Jai Odisha
News

ଆସୁଛି ୨ଟି ଲଘୁଚାପ,ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର, ୧୨/୦୮  :  ଆସନ୍ତା ୧୩ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ଏହା ସୃଷ୍ଟି ହେଲେ ୨୪ ଘଣ୍ଟାରେ ଘନୀଭୂତ ହୋଇ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।  ୧୪ରେ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବାବେଳେ ୧୫ ତାରିଖରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି । ସେହିପରି ୧୯ରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଥିବାର ତାହାର ପ୍ରଭାବରେ ମଧ୍ୟ ବର୍ଷା ଲାଗି ରହିବ ବୋଲି ଆଇଏମ୍‌ଡି ବିଶେଷଜ୍ଞ ଆର୍‌.କେ.ଜେନାମଣୀ  ସୂଚନା ଦେଇଛନ୍ତି ।  ଏନେଇ ବର୍ଷା ପ୍ରଭାବିତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗତ କିଛି ଦିନ ହେବ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଜନଜୀବନ ପ୍ରଭାବିତ ହୋଇଛି । ବହୁ ଅଞ୍ଚଳରେ ଲୋକମାନେ ଜଳବନ୍ଦୀ ହେବା ସହ ବ୍ୟାପକ ଚାଷଜମି ଜଳ ପ୍ଲାବିତ ହୋଇଛି । କେତେକ ନଦୀରେ ବନ୍ୟାଜଳ ବିଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଘଟିବା ସହ ବଡ଼ ବଡ଼ ଗଛ ମଧ୍ୟ ଉପୁଡ଼ି ପଡ଼ୁଛି ।  ମୌସୁମୀ ନିମ୍ନଚାପ ରେଖା ଆଜି ସୌରାଷ୍ଟ୍ର ଏବଂ ଉତ୍ତର-ପୂର୍ବ ଆରବସାଗର ଉପରେ ଲଘୁଚାପ କ୍ଷେତ୍ରରୁ ବାହାରି ଦିଘାରୁ ଦକ୍ଷିଣ-ପୂର୍ବ ଦିଗରେ ଉତ୍ତର-ବଙ୍ଗୋପସାଗର ଯାଏଁ ଲମ୍ବିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଅନୁଗୋଳ, ଢେଙ୍କାନାଳ, ସମ୍ବଲପୁର, ବରଗଡ, ଖୋର୍ଦ୍ଧା ଏବଂ କଟକ ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ।

Leave A Reply

Your email address will not be published.