Jai Odisha
News

ଓଡ଼ିଶାକୁ ଛୁଟିବ ବିଦେଶୀ ପୁଞ୍ଜି,୨୨ ହଜାର କୋଟିର ନିବେଶ ପାଇଁ ଶିଳ୍ପପତିଙ୍କ ପ୍ରତିଶ୍ରୁତି

ଭୁବନେଶ୍ୱର,୩୦/୦୬ ଗତ ୨୦ ତାରିଖରୁ ବିଦେଶ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦୁବାଇରେ ଆୟୋଜିତ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ରେ ଯୋଗ ଦେଇ ସେଠାକାର ପୁଞ୍ଜିପତିମାନଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ ଓଡ଼ିଶାରେ ବ୍ୟାପକ ପୁଞ୍ଜି ନିବେଶ କରିବା ପାଇଁ ଦୁବାଇର ଏକାଧିକ ପ୍ରତିଷ୍ଠିତ କମ୍ପାନୀ ପ୍ରତିଶ୍ରୁତି ଦେଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଖୁସି ବ୍ୟକ୍ତ କରିବା ସହ ଟ୍ୱିଟ୍‌ କରିଛନ୍ତି । ଓଡ଼ିଶାରେ ହେବ  ୨୨ ହଜାର କୋଟି ଟଙ୍କାର ବିଦେଶୀ ପୁଞ୍ଜିନିବେଶ । ଆଉ ସୃଷ୍ଟି ହେବ ୧୯ ହଜାର ନିଯୁକ୍ତି ସୁଯୋଗ । ଦୁବାଇର ତବ୍ରିଦ ଗ୍ରୁ୍‌ପ ଓଡ଼ିଶାରେ ପୁଞ୍ଜି ନିବେଶ ଲାଗି ଆଗ୍ରହ ପ୍ରକାଶ କରିଥିବା ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଲୋଚନା ସମୟରେ ଏହି ଗ୍ରୁପ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ୟୁସୁଫ୍‌ ଅଲ୍‌ ହମାଦୀଙ୍କୁ ଭେଟି ଆଲୋଚନା କରିଥିଲେ । ଭୁବନେଶ୍ୱର ଆଇସିଟି କ୍ୟାମ୍ପସରେ ୧ ହଜାର କୋଟିର ପୁଞ୍ଜି ନିବେଶ କରିବାକୁ ଏହି ଗ୍ରୁ୍‌ପ ପ୍ରତିଶ୍ରୁତି ଦେଇଛି ।ବୁଧବାର ଦୁବାଇରେ ଆୟୋଜିତ ନିବେଶକ ସମ୍ମେଳନରୁ ଏପରି ସୂଚନା ମିଳିଛି । ୟୁଏଇ, ମଧ୍ୟପ୍ରାଚ୍ୟ ଓ ଉତ୍ତର ଆଫ୍ରିକା ଦେଶଗୁଡିକରୁ ୧୫୦ ଜଣ ଶିଳ୍ପପତି ଏହି ସମ୍ମେଳନରେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡ଼ିଶାର ଉଚ୍ଚସ୍ତରୀୟ ଟିମ୍‌ ସହ ଆଲୋଚନା ପରେ ନିବେଶ ପାଇଁ ଅନେକ ଶିଳ୍ପପତି ଆଗ୍ରହ ପ୍ରକାଶ କରିଛନ୍ତି । ମୁଖ୍ୟତଃ ନିର୍ମାଣ ଶିଳ୍ପ, ହୋଟେଲ୍‌, ଲଜିଷ୍ଟିକସ୍‌, କେମିକାଲସ୍‌, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ବିଦେଶୀ ନିବେଶକ ପୁଞ୍ଜି ଖଟାଇବାକୁ ସହମତି ପ୍ରକାଶ କରିଛନ୍ତି ।    ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ ଆୟୋଜିତ ହେବ ବୋଲି ନବୀନ ଘୋଷଣା କରିଛନ୍ତି । ଧାତବ ଶିଳ୍ପ, କେମିକାଲସ୍‌ ଓ ପେଟ୍ରୋକେମିକାଲସ୍‌, ଟେକ୍ସଟାଇଲସ୍‌, ଖାଦ୍ୟ ପ୍ରକ୍ରିୟାକରଣ, ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ଲଜିଷ୍ଟିକ୍ସ ଓ କ୍ଲିନ୍‌ ଏନର୍ଜି ଶିଳ୍ପକୁ ଏଥିରେ ଗୁରୁତ୍ୱ ଦିଆଯିବ । ଏହି କନକ୍ଲେଭରେ ଯୋଗ ଦେବାକୁ ୟୁଏଇ, ମଧ୍ୟପ୍ରାଚ୍ୟ ଓ ଉତ୍ତର ଆଫ୍ରିକା ଦେଶଗୁଡିକର ନିବେଶକମାନଙ୍କୁ ନବୀନ ଆମନ୍ତ୍ରଣ କରିଛନ୍ତି ।ସମ୍ମେଳନରେ ଉଦବୋଧନ ଦେଇ ନବୀନ କହିଲେ ଓଡ଼ିଶାରେ ଶିଳ୍ପାୟନ ପାଇଁ ଅନୁକୂଳ ବାତାବରଣ ରହିଛି । ଭାରତରେ ଗଚ୍ଛିତ ଖଣିଜ ପଦାର୍ଥର ସିଂହଭାଗ ଆମ ପାଖେ ଅଛି । ଦେଶର ୯୬% କ୍ରୋମାଇଟ୍‌, ୯୨% ନିକେଲ, ୫୩% ବକସାଇଟ୍‌, ୪୫% ମାଙ୍ଗାନିଜ୍‌, ୩୫% ଲୌହ ଓର୍‌ ଓ ୨୩% କୋଇଲା ଓଡ଼ିଶାରେ ରହିଛି । ଷ୍ଟିଲ୍‌, ଫେରୋ ଆଲୟ, ଆଲୁମିନା ଓ ଆଲୁମିନିୟମ ଉତ୍ପାଦନରେ ଓଡ଼ିଶା ଦେଶରେ ଅଗ୍ରଣୀ ରାଜ୍ୟ । ଭାରତର ୧୧% ଜଳସମ୍ପଦ ଆମ ରାଜ୍ୟରେ ଅଛି । ଏଥି ସହ ୪୮୦ କିଲୋମିଟର ସମୁଦ୍ର ଉପକୂଳ ବନ୍ଦର ଶିଳ୍ପ ସ୍ଥାପନ ପାଇଁ ବେଶ ଉପଯୋଗୀ । ଆମ ରାଜ୍ୟରେ ଦକ୍ଷ ମାନବସମ୍ବଳ, ଉଚ୍ଚମାନର ବୈଷୟିକ ଶିକ୍ଷାନୁଷ୍ଠାନ, ୱାଲର୍ଡ ସ୍କିଲ୍‌ ସେଣ୍ଟର ରହିଛି । ଓଡ଼ିଶାରେ ପୁଂଜିନିବେଶ ପାଇଁ ଥିବା ସିଙ୍ଗଲ ଉଇଣ୍ଡୋ ବ୍ୟବସ୍ଥା, ଜମି ଯୋଗାଣ ସ୍ୱତନ୍ତ୍ର ନୀତି, ବିଦ୍ୟୁତ୍‌ ଓ ଜଳଯୋଗାଣ ପାଇଁ ରହିଥିବା ସରଳ ବ୍ୟବସ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନିବେଶକମାନଙ୍କୁ ଅବଗତ କରାଇଥିଲେ ।ସମ୍ମେଳନରେ ଓଡ଼ିଶାରୁ ଏକ ଉଚ୍ଚସ୍ତରୀୟ ଟିମ୍‌ ଯୋଗ ଦେଇ ଓଡ଼ିଶାରେ ଶିଳ୍ପାୟନ ପାଇଁ ଥିବା ଅନୁକୂଳ ବାତାବରଣ ସମ୍ପର୍କରେ ଉପସ୍ଥାପନ କରିଥିଲେ । ଏଥି ସହ ପ୍ରମୁଖ ଶିଳ୍ପସଂସ୍ଥା ପ୍ରତିନିଧିମାନଙ୍କ ସହ ବିଜନେସ୍‌ ଟୁ ବିଜନେସ୍‌ ଆଲୋଚନା କରିଥିଲେ । ବହୁ ସଂଖ୍ୟକ ନିବେଶକ ଓଡ଼ିଶାରେ ବିଦେଶୀ ବିନିଯୋଗ ପାଇଁ ସହମତି ଦେଇଥିବା ବେଳେ ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗର ପ୍ରତିଶ୍ରୁତି ଦିଆଯାଇଛି।

Leave A Reply

Your email address will not be published.