Jai Odisha
News

କିଡନୀ ରୋଗୀଙ୍କ ପାଇଁ ଔଷଧ ଯୋଗାଣ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଭୁବନେଶ୍ବର, ୨୦।୧୧: କିଡନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିବା ରୋଗୀଙ୍କ ନିମନ୍ତେ ନିରାମୟ ଯୋଜନା ମାଧ୍ୟମରେ  ଯୋଗାଯାଉଥିବା ଔଷଧ ଯୋଗାଣ ସ୍ଥିତିର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମୀକ୍ଷା କରିଛନ୍ତି।  ଏଥିରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶାଳିନୀ ପଣ୍ଡିତ କିଡନୀ ରୋଗୀଙ୍କ ପାଇଁ କିଣାଯାଉଥିବା ଔଷଧର ଗୁଣାତ୍ମକମାନ, କ୍ରୟ ଓ ଯୋଗାଣ ସମ୍ବନ୍ଧରେ  ଉପସ୍ଥାପନ କରିଥିଲେ। ରାଜ୍ୟରେ ଔଷଧ ଯୋଗାଣ କେମିତି ଚାଲିଛି, ସେନେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ରବିବାର ସମୀକ୍ଷା କରିଛନ୍ତି। କଟକସ୍ଥିତ ଏସ୍‌ସିବି ଓ ଅନ୍ୟ ମେଡିକାଲ କଲେଜ ଏବଂ ହସ୍‌ପିଟାଲରେ ଔଷଧ ଯୋଗାଣ ସଂପର୍କରେ ଲୋକସେବା ଭବନର କନଫରେନ୍ସିଂ ହଲ୍‌ରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ ମଧ୍ୟ ଉପସ୍ଥିତ ଥିଲେ। ଶ୍ରୀମତୀ ପଣ୍ଡିତ ଓଡ଼ିଶା ରାଜ୍ୟ ଔଷଧ ନିଗମ ଦ୍ବାରା ସରକାରୀ ଡାକ୍ତରଖାନାଗୁଡ଼ିକରେ ଖୋଲାଯାଇଥିବା ଔ‌ଷଧ ବିତରଣ କେନ୍ଦ୍ର ‘ନିର୍ମାଲ୍ୟ’ରେ ଔଷଧ ପହଞ୍ଚାଇବା ପୂର୍ବରୁ ଏହାର ଗୁଣବତ୍ତା ଯାଞ୍ଚ ଓ ଅନ୍ୟ ପ୍ରକ୍ରିୟା କରାଯାଉଥିବା ପ୍ରକାଶ କରିଥିଲେ। ବୈଠକରେ କିଡ୍‌ନି ରୋଗୀଙ୍କ ପାଇଁ ଦିଆଯାଉଥିବା ଔଷଧ ସଂପର୍କରେ ମଧ୍ୟ ଚର୍ଚ୍ଚା ହୋଇଥିଲା।କିଡନୀ ଟ୍ରାନ୍ସପ୍ଲାଣ୍ଟ ଅପରେସନ ଏବଂ ଅପରେସନ ପରବର୍ତ୍ତୀ ଚିକିତ୍ସା ପାଇଁ ଆବଶ୍ୟକୀୟ ସମସ୍ତ ଔଷଧ ସରକାରୀ ମେଡିକାଲ କଲେଜ ଓ ଡାକ୍ତରଖାନାର ନିରାମୟ କାଉଣ୍ଟର ମାଧ୍ୟମରେ ମାଗଣା ଦିଆଯାଉଛି। ଏହି ସବୁ ଔଷଧର ଗୁଣାତ୍ମକମାନ ଏନ ଏ ବି ଏଲ ପରୀକ୍ଷାଗାର ମାନଙ୍କ ଦ୍ବାରା ପରୀକ୍ଷା କରାଯାଇ ପ୍ରମାଣିତ ହୋଇଥାଏ। ଔଷଧ କିଣାଯିବା ପୂର୍ବରୁ  ନିର୍ଭରଯୋଗ୍ୟ ବେଜ୍ଞାନିକ ପଦ୍ଧତିରେ ଏହାର ଗୁଣାତ୍ମକମାନ ଯାଞ୍ଚ କରାଯାଏ।   ଔଷଧକୁ ସ୍ବଚ୍ଛ ଅନଲାଇନ ପ୍ରକ୍ରିୟାରେ ରାଜ୍ୟ ଔଷଧ ନିଗମ  କିଣି ଆବଶ୍ୟକ ଅନୁଯାୟୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ଯୋଗାଇ ଦିଆଯାଏ। ବୈଠକରେ ଉପସ୍ଥିତ ବରିଷ୍ଠ ବିଶେଷଜ୍ଞ ଡାକ୍ତରମାନେ ମତ ଦେଇଥିଲେ ଯେ ଉକ୍ତ ଔଷଧକୁ ମଧ୍ୟ ନେଫ୍ରୋଲୋଜି, ରେମାଟୋଲୋଜୀ ଏବଂ ଡେରମାଟୋଲୋଜି ଆଦି ବିଭାଗରେ ରୋଗୀମାନଙ୍କୁ ଦିଆଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ରୋଗୀଙ୍କର କିଛି ପାର୍ଶ୍ବ ପ୍ରତିକ୍ରିୟା ହୋଇନାହିଁ। ଔଷଧର ଗୁଣାତ୍ମକମାନ ବିଷୟରେ ଅଭିଯୋଗ କରୁଥିବା ରୋଗୀ ଓ ପରିବାର ସ୍ବଜନଙ୍କ ସହ ଏକାଧିକବାର ଆଲୋଚନା କରାଯାଇଛି।

 

Leave A Reply

Your email address will not be published.