Jai Odisha
News

ନବୀନ ସରକାରଙ୍କ ପଞ୍ଚମ ପାଳିର ଚତୁର୍ଥ ବର୍ଷ

ଭୁବନେଶ୍ୱର,୨୯ା୫ : ବିଜେଡି ସରକାରର ୫ମ ପାଳିର ୪ର୍ଥ ବର୍ଷ ପୂରଣ ହୋଇଛି। ୨୦୧୯ ମେ’ ୨୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମାନେ ଶପଥ ନେଇଥିଲେ। ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି କେତେ ପୂରଣ ହୋଇଛି, ସେ ନେଇ ମେ’ ୨୨ ତାରିଖରୁ ନବୀନ ବିଭାଗୀୟ ମନ୍ତ୍ରୀମାନଙ୍କୁ ଡକାଇ ସମୀକ୍ଷା କରୁଛନ୍ତି। ନବ ଦାସ ହତ୍ୟାକାଣ୍ଡ ୫ମ ପାଳିର ବିଜେଡି ସରକାର ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ପଦ୍ମପୁର, ଝାରସୁଗୁଡ଼ା ଉପନିର୍ବାଚନରେ ବିଜୟୀ ହୋଇ ବିଜେଡି ନିଜର ପୂର୍ବ ପତିଆରାକୁ ବଜାୟ ରଖିଛି।ପଞ୍ଚମ ପାଳିରେ ରାଜ୍ୟବାସୀଙ୍କୁ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତିରୁ ଅନେକ ପୂରଣ ହୋଇ ସାରିଥିଲେ ବି ଏବେକିଛି କାମ ବାକି ରହିଯାଇଛି । ଯାହାକୁ ପୂରଣ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ନବୀନ ସରକାରରେ ଥିବା ଟାଣୁଆ ନେତା । ସେଥିପାଇଁ ଆଜି ସୁଦ୍ଧା କାର୍ଯ୍ୟର ସମସ୍ତ ରିପୋର୍ଟ ଜାରି କରିବାକୁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଜାରି କରାଯାଇଥିଲା । ତେବେ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ବାକି ଥିବା ପ୍ରତିଶ୍ରୁତିଗୁଡିକୁ ପୂରଣ କରିବା ପାଇଁ ଆଶା ରଖିଛନ୍ତି ରାଜ୍ୟବାସୀ ଏବଂ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଞ୍ଚମ ପାଳିର ସରକାର ଗଠନ କରିବା ପାଇଁ ବିଜୁ ଜନତା ଦଳ ଯେଉଁ ନିର୍ବାଚନ ଇସ୍ତାହାର ଜାରି କରିଥିଲା, ସେସବୁ ପ୍ରତିଶ୍ରୁତିକୁ ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗ କରିବା ଲକ୍ଷ୍ୟରେ ପ୍ରସ୍ତୁତି ଜୋର ଦାର ଚାଲିଛି ।  ଧାନ ଉତ୍ପାଦନରେ ଓଡ଼ିଶା ବଳକା ରାଜ୍ୟରେ ପରିଣତ ହୋଇପାରିଛି। ସରକାର କୃଷି, କୃଷକଙ୍କ ବିକାଶଠାରୁ ଆରମ୍ଭ କରି ମହିଳା ଶସକ୍ତୀକରଣ, ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗଙ୍କ ବିକାଶ ଦିଗରେ ନିରନ୍ତର କାର୍ଯ୍ୟ କରିଆସୁଛି। କୃଷକଙ୍କ ଆୟ ବହୁ ଗୁଣିତ କରିବା ଲକ୍ଷ୍ୟରେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଓଡ଼ିଶାକୁ କ୍ଷୁଧାମୁକ୍ତ କରିବାକୁ ରାଜ୍ୟ ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା କରି ଗରିବଙ୍କ ପ୍ରତି ଥିବା ପ୍ରତିବଦ୍ଧତାକୁ ପ୍ରମାଣିତ କରିଛନ୍ତି। ସ୍ବାସ୍ଥ୍ୟ, ଶିକ୍ଷା, ଜଳସେଚନ, ଗରିବଙ୍କୁ ପକ୍କାଘର, ସାମାଜିକ ନିରାପତ୍ତା, ଭିତ୍ତିଭୂମି ଆଦି କ୍ଷେତ୍ରରେ ରାଜ୍ୟ ଅନେକ ପ୍ରଗତି ହାସଲ କରିଛି।
ସରକାର ଗୋଟିଏ ପରେ ଗୋଟିଏ ସଙ୍କଟର ମୁକାବିଲା କରିଚାଲିଛନ୍ତି। କୋଭିଡ୍‌ ସତ୍ତ୍ୱେ ଲୋକଙ୍କୁ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ଭୁଲିନାହାନ୍ତି। ବିଜେଡି ଶାସନ ୫ମ ପାଳିର ୫-ଟି ମୁଖ୍ୟ ଫୋକସ୍‌ ହୋଇଛିି। ପ୍ରତ୍ୟେକ ବିଭାଗ ସେମାନଙ୍କ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ପଦକ୍ଷେପ ନେଇଛନ୍ତି। ଏହି ଲକ୍ଷ୍ୟ ପୂରଣ ଦିଗରେ ନିରନ୍ତର କାମ କରିଚାଲିଛନ୍ତି। ଲୋକଙ୍କ ସହିତ ସିଧାସଳଖ ସମ୍ପର୍କ ରଖିବା ପାଇଁ ମୋ ସରକାର ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ସମୟକ୍ରମେ ପ୍ରତ୍ୟେକ ସ୍ତରରେ ଲୋକଙ୍କ ପ୍ରତି ସରକାରୀ କର୍ମଚାରୀମାନଙ୍କର ମନୋଭାବ ଏବଂ ବ୍ୟବହାରରେ ପରିବର୍ତ୍ତନ ଆଣିବାରେ ଏହା ସଫଳ ହୋଇଛି। ପ୍ରଶାସନ ଏବଂ ସରକାରୀ ସେବା ବ୍ୟବସ୍ଥାକୁ ଅଧିକ ଲୋକାଭିମୁଖୀ କରି ସରକାରୀ ବ୍ୟବସ୍ଥାରେ ଢାଞ୍ଚାଗତ ଓ ପ୍ରକ୍ରିୟାଗତ ପରିବର୍ତ୍ତନ ଆଣିବା ପାଇଁ ପଦକ୍ଷେପ ନିଆଯାଇଛି। ସ୍ବାସ୍ଥ୍ୟ ଓ ଶିକ୍ଷାର ବିକାଶ ଉପରେ ସବୁବେଳେ ସ୍ବତନ୍ତ୍ର ଗୁରୁତ୍ୱ ଦିଆଯାଇଛି। ଓଡ଼ିଶା ପୁଞ୍ଜି ବିନିଯୋଗର ଆକର୍ଷଣୀୟ କେନ୍ଦ୍ର ହୋଇ ରହିଛି। କୋଭିଡ୍‌ ମହାମାରୀ ପରିସ୍ଥିତି ସତ୍ତ୍ବେ ଦେଶର କେତେକ ବଡ଼ ବଡ଼ ପୁଞ୍ଜିନିବେଶକୁ ଆକର୍ଷିତ କରିବାରେ ଓଡ଼ିଶା ସଫଳ ହୋଇପାରିଛି। କୃଷି ଓ କୃଷକର ଉନ୍ନତି ହେଉଛି ରାଜ୍ୟ ବିକାଶର ଆଧାରଶିଳା। ଗତ ଏକ ବର୍ଷ ମଧ୍ୟରେ କାଳିଆ ଯୋଜନାରେ ରାଜ୍ୟର ଚାଷୀମାନଙ୍କ ବ୍ୟାଙ୍କ ଖାତାରେ ୬୧୧୮ କୋଟିରୁ ଅଧିକ ଟଙ୍କା ଜମା କରି ଆମେ ଆମର ପ୍ରତିଶ୍ରୁତି ରକ୍ଷା କରିପାରିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଭିନ୍ନ ଜଳସେଚନ ପ୍ରକଳ୍ପକୁ ଠିକ୍‌ ସମୟରେ ଶେଷ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଚଳିତବର୍ଷ ଅପର ଇନ୍ଦ୍ରାବତୀ ଉଠାଜଳସେଚନ ପ୍ରକଳ୍ପ ଓ ଲୋୟର ଇନ୍ଦ୍ରାବତୀ ପ୍ରକଳ୍ପ ଚାଷୀଙ୍କ ସେବାରେ ଉତ୍ସର୍ଗ କରାଯାଇଛି। ମହିଳା ସଶକ୍ତୀକରଣକୁ ଦୃଷ୍ଟିରେ ରଖି ମିଶନ ଶକ୍ତି କାର୍ଯ୍ୟକ୍ରମକୁ ମଜଭୁତ କରାଯାଇଛି।

Leave A Reply

Your email address will not be published.