ତି ପାଇବା ପାଇଁ ଋଷି ଗର୍ଗଙ୍କ ପରାମର୍ଶ କ୍ରମେ ସୂର୍ଯ୍ୟଙ୍କୁ ପୂଜା କରିଥିଲେ । ଫଳରେ ଶାମ୍ବ କୁଷ୍ଠ ରୋଗରୁ ଆରୋଗ୍ୟ ଲାଭ କରିଥିଲେ । ଫଳରେ ସେବେଠାରୁ ଏହି ଶାମ୍ବଦଶମୀ ବ୍ରତ ପାଳନ କରାଯାଉଛି ।କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ଶାମ୍ବଦଶମୀ ଅବସରରେ ରବିବାର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକଙ୍କ ନିମନ୍ତେ ପ୍ରବେଶ ଫି ଛାଡ଼ କରାଯାଇଛି। କୋଣାର୍କ ସୁରକ୍ଷା ସମିତିର ପୂର୍ବତନ ରାଜ୍ୟ ଆବାହକ ସ୍ବର୍ଗତ ଅଧ୍ୟାପକ ସୁରେନ୍ଦ୍ର ନାଥ ମିଶ୍ର ଓ ସମିତିର ସ୍ବର୍ଗତ ସଭାପତି ବାଦଲ ଦାଶଙ୍କ ଆନ୍ଦୋଳନ ଯୋଗୁ ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରତିବର୍ଷ ଶାମ୍ବଦଶମୀ ଅବସରରେ ପର୍ଯ୍ୟଟକଙ୍କ ନିମନ୍ତେ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ମୁକ୍ତ କରାଯାଇଛି। ରବିବାର ଶାମ୍ବଦଶମୀ ଅବସରରେ ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କ ଷ୍ଟାଣ୍ଡିଂ ସରକାରୀ ନିର୍ଦ୍ଦେଶନାମା ମୁତାବକ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ପର୍ଯ୍ୟଟକଙ୍କ ନିମନ୍ତେ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି। ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା ସହ ଏହାର କଳାକୃତିକୁ ବୁଲି ଦେଖିପାରିବେ ବୋଲି ସୁରକ୍ଷା ସମିତିର ସମ୍ପାଦକ ରାମକୃଷ୍ଣ ମହାନ୍ତି କହିଛନ୍ତି। ଏଥିସହ ଚଳିତ ବର୍ଷ କୋଣାର୍କ ସୌର ମହାଯଜ୍ଞ କମିଟି ଆନୁକୂଲ୍ୟରେ ତ୍ରିଦିବସୀୟ ସୌର ମହାଯଜ୍ଞ ଆରମ୍ଭ ହୋଇଛି। ସୂର୍ଯ୍ୟ ନାରାୟଣଙ୍କ ଜନ୍ମସ୍ଥାନ ମୈତ୍ରୀୟ ବନ ତଥା ଅଧୁନା ଅନନ୍ତ ଅବଧୂତ ମଠ ପ୍ରାଙ୍ଗଣରୁ ସୂର୍ଯ୍ୟରଥ କୋଣାର୍କ ପରିକ୍ରମା କରିବା ସହ ଶ୍ରଦ୍ଧାଳୁ ସୂର୍ଯ୍ୟରଥକୁ ଟାଣି ଚନ୍ଦ୍ରଭାଗା ତୀର୍ଥ ଅଭିମୁଖେ ଯାତ୍ରା କରିବେ। ଅନନ୍ତ ଅବଧୂତ ମଠର ମଠାଧିଶ ବାବା ଅବଧୂତ ଆଦିତ୍ୟ ଚରଣ ଦାସ ଏହି ପରମ୍ପରାକୁ ବଜାୟ ରଖିଛନ୍ତି। ଏହି ସୂର୍ଯ୍ୟ ରଥ ଚନ୍ଦ୍ରଭାଗା ଅଭିମୁଖେ ଯାତ୍ରା କରି ଦୀର୍ଘ ୨୭ଦିନ ଛୋଟାରାମ ଦାସଙ୍କ ଆଶ୍ରମରେ ଅବସ୍ଥାନ କରିବା ସହ ସେଠାରେ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା କରାଯିବ ବୋଲି ମଠାଧିଶ ଦାସ କହିଛନ୍ତି। ମାଘ ସପ୍ତମୀ ଦିନ ଏହି ସୂର୍ଯ୍ୟ ରଥ ମୈତ୍ରୀୟ ବନ ତଥା ଅନନ୍ତ ଅବଧୂତ ମଠକୁ ପ୍ରତ୍ୟାବର୍ତ୍ତନ କରିବେ। ଶାମ୍ବଦଶମୀରେ ଏହି ସୂର୍ଯ୍ୟରଥ ଚନ୍ଦ୍ରଭାଗା ଅଭିମୁଖେ ଯାତ୍ରା କରିବା ପୂର୍ବରୁ ଅନନ୍ତ ଅବଧୂତ ମଠରେ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା କାର୍ଯ୍ୟ ଅବ୍ୟାହତ ରହିଛି।

Leave A Reply

Your email address will not be published.