Jai Odisha
News

ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

ଯୋରନ୍ଦା,୫।୨ : ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମାଗାଦିରେ ୧୫୦ ତମ ପ୍ରଭୁ ପୂର୍ଣିମା ଉତ୍ସବ ବା ଯୋରନ୍ଦାମେଳା ଆଜିଠାରୁ ଆରମ୍ଭ ହୋଇଛି। ପ୍ରତିବର୍ଷ ମାଘ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶିରୁ ମେଳା ଆରମ୍ଭ ହୋଇ ପ୍ରତିପଦା ପର୍ଯ୍ୟନ୍ତ ଚାଲିଥାଏ ।ଶନିବାର ଦିନ ପବିତ୍ର ମାଘ ଚତୁର୍ଦ୍ଦଶୀ ଅବସରରେ ବ୍ରାହ୍ମ ମୁହୂର୍ତ୍ତ ସାଢ଼େ ୩ଟାରେ ଗାଦି ମନ୍ଦିର, ଶୂନ୍ୟ ମନ୍ଦିର, ଧୁନି ମନ୍ଦିର, ଅଖଣ୍ଡ ଜ୍ୟୋତିମନ୍ଦିର ଓ ଅନ୍ୟାନ୍ୟ ଉପାସନା ପୀଠରେ ନୀତି ଆରମ୍ଭ ହୋଇଥିଲା।ସନ୍ଧ୍ୟା ନୀତି ଅପରାହ୍‌ଣ ୩ଟା ବେଳେ ଆରମ୍ଭ ହୋଇଥିଲା। ସନ୍ଧ୍ୟା ୫ଟା ୧୭ ମିନିଟ୍‌ରେ ଗାଦି ମନ୍ଦିର ପଶ୍ଚିମପାର୍ଶ୍ବ ଝାଡ଼ରେ ବଳ୍କଳଧାରୀ ମହିମା ସମାଜ ସଭାପତି ଶୁକଦେବ ବାବା ଅଗ୍ନି ସଂଯୋଗ କରି ୧୫୦ ତମ ମହିମା ମେଳାର ଶୁଭାରମ୍ଭ କରିଥିଲେ। ପରେ ଦକ୍ଷିଣ ଦ୍ୱାର, ପୂର୍ବଦ୍ୱାର ଓ ଉତ୍ତର ଦ୍ବାରରେ ଝାଡ଼ରେ ଅଗ୍ନି ସଂଯୋଗ ହୋଇଥିଲା। ୨ ବର୍ଷ ପରେ କୋଭିଡ କଟକଣା ହଟିଥିବାରୁ ପୁଣି ଆରମ୍ଭ ହୋଇଛି ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା । ମେଳାକୁ ୧୫୦ ବର୍ଷ ପୁରିଥିବାରୁ ସମସ୍ତଙ୍କ ମନରେ ଉତ୍ସାହ ।  ମହିମା ଧର୍ମର ଆଦି ଗୁରୁ ମହିମା ସ୍ବାମୀ ଏହି ଗାଦିରେ ହିଁ ଦେହ ତ୍ୟାଗ କରିଥିଲେ । ଆଜି ଢେଙ୍କାନାଳ ଗସ୍ତରେ ଆସି ମହିମା ଧାମ ପରିଦର୍ଶନ କରିବେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ମହିମା ସାଧୁସନ୍ଥଙ୍କ ସହ କିଛି ସମୟ ବିତାଇବେ କେନ୍ଦ୍ରମନ୍ତ୍ରୀ ।   ମେଳାରେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପୋଲିସ ମୁତୟନ ସହ ଖୋଦ ଜିଲ୍ଲାପାଳ ଓ ଏସପି ମଧ୍ୟ ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି ।

Leave A Reply

Your email address will not be published.