Jai Odisha
News

ଆସନ୍ତାକାଲିରୁ ରାଜ୍ୟର ଅଧିକାଂଶ ଜିଲାରେ ଝଡ଼ବର୍ଷା,୨୦ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୪ା୫ : ଆସନ୍ତାକାଲି ରୁ ରାଜ୍ୟର ଅଧିକାଂଶ ଜିଲାରେ ଝଡ଼ବର୍ଷା ହେବା ସହ କିଛି ସ୍ଥାନରେ କୁଆପଥର ମାଡ଼ ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି। ଓଡ଼ିଶା ଉପକୂଳ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୬ ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପରବର୍ତ୍ତୀ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପ ଓ ପରେ ଅବପାତରେ ପରିଣତ ହେବ।ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ରର ନିର୍ଦ୍ଦେଶକ ଏଚ. ଆର. ବିଶ୍ୱାସ ଏସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ଏହି ଘୂର୍ଣ୍ଣିବଳୟଟି ୭ରେ ଲଘୁଚାପ ଓ ୮ରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ୯ ତାରିଖ ବେଳକୁ ଏହା ବାତ୍ୟା ରୂପ ନେଇପାରେ। ତେବେ, ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ଏହାର ତୀବ୍ରତା, ଗତିପଥ ସଂପର୍କରେ ଜଣାପଡିବ।ବର୍ତ୍ତମାନର ଆକଳନ ଅନୁସାରେ ବାତ୍ୟାର ଗତିପଥ କେନ୍ଦ୍ରୀୟ ବାଙ୍ଗୋପସାଗର ଦେଇ ମିଆଁମାର ଆଡକୁ ଯିବାର ସମ୍ଭାବନା ରହିଥିବା ବେଳେ ୭ ତାରିଖ ଠାରୁ ଆଣ୍ଡାମାନ ନିକୋବର ପାଇଁ ରହିଛି ସତର୍କ ସୂଚନା। କାରଣ ସେହି ସମୟରେ ପବନର ବେଗ ତୀବ୍ର ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଥିବାରୁ ସେହି ସମୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରିବା ସହ ସେହି ସମୟରେ ଆଣ୍ଡାମାନ ନିକୋବରକୁ କୌଣସି ପର୍ଯ୍ୟଟକ ବୁଲାବୁଲି ଉଦ୍ଦେଶ୍ୟରେ ନ ଯିବାକୁ ପରାମର୍ଶ ଦେଇଛି ବୋଲି କହିଛନ୍ତି ଶ୍ରୀ ବିଶ୍ୱାସ।ରାଜ୍ୟର ବାଲେଶ୍ୱର,ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବା ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏସବୁ ଜିଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏହି ସମୟ ମଧ୍ୟରେ ଘରୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.