Jai Odisha
News

ପୁରୀଠାରେ ବିଜେପିର ତିନି ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ

ପୁରୀ,୧୪/୯ : ବିଜେପିର ତିନିଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର   ପୁରୀଠାରେ ଆରମ୍ଭ ହୋଇଛି। ଆଜି ବିଜେପି ପ୍ରାଦେଶିକ ପ୍ରଶିକ୍ଷଣ ଶିବିରର ଦ୍ବିତୀୟ ଦିନ । ଆଜି ଶିବିରରେ ବିଜେପି ରାଷ୍ଟ୍ରୀୟ ସଂଗଠକ ଭି. ସତୀଶ, ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ପି. ମୁରଲୀଧର ରାଓ, ରାଜ୍ୟ ସଭାପତି ସମୀର ମହାନ୍ତି, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ଉତ୍ତର ପ୍ରଦେଶର ବରିଷ୍ଠ ନେତା ତଥା ସାଂସଦ ମହେଶ ଶର୍ମା, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ପ୍ରମୁଖ ଯୋଗଦେବେ ବୋଲି ଦଳ ପକ୍ଷରୁ ସୂଚନା ମିଲିଛି ।  ଏହି ପ୍ରଶିକ୍ଷଣ ଶିବରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ୍‌ ବିଜେଡିକୁ ଟାର୍ଗେଟ୍‌ କରିଥିବା ବେଳେ ଦଳର ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ କଂଗ୍ରେସ ଦଳକୁ କଡ଼ା ସମାଲୋଚନା କରିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ କହିଛନ୍ତି ଯେ ୧୯୯୭-୯୮ରେ ବିଜେଡି ବୁଡ଼ି ଯାଉଥିବାବେଳେ ଆମେ ହାତ ମିଶାଇ ତାକୁ ସରକାରକୁ ଆଣିଥିଲୁ। କିନ୍ତୁ ବିଜେଡି ଆମକୁ ଧୋକା ଦେଲା। ଏବେ ତାର ବଦ୍‌ଲା ନେବାର ସମୟ ଆସିଛି। ୨୦୨୪ ନିର୍ବାଚନରେ ଏହାର ଦୃଢ଼ ଜବାବ ଦେବୁ। ଏବେ କେନ୍ଦ୍ରରେ ବିଜେପି ସରକାର ଦୃଢ଼ତାର ସହ କାମ କରୁଛି। ଓଡ଼ିଶାରେ ବି ବିଜେପି ତାର ଶକ୍ତି ଦେଖାଇବ। ବିଜେଡିକୁ ପୁରୀ ବେଳାଭୂମିରେ ପୋତି ଦିଆଯିବ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ କହିଛନ୍ତି।  ବଳିଆପଣ୍ଡାସ୍ଥିତ ହୋଟେଲ ବ୍ଲୁ ଲିଲିଠାରେ ଆୟୋଜିତ ଏହି ଶିବିରକୁ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଉଦ୍‌ଘାଟନ କରିଥିଲେ। ପ୍ରଶିକ୍ଷଣର ପ୍ରଥମ ଦିବସରେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ସହପ୍ରଭାରୀ ବିଜୟ ପାଲସିଂହ ତୋମାର, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ(ସଂଗଠନ) ମାନସ କୁମାର ମହାନ୍ତି, ପ୍ରଶିକ୍ଷଣ ଶିବିର ରାଜ୍ୟ ସଂଯୋଜିକା ସୁରମା ପାଢ଼ୀ, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ରାଜ୍ୟର ସମସ୍ତ ସାଂସଦ, ବିଧାୟକ, ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତିମାନେ ଯୋଗ ଦେଇଥିଲେ। ପ୍ରଶିକ୍ଷଣ ସଂପର୍କରେ ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ମହାପାତ୍ର କହିଛନ୍ତି, ୨୦୨୪ ନିର୍ବାଚନ ପାଇଁ ରଣନୀତି ସଂପର୍କରେ ତିନିଦିନ ଧରି ଆଲୋଚନା ହେବ। କେନ୍ଦ୍ର ସରକାରଙ୍କ ଯୋଜନା ଗରିବଲୋକଙ୍କ ନିକଟରେ ପହଞ୍ଚୁଛି କି ନାହିଁ ଏବଂ ଏଥିରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କର କି’ ଭୂମିକା ରହିବ, ସେ ନେଇ ଆଲୋଚନ ହେବ। ଏଥିସହିତ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଆଗାମୀ ୨୦୨୦୨୪ ନିର୍ବାଚନରେ ବିଜେପି କ୍ଷମତାକୁ ଆସିବ ବୋଲି ଦଳର ଦୃଢ଼ ବିଶ୍ବାସ ଥିବା ଶ୍ରୀ ମହାପାତ୍ର କହିଛନ୍ତି।

Leave A Reply

Your email address will not be published.