Jai Odisha
News

ଚାନ୍ଦା ଆଦାୟ କରି ଗାଁଲୋକ ତିଆରି କଲେ ରାସ୍ତା

ସରକାର ଶୁଣିଲେନି !

ରାଜକନିକା,୧୯/୬ :ଗାଁ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହୁଥିଲା । ବହୁ ବର୍ଷ ପୂର୍ବରୁ ହୋଇଥିବା ଗାଁର କଂକ୍ରିଟ୍ ରାସ୍ତା ନଷ୍ଟ ହୋଇଯାଇଥିଲା । ଗ୍ରାମବାସୀମାନେ ବାରମ୍ବାର ବିଡ଼ିଓଙ୍କ ଠାରୁ ଜିଲାପାଳଙ୍କୁ ଗାଁ ରାସ୍ତା ପାଇଁ ଗୁହାରି କରିଥିଲେ । ହେଲେ କେହି ଶୁଣିଲେନି । ରାସ୍ତା ଖଣ୍ଡିକ ପାଇଁ ବ୍ଲକ୍ ଅଫିସ୍ ଦୈଡ଼ି ଦୈଡ଼ି ଗ୍ରାମବାସୀମାନେ ନିରାଶ ହୋଇପଡ଼ିଥିଲେ ସତ କିନ୍ତୁ ଥକି ପଡ଼ିନଥିଲେ । ଯେତେବେଳେ ପ୍ରଶାସନ ଠାରୁ ସରକାରଙ୍କ ଉପରେ ଭରସା ତୁଟାଇଦେଇଥିଲେ ଗ୍ରାମବାସୀ । ଠିକ୍ ସେତିକି ବେଳେ ନିଜ ଗାଁ ପାଇଁ ନିଜେ ଚାନ୍ଦା ଆଦାୟ କରି ନିଜ ହାତରେ ତିଆରି କରିଛନ୍ତି ଗାଁ ପାଇଁ ରାସ୍ତା । ଏଭଳି ଏକ ଭଲ ଖବର ରବିବାର ଖରାବେଳେ ଦେଖିବାକୁ ମିଳିଛି ରାଜକନିକା ବ୍ଳକ୍ ଅନ୍ତର୍ଗତ ତରପଦା ଗ୍ରାମର ଏକ ନମ୍ବର ୱାର୍ଡ଼ରେ । ଏହି ୱାର୍ଡ଼ରେ ରହିଥିବା ରାସ୍ତା ଭାଙ୍ଗିରୁଜି ଯାଇଥିଲା । ଗ୍ରାମବାସୀମାନେ ଯାତାୟତରେ ନାହିଁ ନଥିବା ସମସ୍ୟାରେ ପଡ଼ୁଥିଲେ । ପାଣି କାଦୁଅରେ ପଶି ଗାଁର ଲୋକମାନେ ବଡ଼ କଷ୍ଟରେ ଦିନ ବିତାଉଥିଲେ । ଗାଁ ରାସ୍ତା ତିଆରି କରିବାକୁ କେତେଯେ ଗୁହାରି କରିଛୁ, ହେଲେ କେହି ଶୁଣିଲେନି । ଶେଷରେ ବାଧ୍ୟ ହୋଇ ରାସ୍ତା ପାଇଁ ଚାନ୍ଦା ଆଦାୟ କଲୁ । ଗ୍ରାମର କି ଗରିବ କି ଧନୀ ସମସ୍ତ ଘରୁ ରାସ୍ତା ପାଇଁ ଚାନ୍ଦା ଆଦାୟ ହେଲା । ସେହି ପଇସାରେ ବଜାରରୁ ଗୋଡ଼ି, ବାଲି, ସିମେଣ୍ଟ କିଣି ଆଣି ନିଜେ ତିଆରି କଲୁ କଂକ୍ରିଟ୍ ରାସ୍ତା । ୱାଡ଼ ସଭ୍ୟ ରଞ୍ଜନ ବେହେରାଙ୍କ ସହିତ ପ୍ରଫୁଲ୍ଲ ବେହେରା, ସତ୍ୟବ୍ରତ ବେହେରା, ନରୋତ୍ତମ ବାରିକ୍‌, ବିଷ୍ଣୁ ଚରଣ ବେହେରା, ରବିନାରାୟଣ ଖଣ୍ଡୁଆଳ, ଦୁଃଶାସନ ସୂତାର, ସଞ୍ଜୟ ବେହେରା, ନଳିନୀକାନ୍ତ ବାରିକ୍ ଏବଂ ଜଗନ୍ନାଥ ଦାସଙ୍କ ସହିତ ଗ୍ରାମବାସୀମାନେ ରାସ୍ତା ତିଆରି କରିବାରେ ଲାଗିପଡ଼ିଥିଲେ ଏହି ରାସ୍ତା କାମ । କିଏ ଗୋଡ଼ି ସିମେଣ୍ଟ ଗୋଲାଇଲାଣିତ ଆଉ କିଏ ବାଲିସିମେଣ୍ଟ ଧରି ରାସ୍ତାରେ ପକାଇଲାଣି । ଆଉ କିଏ କିଏ ସିମେଣ୍ଟ ପାଣିରେ ରାସ୍ତା ପଲସ୍ତରା କାମରେ ଲାଗିପଡ଼ିଛନ୍ତି । ଗ୍ରାମବାସୀଙ୍କ ଏକତା ଆଗରେ ହାରମାନିଛି ସରକାରଙ୍କ ଅବହେଳା । ଗ୍ରାମବାସୀଙ୍କ ଏଭଳି ନିଜ ଗାଁ ପାଇଁ ସମୂହ ଉଦ୍ୟମ ଆଉ ଉତ୍ସାହ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

Leave A Reply

Your email address will not be published.