Jai Odisha
News

ଦ୍ୱୈତନଗରୀ ମଧ୍ୟରେ ଗମନାଗମନର ସୁବ୍ୟବସ୍ଥା ,ରାଜ୍ୟ ସରକାର ୪ ଲେନ୍‌ ସେତୁ ନିର୍ମାଣ

କଟକ  ୮ା୫:ଭୁବନେଶ୍ୱର-କଟକ ଦ୍ୱୈତନଗରୀ ମଧ୍ୟରେ ଗମନାଗମନର ସୁବ୍ୟବସ୍ଥା ନିମନ୍ତେ ରାଜ୍ୟ ସରକାର ଏହି ୪ ଲେନ୍‌ ସେତୁ ନିର୍ମାଣ ନିମନ୍ତେ ଯୋଜନା କରିଛନ୍ତି। କଟକର ତ୍ରିଶୂଳିଆ ନିକଟ କାଠଯୋଡ଼ି ନଦୀ ଉପରେ ଖୁବ୍‌ଶୀଘ୍ର ଦ୍ୱିତୀୟ ସେତୁ ନିର୍ମାଣ ହେବ। ଏହି ସେତୁ ୪ ଲେନ୍‌ ବିଶିଷ୍ଟ ହେବ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁ ନିକଟରେ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗରେ ଏହି ସେତୁ ନିର୍ମାଣ ହେବ। ଏହି କାର୍ଯ୍ୟ ଆସନ୍ତା ସେପ୍ଟେମ୍ବରରୁ ଆରମ୍ଭ ହୋଇ ୨୦୨୫ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏଥିପାଇଁ ରାଜ୍ୟ ସରକାର ୨୨୦ କୋଟି ଟଙ୍କା ଅନୁଦାନ ବ୍ୟବସ୍ଥା କରିଥିବା ଜଣାପଡିଛି।  ଦୁଇ ମହାନଗରୀ ମଧ୍ୟରେ ଉପୁଜୁଥିବା ଟ୍ରାଫିକ ସମସ୍ୟାକୁ ଏହି ସେତୁ ଦ୍ୱାରା ଅନେକାଂଶରେ ମୁକାବିଲା କରାଯାଇପାରିବ। ଓଡ଼ିଶା ବ୍ରିଜ୍‌ ଆଣ୍ଡ୍‌ କନ୍‌ଷ୍ଟ୍ରକସନ୍‌ କର୍ପୋରେଶନ୍‌ର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ମାନସ ରଞ୍ଜନ ସେଠୀଙ୍କ ସୂଚନା ଅନୁଯାୟୀ, କର୍ପୋରେଶନ ପକ୍ଷରୁ ସେତୁ ନିର୍ମାଣ ନିମନ୍ତେ ଟେଣ୍ଡର ଆହ୍ବାନ କରାଯାଇଛି। ଟେଣ୍ଡର କାର୍ଯ୍ୟ ଶେଷ ହେବା ପରେ ସେପ୍ଟେମ୍ବରରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏହି ସେତୁ ତ୍ରିଶୂଳିଆରୁ ବେଲ୍‌ଭ୍ୟୁ ଛକକୁ ସଂଯୋଗ କରିବ। ଏହି ନୂତନ ସେତୁରେ ଫୁଟ୍‌ପାଥ୍‌ ସହ ଉପଯୁକ୍ତ ଆଲୋକୀକରଣ ବ୍ୟବସ୍ଥା କରାଯିବ ବୋଲି ସେଠୀ କହିଛନ୍ତି। ଅପରପକ୍ଷରେ କଟକ ଜିଲା ପ୍ରଶାସନ ଓ କଟକ ମହାନଗର ନିଗମ(ସିଏମ୍‌ସି) ସେତୁର ଉଭୟ ପାର୍ଶ୍ୱ ଉନ୍ନତୀକରଣ ନିମନ୍ତେ ପଦକ୍ଷେପ ନେବେ। ଉଭୟ ପାର୍ଶ୍ୱରେ ଅବାଧ ଟ୍ରାଫିକ ପରିଚାଳନା ସୁବ୍ୟବସ୍ଥିତ ହେବା ଉପରେ ଯୋଜନା ପ୍ରସ୍ତୁତ କରାଯାଉଛି। ସିଏମ୍‌ସି ମେୟର ସୁବାସ ସିଂ କହିଛନ୍ତି, ବେଲ୍‌ଭ୍ୟୁ ଛକର ଉନ୍ନତୀକରଣ ନିମନ୍ତେ ୮ କୋଟି ଟଙ୍କା ମଞ୍ଜୁର ହୋଇଛି। ଏଠାରେ ଫୁଡ୍‌କୋର୍ଟ, ମୁକ୍ତାକାଶ ବ୍ୟାୟାମ କେନ୍ଦ୍ର ଆଦି ନିର୍ମାଣ ହେବାର ଯୋଜନା ପ୍ରସ୍ତୁତ ହୋଇଛି। ପୋଲିସ ହାଉସିଂ ବୋର୍ଡ କର୍ପୋରେଶନ୍‌ ଏହି ପ୍ରକଳ୍ପ ନିର୍ମାଣର ଦାୟିତ୍ୱ ନେଇଛି। ସୂଚନାଯୋଗ୍ୟ, ୨୦୧୭ରେ କାଠଯୋଡ଼ି ଉପରେ ତ୍ରିଶୂଳିଆ ଛକରୁ ବେଲ୍‌ଭ୍ୟୁ ଛକକୁ ସଂଯୋଗ କରୁଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ୨.୮୮ କିଲୋମିଟର ଦୈର୍ଘ୍ୟର ଏହି ସେତୁ ଓଡ଼ିଶାର ଦୀର୍ଘତମ ସେତୁର ମାନ୍ୟତା ପାଇଛି।

Leave A Reply

Your email address will not be published.