Jai Odisha
News

‘ଦେଶାତ୍ମବୋଧକ କବିତା ସ୍ୱାଧୀନତା ଆନ୍ଦୋଳନକୁ ଜାଗ୍ରତ କରୁଥିଲା’

ରାଜକନିକା,୧୬/୮ :‘ବୀର ସହିଦ୍‌ଙ୍କ ଇଂରେଜୀ ବିରୋଧୀ ସଂଗ୍ରାମ ଭଳି କବି ଲେଖକଙ୍କ ଦେଶାତ୍ମବୋଧକ କବିତାମାନ ସ୍ୱାଧୀନତା ଆନ୍ଦୋଳନକୁ ଅଧିକ ଜାଗ୍ରତ କରୁଥିଲା’ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ୱାଧୀନତାର ଅମୃତ-ମହୋତ୍ସବ ପାଳନ ଅବସରରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ‘ସ୍ୱରଚିତ ଦେଶାତ୍ମବୋଧକ କବିତା ପାଠ’ ରାଜକନିକା ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ କବିତା ପାଠ କାର୍ଯ୍ୟକ୍ରମରେ ଅତିଥିମାନେ ମତ ବ୍ୟକ୍ତ କରିଛନ୍ତି । ଲେଖକ ଏବଂ ସାମ୍ବାଦିକ ଶୁଭ୍ରାଂଶୁ ସୂତାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କବି ଏବଂ ପ୍ରଶାସକ ବ୍ରହ୍ମାନନ୍ଦ ବେହେରା, ସାହିତ୍ୟିକ ଏବଂ ସାମ୍ବାଦିକ ଡ଼କ୍ଟର ଚିତ୍ତରଞ୍ଜନ ବେହେରା, ବିଶିଷ୍ଟ କବି ପ୍ରାଧ୍ୟାପକ ପ୍ରସନ୍ନ କୁମାର ସ୍ୱାଇଁ ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁରେଖା ରାଉତ ଯୋଗଦେଇ ଦେଶାତ୍ମବୋଧକ କବିତା କିଭଳି ଜନମାନସକୁ ଆନ୍ଦୋଳିତ କରୁଥିଲା ସେ ସଂପର୍କରେ ଆଲୋକପାତ୍ କରିବା ସହିତ ଯୁବପିଢ଼ୀର କବିମାନେ କବିତା ମାଧ୍ୟମରେ ସମାଜ ପରିବର୍ତ୍ତନରେ ଭାଗିଦାରୀ ହେବା ନେଇ ଆହ୍ୱାନ ଦେଇଥିଲେ । ଅଧ୍ୟାପିକା ତେଜସ୍ୱିନୀ ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ କବିତାପାଠ ଉତ୍ସବରେ ବିଶିଷ୍ଟ କବି ଅୟସକାନ୍ତ ମହାପାତ୍ର, ଅଧ୍ୟାପକ ପ୍ରକାଶ ସାମଲ, ପ୍ରୀତିରଞ୍ଜନ ନାୟକ, ମଙ୍ଗୁଳି ଚରଣ ବେହେରା, ପୂର୍ଣ୍ଣଚନ୍ଦ୍ର ବଳ, ହରେକୃଷ୍ଣ ବାରିକ୍‌, ଲକ୍ଷ୍ମୀଧର ନାୟକ(ଆଦିସ୍ୟ), ଦାମୋଦର ଧଳ, ନିରଞ୍ଜନ ବେହେରା, ମନୋଜ ସେନାପତି,ମନସ୍ୱିନୀ ମିଶ୍ର, ମଧୁସ୍ମିତା ମଲ୍ଲିକ, ନୃସିିଂହ ଚରଣ ବେହେରା, ନୃସିଂହ ଚରଣ ରାଉତ, ସ୍ୱାଗତିକା ମଲ୍ଲିକ, ମନୋରମା ବିଶ୍ୱାଳ, ଆଦ୍ୟାଶା ଅଭିଲିପ୍‌ସା, ଉତ୍କଳ କେଶରୀ ସୂତାର, ସୁଷମା ରାଉତ ଏବଂ ଭାଗିରଥୀ ନାୟକ ପ୍ରମୁଖ ଦେଶାତ୍ମବୋଧକ କବିତା ପାଠ କରିଥିଲେ । ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିବା ସହିତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ସ୍ୱାଧୀନତାର ଅମୃତ-ମହୋତ୍ସବ କବିତା ପାଠ |

Leave A Reply

Your email address will not be published.