Jai Odisha
News

କର୍ଣ୍ଣାଟକାର ପ୍ରଥମ କ୍ୟାବିନେଟ୍‌ କଂଗ୍ରେସର ୫ ଗ୍ୟାରେଣ୍ଟି ପୂରଣ କରିବା ଲାଗି ପଦକ୍ଷେପ

ବେଙ୍ଗାଲୁରୁ,୨୦।୫ : କର୍ନାଟକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କାର୍ଯ୍ୟାନୁଷ୍ଠାନ ମୋଡରେ ଆସିଛନ୍ତି। ନିର୍ବାଚନ ପୂର୍ବରୁ ଦଳ ପ୍ରତିଶ୍ରୁତି ଦେଇଥିବା ପାଞ୍ଚଟି ଗ୍ୟାରେଣ୍ଟି ପ୍ରଥମ କ୍ୟାବିନେଟ ବୈଠକରେ ପୂରଣ କରିବା ଲାଗି ସିଦ୍ଧରମୈୟା ପଦକ୍ଷେପ ଗ୍ରହଣ କରିଛନ୍ତି।  ନୂଆ ସରକାର ଦାୟିତ୍ୱ ନେବା କ୍ଷଣି ପ୍ରଚାର ବେଳେ କଂଗ୍ରେସ ଦେଇଥିବା ୫ ନିର୍ବାଚନୀ ପ୍ରତିଶ୍ରୁତିକୁ ଲାଗୁ କରିବା ପାଇଁ କ୍ୟାବିନେଟ ଅନୁମତି ଦେଇଛି। ଏ ସଂକ୍ରାନ୍ତରେ ଗୋଟିଏ ନିର୍ଦ୍ଦେଶନାମା ଜାରି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ସୂଚନା ଦେଇଛନ୍ତି।  କର୍ଣ୍ଣାଟକାରେ କଂଗ୍ରେସ ସରକାର ଗଠନ କରିବା ପରେ ଆଜି ପ୍ରଥମ କ୍ୟାବିନେଟ ବୈଠକ ବସିଥିଲା। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ୫ ଗ୍ୟାରେଣ୍ଟିକୁ ଲାଗୁ କରିବାକୁ ଅନୁମତି ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କୁ ବାର୍ଷିକ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।ଆଜି ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ, ଡିକେ ଶିବକୁମାର ଉପ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ୮ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରେ ତୁରନ୍ତ ସମସ୍ତେ ବିଧାନ ସୌଧକୁ ଯାଇ ନୂଆ ସରକାରର ପ୍ରଥମ କ୍ୟାବିନେଟ ବୈଠକ କରିଥିଲେ। କଂଗ୍ରେସ ପୂର୍ବ ପ୍ରତିଶ୍ରୁତି ମୁତାବକ ପ୍ରଥମ କ୍ୟାବିନେଟ ବୈଠକରେ ହିଁ ୫ ଗ୍ୟାରେଣ୍ଟିକୁ ଲାଗୁ କରିବାକୁ ଅନୁମତି ଦେଇଛି। ହେଲେ ଏହାକୁ କେମିତି କାର୍ଯ୍ୟକାରୀ କରାଯିବ, ତା’ର ଖସଡ଼ା ପ୍ରସ୍ତୁତ ହୋଇନି।ଏହି ପାଞ୍ଚଟି ଗ୍ୟାରେଣ୍ଟିରେ ଗୃହ ଜ୍ୟୋତି, ଗୃହ ଲକ୍ଷ୍ମୀ, ଅନ୍ନ ଭାଗ୍ୟ, ଯୁବା ନିଧି, ଉଚିତ ପ୍ରମାଣ ଅନ୍ତର୍ଭୁକ୍ତ ଅଛି। ପ୍ରଥମ କ୍ୟାବିନେଟ ବୈଠକ ପରେ ଖବରଦାତାଙ୍କୁ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। କର୍ନାଟକ ବିଧାନସଭା ଅଧିବେଶନ ଆସନ୍ତା ସପ୍ତାହରେ ସୋମବାର, ମଙ୍ଗଳବାର ଏବଂ ବୁଧବାର ଦିନ ଅନୁଷ୍ଠିତ ହେବ ଯେଉଁଥିରେ ବିଧାୟକମାନେ ଶପଥ ଗ୍ରହଣ କରିବେ।

Leave A Reply

Your email address will not be published.