Jai Odisha
News

ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ କାନ୍ଥ ଭୁଶୁଡ଼ି ୫ ମୃତ୍ୟୁ

ନୂଆଦିଲ୍ଲୀ,୧୫/୦୭: ଦିଲ୍ଲୀରେ ଏକ ନିର୍ମାଣାଧୀନ ଗୋଦାମ ଘରର କାନ୍ଥ ଭୁଶୁଡ଼ି ବହୁଲୋକ ମୃତାହତ ହୋଇଛନ୍ତି । ଆଲିପୁରରେ ଏକ ନିର୍ମାଣାଧୀନ କାନ୍ଥ ଭୁଶୁଡ଼ିବା କାରଣରୁ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେହିପରି ଏହି ଦୁର୍ଘଟଣାରେ ଏବେ ବି ୯ ଜଣ ଶ୍ରମିକ ଫସିରହିଥିବାରୁ ସେମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରାଯାଉଛି |ଗୋଦାମର କାନ୍ଥ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଦିଲ୍ଲୀ ଫାୟାର ବ୍ରିଗେଡ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କାନ୍ଥ ଭୁଶୁଡ଼ିବା ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨-୧୫ ଜଣ ଆହତ ହୋଇଛନ୍ତି । ୫ ହଜାର ଗଜ ଏରିଆ ବିଶିଷ୍ଟ ଏକ ପ୍ଲଟରେ ଉକ୍ତ ଗୋଦାମ କାର୍ଯ୍ୟ ଚାଲିଥିବା ବେଳେ ହଠାତ୍ ଏକ କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଏହି ଦୁର୍ଘଟଣା ପରେ ୧୪ ଜଣ ଆହତଙ୍କୁ ରାଜା ହରିଶ୍ଚର୍ଯ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୨ ଜଣ ଗମ୍ଭୀର ଅବସ୍ଥାରେ ରହିଥିବା ବେଳେ ୭ ଜଣଙ୍କ ଠାରେ ସାମାନ୍ୟ ଆଘାତ ଲାଗିଥିବା କୁହାଯାଉଛି । ଉଦ୍ଧାର କାର୍ଯ୍ୟ ଏବେ ଜାରି ରହିଥିବା ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଘଟଣାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି ଗଭୀର ସମବେଦନା ଜଣାଇଛନ୍ତି । ଅଲୀପୁରର ଦୁଃଖଦ ଦୁର୍ଘଟଣାରେ ମୃତକଙ୍କ ଆତ୍ମାର ଶାନ୍ତି ପାଇଁ ସେ ଈଶ୍ୱରରେ ନିକଟରେ ପ୍ରାର୍ଥନା କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଅଲୀପୁର ଦୁର୍ଘଟଣାର ପୀଡ଼ିତଙ୍କ ପାଇଁ ଦୁଃଖପ୍ରକାଶ କରିଛନ୍ତି । ଘଟଣାସ୍ଥଳରେ ବର୍ତ୍ତମାନ ଦୁଇଟି ଜେସିବିକୁ ନିୟୋଜିତ କରାଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.