Jai Odisha
News

ଏପ୍ରିଲରେ ୫୦୩୬ କୋଟି ଟଙ୍କାର ଜିଏସଟି ଆଦାୟ

ଭୁବନେଶ୍ବର ,୨।୫: ଏପ୍ରିଲରେ ଜିଏସଟି ଆଦାୟରେ ସର୍ବକାଳୀନ ରେକର୍ଡ। ୨୦୨୩ ଏପ୍ରିଲରେ ଦେଶରେ ସାମଗ୍ରୀ ଓ ସେବା ଟିକସ ଆଦାୟ ପ୍ରଭାବଶାଳୀ ହୋଇଛି ।୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ମାସ ଅର୍ଥାତ୍ ଏପ୍ରିଲରେ ଜିଏସଟି ବାବଦରେ ଓଡ଼ିଶା ୫୦୩୫.୭୪କୋଟି ଟଙ୍କା ସଂଗ୍ରହ କରିଛି, ଯାହାକି ସର୍ବକାଳୀନ ସର୍ବାଧିକ ସଂଗ୍ରହ ବୋଲି ଜିଏସଟି ଓ ବାଣିଜ୍ୟକର କମିଶନର ସଞ୍ଜୟ ସିଂ ସୂଚନା ଦେଇଛନ୍ତି । ତେବେ ୨୦୨୨-୨୩ ଆର୍ଥିକ ବର୍ଷର ଏପ୍ରିଲ ମାସରେ ଏହି ମୋଟ୍ ଜିଏସଟି ପରିମାଣ ୪୯୧୦.୨୩ କୋଟି ଟଙ୍କା ଥିଲା । ଚଳିତ ଆର୍ଥିକ ବର୍ଷରେ ଏଥିରେ ମାତ୍ର ୧୨୫.୫୦ କୋଟି ଟଙ୍କା ବୃଦ୍ଧି ହୋଇଛି । ଏପ୍ରିଲରେ ଜିଏସଟି ଆଦାୟ ବାର୍ଷିକ ୧୨ ପ୍ରତିଶତ ବୃଦ୍ଧି ପାଇ ୧.୮୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଦେଶରେ ଜିଏସଟି ଲାଗୁ ହେବାଠାରୁ ଏପର୍ଯ୍ୟନ୍ତ କୌଣସି ଗୋଟିଏ ମାସରେ ଏହା ସର୍ବାଧିକ ଜିଏସଟି ଆଦାୟ । ଜୁଲାଇ ୨୦୧୭ରେ ଜିଏସଟି ବ୍ୟବସ୍ଥା ଲାଗୁ ହେବା ପରଠାରୁ ସର୍ବାଧିକ ୧.୬୮ ଲକ୍ଷ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଥିଲା, ଯାହା କି ଗତ ବର୍ଷ ଏପ୍ରିଲରେ କରାଯାଇଥିଲା । ଅର୍ଥ ମନ୍ତ୍ରଣାଳୟ ସୋମବାର ଏପ୍ରିଲ ୨୦୨୩ ପାଇଁ ଟିକସ ସଂଗ୍ରହ ତଥ୍ୟ ଜାରି କରି କହିଛି ଯେ ଗତ ମାସରେ ମୋଟ ଜିଏସଟି ଆଦାୟ ୧ ଲକ୍ଷ ୮୭ ହଜାର ୦୩୫ କୋଟି ଟଙ୍କା ଥିଲା । ଏଥିରେ ୩୮ ହଜାର ୪୪୦ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସଟି, ୪୭ ହଜାର ୪୧୨ କୋଟି ଟଙ୍କାର ରାଜ୍ୟ ଜିଏସଟି ଏବଂ ୮୯ ହଜାର ୧୫୮ କୋଟି ଟଙ୍କାର ସମନ୍ବିତ ଜିଏସଟି ସହ ୧୨,୦୨୫ କୋଟି ଟଙ୍କାର ସେସ୍ ଅନ୍ତର୍ଭୁକ୍ତ। ତେବେ ଏପ୍ରିଲ ମାସରେ ଓଡ଼ିଶାରେ ଜିଏସଟି ଆଦାୟ ମାତ୍ର ୩ ପ୍ରତିଶତ ବୃଦ୍ଧି ପାଇ ୫ ହଜାର ୩୬ କୋଟି ଟଙ୍କାରେ ପହଞ୍ଚିଛି । ୨୦୨୩ ଏପ୍ରିଲ ମାସରେ ଜିଏସଟି ଆଦାୟ ପୂର୍ବ ବର୍ଷର ସମାନ ମାସ ତୁଳନାରେ ୧୨ ପ୍ରତିଶତ ଅଧିକ ରହିଛି ବୋଲି ମନ୍ତ୍ରଣାଳୟ କହିଛି।

Leave A Reply

Your email address will not be published.