Jai Odisha
News

ଆସୁଛି ବାତ୍ୟା ? ୬ରେ ଘୂର୍ଣ୍ଣିବଳୟ, ୪୮ ଘଣ୍ଟା ପରେ ଲଘୁଚାପ

ଭୁବନେଶ୍ୱର,୩।୫: ଆସନ୍ତା ୬ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଏନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ୪୮ ଘଣ୍ଟା ଭିତରେ ଏହା ଲଘୁଚାପର ରୂପ ନେଇ ଘନୀଭୂତ ହେବା ସହ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଏପରିକି ଏହା ଅବପାତର ରୂପ ନେଲେ ମଧ୍ୟ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ କି ନାହିଁ ସେ ନେଇ କିଛି ନିର୍ଦ୍ଦିଷ୍ଟ ସୂଚନା ମିଳିପାରି ନାହିଁ ।  ଆସନ୍ତା ୬ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ପ୍ରଥମେ ଘୂର୍ଣ୍ଣିବଳୟ ଓ ପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । କିନ୍ତୁ ବାତ୍ୟା ହେବ ନା ନାହିଁ, ସେନେଇ କୌଣସି ସ୍ପଷ୍ଟତା ନଥିଲେ ବି କିଛି ନିର୍ଦ୍ଧିଷ୍ଟ ମଡେଲ୍ ଏବଂ ବିଶେଷଜ୍ଞଙ୍କ ଆକଳନ ବାତ୍ୟା ଆଡ଼କୁ ଇଙ୍ଗିତ କରୁଛି । ଆଉ ସେଭଳି ସମ୍ଭାବ୍ୟ ସ୍ଥିତିକୁ ନେଇ ରାଜ୍ୟ ସରକାର ବି ଆରମ୍ଭ କରିଦେଇଛନ୍ତି ପ୍ରାକ୍ ପ୍ରସ୍ତୁତି ।ବି  ତେବେ ଏହାର ଗତିପଥ କୁଆଡ଼କୁ ରହିବ ତାହା ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ସ୍ପଷ୍ଟ ହେବ । ଅନ୍ୟପକ୍ଷରେ କାଳବୈଶାଖୀ ନେଇ ୪ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି । ଏହିସବୁ ଜିଲ୍ଲାରେ ଝଡ଼ ପବନ ସହ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏପରିକି ୩୦ରୁ ୪୦ କି.ମି ବେଗରେ ପବନ ବୋହିବା ନେଇ ମଧ୍ୟ ଆକଳନ କରାଯାଇଛି । ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ କହିଛନ୍ତି ଯେ ଆମେ ଆଇଏମ୍ଡି ଡିଜିଙ୍କ ସହ ସମ୍ପର୍କରେ ରହିଛୁ । ରାଜ୍ୟ ସରକାର ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଥିବା ସେ ସୂଚନା ଦେଇଛନ୍ତି । ମେ ପହିଲାରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ତେଣୁ ଜନସାଧାରଣ ଭୟଭୀତ ହେବାର କାରଣ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ବାତ୍ୟା ନେଇ ସଠିକ ସୂଚନା ମିଳିନଥିଲେ ମଧ୍ୟ ଏନଡିଆରଏଫ୍ ଏବଂ ଓଡ୍ରାଫ୍ ଟିମକୁ ସଜାଗ ରଖାଯାଇଥିବା ସେ କହିଛନ୍ତି ।ସେହିପରି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଲଘୁଚାପ ସୃଷ୍ଟି ନେଇ ପାଗ ଅନୁକୂଳ ଥିବା ବେଳେ ତାହା ବାତ୍ୟାରେ ପରିଣତ ହେବ କି ନାହିଁ ସେ ନେଇ ସ୍ପଷ୍ଟ ସୂଚନା ନାହିଁ । ତେବେ ସିଷ୍ଟମ ଉପରେ ନଜର ରଖାଯାଇଥିବା ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଗତ ୪ ବର୍ଷ ଧରି ଲଗାତାର ମେ ମାସରେ ବାତ୍ୟା ତାଣ୍ଡବ ରଚିଛି । ସବୁଠାରୁ ଭୟଙ୍କର ବାତ୍ୟା ଫନି ଓଡ଼ିଶା ଉପକୂଳକୁ ଛାରଖାର କରି ଦେଇଥିଲା । ସେହିପରି ମେ ମାସରେ ଅମ୍ପନ, ୟାସ ଓ ଆସାନି ମଧ୍ୟ ସ୍ଥଳଭାଗ ଛୁଇଁଥିଲା ।

Leave A Reply

Your email address will not be published.