Jai Odisha
News

ଚର୍ଚ୍ଚାରେ କୋଟିପତି ଓଏଏସ୍ ପ୍ରଶାନ୍ତ କୁମାର ରାଉତ

ନବରଙ୍ଗପୁର, ୨୪/୬:ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ତଥା ୧୯୯୨ ବ୍ୟାଚ୍ ଓଏଏସ୍ ପ୍ରଶାନ୍ତ କୁମାର ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରି ମୋଟ ୩ କୋଟି ୨ଲକ୍ଷ ୩୦ହଜାର ୮୦୦ଟଙ୍କା ନଗଦ ଜବତ କରିଛି । ଯାହାକି ରାଜ୍ୟ ଭିଜିଲାନ୍ସ ଇତିହାସରେ ଜବତ ନଗଦ ଟଙ୍କା ମଧ୍ୟରେ ଦ୍ୱିତୀୟ ସର୍ବାଧିକ । ତେବେ ୨୦୧୮ ନଭେମ୍ବରରେ ୧ଲକ୍ଷ ଟଙ୍କା ଲାଂଚ ନେବା ଅଭିଯୋଗରେ ଗିରଫ ହୋଇ ୨୦୨୦ ଜାନୁୟାରୀ ପର୍ଯ୍ୟନ୍ତ ନିଲମ୍ବିତ ଥିବା ପ୍ରଶାନ୍ତଙ୍କଠୁ କିଭଳି ଏତେ ଟଙ୍କା ନଗଦ ମିଳିଲା ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ।  ପ୍ରଶାନ୍ତଙ୍କର ରାଜନୀତିକ ଲିଙ୍କ୍ ଥିବା ଓ ସେ ଜଣେ ପ୍ରଭାବଶାଳୀ ବିଜେଡି ନେତାଙ୍କର ଟଙ୍କାକୁ ନିଜ ପାଖରେ ରଖିଥିବା ସନ୍ଦେହ କରାଯାଉଛି ।

ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭଦ୍ରକରେ ଜନ୍ମିତ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ଉବେଳେ ନଗଦ ୩.୦୨କୋଟି ଟଙ୍କା ବ୍ୟାଙ୍କ ଓ ଇନସ୍ୟୁରାନ୍ସରେ ୬୨ଲକ୍ଷ ଟଙ୍କା ଡିପୋଜିଟ୍ (୨୦୧୯ ମସିହା ପରେ ବେନାମୀ ଆକାଉଣ୍ଟରେ ୨୧ଲକ୍ଷ ଟଙ୍କା ଜମା) ହୋଇଥିବା ଜାଣିବାକୁ ପାଇଛି। ସେହିପରି ଭୁବନେଶ୍ୱରର କାନନ ବିହାର ଅଂଚଳରେ ଏକ ବହୁତଳ କୋଠା, କଟକ ଓ ଭୁବନେଶ୍ୱରରେର ପ୍ରମୁଖ ସ୍ଥାନରେ ୪ଟି ମୂଲ୍ୟବାନ ପ୍ଲଟ୍ , ଉମରକୋଟରେ ଗୋଟିଏ ବେନାମୀ ପ୍ଲଟ୍ ଜବତ ହୋଇଛି । ଦୁଇ ପିଲାଙ୍କ ପାଠପଢ଼ାରେ ପ୍ରଶାନ୍ତ ମୋଟ ୮୭ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବାବେଳେ ତାଙ୍କର ୨ଟି ଚାରିଚକିଆ ଯାନ, ୨୧.୩୫ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାରକୁ ଜବତ କରାଯାଇଛି ବୋଲି ଭିଜିଲାନ୍ସ କହିଛି । ଭିଜିଲାନ୍ସ ଏବେ ତାଙ୍କର ସମ୍ପତ୍ତିର ଅଧିକ ଖୋଳତାଡ଼ କରୁଛି । ଭିଜିଲାନ୍ସ ସୂଚନା ଅନୁସାରେ ପ୍ରଶାନ୍ତ ୨୦୧୮ ମସିହାରେ ବିଶ୍ରା ବ୍ଲକ ବିଡିଓ ଥିବାବେଳେ ଏକ ଲକ୍ଷ ଟଙ୍କା ଲାଂଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଥିଲେ । ୨୦୧୮ ନଭେମ୍ବର ୬ରେ ପ୍ରଶାନ୍ତଙ୍କୁ ଚାକିରିରୁ ନିଲମ୍ବିତ ହେବାକୁ ପଡ଼ିଥିଲା ଓ  ୨୦୨୦ ଜାନୁୟାରୀ ୧୮ରେ ନିଲମ୍ବନ ହଟିଥିଲା ତଥା ସେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ଭାବେ ପୁନଃ ଅବସ୍ଥାପିତ ହୋଇଥିଲେ । ତେବେ ସେ ନିଲମ୍ବିତ ଥିବାବେଳେ ୨୦୧୯ ମସିହା ପରଠୁ ଭୁବନେଶ୍ୱରର ଇଣ୍ଡସଇଣ୍ଡ ବ୍ୟାଙ୍କରେ ପ୍ରଶାନ୍ତ ଜମା କରିଥିବା ଏହି ୨୧ଲକ୍ଷ ଟଙ୍କାର ବେନାମୀ ଜମା ରଖିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି ।:

ପ୍ରଶାନ୍ତ ୧୯୯୨ ମସିହାରେ ଓଏଏସ୍ ଅଫିସର ଭାବେ ପ୍ରଶାସନିକ ସେବାରେ ଯୋଗ ଦେବା ପରେ କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର ଓ ବରଗଡ଼ ଜିଲ୍ଲାରେ ତହସିଲଦାର ଏବଂ ଯାଜପୁର, କଟକ, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ବିଡିଓ ଭାବେ ଯୋଗ ଦେଇଥିଲେ । ତା’ପରେ ନବରଙ୍ଗପୁରରେ ଅତିରିକ୍ତ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ । ସେ ସରକାରୀ ଚାକରିରୁ ୨୦୨୬ ଜୁଲାଇ ମାସରେ ଅବସର ନେଇଥାନ୍ତେ ।

ତେବେ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରଶାନ୍ତ ଜଣେ ପ୍ରଭାବଶାଳୀ ବିଜେଡି ନେତାଙ୍କ ଖାସ୍ ଅନୁଗତ ହୋଇ ଗତ ପ୍ରାୟ ଦେଢ଼ ବର୍ଷରୁ ଅଧିକ ସମୟ ଧରି ଟଙ୍କା କାରବାର କରୁଥିଲେ । ଏହି ନଗଦ ଟଙ୍କା ସମ୍ପୃକ୍ତ ନେତାଙ୍କ ବ୍ୟକ୍ତିଗତ ଟଙ୍କା ବୋଲି ଚର୍ଚ୍ଚା ହେଉଛି । ନଚେତ୍ ପ୍ରଶାନ୍ତଙ୍କର ଏଭଳି କୌଣସି ଉପାର୍ଜନର ସ୍ରୋତ ନାହିଁ ଯେଉଁଥିରେ ସେ ଏତେ ଟଙ୍କା ନଗଦ ଉପାର୍ଜନ କରିପାରିବେ । କାରଣ ୨୦୧୮ ନଭେମ୍ବର ମାସରେ ପ୍ରଶାନ୍ତଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଥିଲା ଓ ୨୦୨୦ ଜାନୁୟାରୀ ପର୍ଯ୍ୟନ୍ତ ପ୍ରଶାନ୍ତ ନିଲମ୍ବିତ ହୋଇ ଘରେ ବସିଥିଲେ । ୨୦୨୦ ଜାନୁୟାରୀରେ ତାଙ୍କୁ ପୁନଃ ନିଯୁକ୍ତି ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ଭାବେ ମିଳିଥିଲେ ମଧ୍ୟ ସେହି ପଦବୀରେ ଏତେ ଟଙ୍କା ସଂଗ୍ରହ କରିବାର ସୁଯୋଗ କିମ୍ବା ସମ୍ଭାବନା ବି ନାହିଁ । ତେଣୁ ଯେଉଁ ନେତାଙ୍କର ଏହି ଟଙ୍କା ବୋଲି ଚର୍ଚ୍ଚା ହେଉଛି, ସମ୍ପୃକ୍ତ ନେତାଙ୍କ ମାଧ୍ୟମରେ ହିଁ ସେ ନିଜର ନିଲମ୍ବନ ହଟାଇ ପାରିଥିଲେ ତଥା ପଂଚାୟତ ଓ ପୌର ନିର୍ବାଚନବେଳେ ତାଙ୍କର ଖାସ୍ ଭାବେ ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟ କରିଥିଲେ ପାୱାର କରିଡରରେ ଚର୍ଚ୍ଚା । ତେବେ ପ୍ରଶାନ୍ତ କିମ୍ବା ଭିଜିଲାନ୍ସ ଉଭୟ ଏତେ ପରିମାଣର ନଗଦ ଟଙ୍କା କେଉଁ ସୂତ୍ରରୁ ମିଳିଲା ତାକୁ ନେଇ ମୁହଁ ଖୋଲୁନାହାନ୍ତି ।

Leave A Reply

Your email address will not be published.