Jai Odisha
News

ଆସନ୍ତାକାଲି ଓଡିଶା ଆସୁଛନ୍ତି ଜେ.ପି ନଡ୍ଡା

ଖୋର୍ଦ୍ଧା,୨୭।୧୨ : ଆସନ୍ତାକାଲି ଓଡିଶା ଆସୁଛନ୍ତି ଜେ.ପି ନଡ୍ଡା|  ବିଜେପି ରାଷ୍ଟ୍ରୀୟ ସଭାପତିଙ୍କ ସଭା ପାଇଁ ମଞ୍ଚ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ବୁଧବାର ବିଶାଳ ଜନସଭାରେ ପୁରୀ ଲୋକସଭା ଆସନର 15 ହଜାରରୁ ଅଧିକ ବିଜେପି କର୍ମୀ ଓ ନେତାଙ୍କୁ ସମ୍ବୋଧନ କରିବେ ନଡ୍ଡା । 2019ରେ ବିଜେପି ହାତକୁ ଆସୁଆସୁ ଅଳ୍ପକେ ରହିଯାଇଥିଲା ପୁରୀ ଲୋକସଭା ଆସନ । 2024ରେ ଏଠାରେ ବିଜୟକୁ ପକ୍କା କରିବା ସହ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ 7 ବିଧାନସଭା ଆସନରେ ପଦ୍ମ ଫୁଟାଇବା ପାଇଁ କ୍ଷେତ୍ର ପ୍ରସ୍ତୁତ କରିବେ ଜେପି ନଡ୍ଡା। ଏଥିସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଜନସଭାକୁ କରିବେ ସମ୍ବୋଧନ। ବାଣପୁର ପୂର୍ବରୁ କନ୍ଧମାଳ ଗସ୍ତରେ ଯିବେ ବିଜେପି ରାଷ୍ଟ୍ରୀୟ ସଭାପତି। ତୁମୁଡ଼ିବନ୍ଧର ଶଙ୍କରାଚାର୍ଯ୍ୟ ଗୁରୁକୁଳ କନ୍ୟାଶ୍ରମରେ ଏକ ଭବ୍ୟ ଛାତ୍ରୀ ନିବାସର ଉଦଘାଟନ କରିବେ ଜେ.ପି ନଡ୍ଡା। ଏଠାରେ ବି ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାକୁ ନେଇ ଉତ୍ସାହିତ କନ୍ୟାଶ୍ରମର ଅନ୍ତେବାସୀନୀ। ଆସନ୍ତାକାଲିର କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତିରେ ଲାଗିଛନ୍ତି ସମସ୍ତେ। ବାଣପୁରରେ ସାଧାରଣ ସଭା ପରେ ସେଠାକାର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ଦର୍ଶନ କରିବେ ବିଜେପି ରାଷ୍ଟ୍ରୀୟ ସଭାପତି । ଏହାପରେ ନାଚୁଣୀ ସ୍ଥିତ ପୂର୍ବତନ ବିଧାୟକ ବିଭୂତି ଭୂଷଣ ହରିଚନ୍ଦନଙ୍କ ବାସଭବନରେ ଏକ ଚା ପାର୍ଟିରେ ଯୋଗଦେବେ। ଶେଷରେ ନାଚୁଣୀ ରେ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀର ସମସ୍ତ ବିଜେପି କର୍ମକର୍ତ୍ତାଙ୍କ ସହ ଏକ ବୈଠକରେ ଯୋଗଦେଇ ଦିଲ୍ଲୀ ଫେରିଯିବେ ଜେ.ପି ନଡ୍ଡା।

Leave A Reply

Your email address will not be published.