Jai Odisha
News

ଚାଉଳ କିଲୋପିଛା ବଢ଼ିଲା ୧୦ ଟଙ୍କା

ଭୁବନେଶ୍ୱର,୩୦।୭: ମହଙ୍ଗା ହେଲା ଚାଉଳ । କିଲୋପିଛା ଦାମ ୧୦ରୁ ୧୫ ଟଙ୍କା ବଢ଼ିଲା । ଯାହାକୁ ନେଇ ଚିନ୍ତାରେ ଖାଉଟି ଓ ଗୃହିଣୀ । ସରକାର ଧାନ ଦାମ ବଢ଼ାଇ ଦେଇଥିବାରୁ ମିଲର ଚାଉଳ ଦାମ ବଢ଼ାଇ ଦେଇଥିବା କହିଛନ୍ତି ଚାଉଳ ବ୍ୟବସାୟୀ ।  ଚାଉଳ  କେଜି ପିଛା ବଢ଼ିଛି ୧୦ରୁ ୧୫ ଟଙ୍କା । ମାସକ ତଳେ ଯେଉଁ ଉଷୁନା ଚାଉଳ ୩୫ରୁ ୪୦ ଟଙ୍କାରେ ବିକ୍ରି ହେଉଥିଲା, ଏବେ ତାହା ୪୫ରୁ ୫୦ ଛୁଇଁଲାଣି । ସରୁ ଏଚ୍ଏମ୍ଟି ଚାଉଳ ଦାମ କ୍ୱିଣ୍ଟାଲ ପିଛା ହଜାରେରୁ ୧୨ ଶହ ଟଙ୍କା ବଢ଼ିଯାଇଛି। ଏମିତିକି କ୍ଷୀରି ପାଇଁ ବ୍ୟବହାର ହେଉଥିବା ବାସମତି ଚାଉଳ ଦାମ୍ କିଲୋ ପିଛା ୧୫ ଟଙ୍କା ବଢ଼ିଗଲାଣି ।   ଏପଟେ ଚାଉଳ ବ୍ୟବସାୟୀଙ୍କ ଅଭିଯୋଗ, ଗୋଟିଏ ପଟେ ମିଲରଙ୍କୁ ଆବଶ୍ୟକ ପରିମାଣର ଧାନ ମିଳୁନି। ଦ୍ୱିତୀୟରେ ସରକାର ଧାନ ରେଟ୍ ବଢ଼ାଇ ଦେଇଛନ୍ତି । ଏଣୁ ମିଲର ଚାଉଳ ଦାମ ବୃଦ୍ଧି କରିଛନ୍ତି । ଏମିତିକି ଚାଉଳ ଦାମ ବୃଦ୍ଧି ଯୋଗୁ ମୁଢ଼ି ଓ ଚୂଡ଼ା ଦାମ ବି ଉପରମୁହାଁ ହେବାରେ ଲାଗିଛି। ଏପଟେ ବ୍ୟବସାୟୀ  ସଂଘର ଅଭିଯୋଗ, ଚାଉଳର ଦରବୃଦ୍ଧି ଅବାସ୍ତବ । ଚାଉଳର ଏଭଳି ଦରବୃଦ୍ଧି ପାଇଁ କର୍ପୋରେଟ୍ ହାଉସ ହିଁ ଦାୟୀ । ଯଦିଓ ଦରବୃଦ୍ଧି ରୋକିବାକୁ ସରକାର ଚାଉଳ ରପ୍ତାନି ଉପରେ କଟକଣା ଲଗାଇଛନ୍ତି, ବଡ଼ ବଡ଼ କର୍ପୋରେଟ୍ ହାଉସ ବହୁ ପରିମାଣର ଚାଉଳ ମହଜୁଦ ରଖି କୃତ୍ରିମ ଦରବୃଦ୍ଧି ସୃଷ୍ଟି କରୁଛନ୍ତି।ଯାହାକୁ ନେଇ ଖାଉଟି ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

Leave A Reply

Your email address will not be published.