Jai Odisha
News

ପୁରୀରେ ବନ୍ୟାଞ୍ଚଳ ବୁଲି ସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ

ପୁରୀ,୧୯/୮ :ପୁରୀରେ ବନ୍ୟାଞ୍ଚଳ ବୁଲି ସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ   ପ୍ରମିଳା ମଲ୍ଲିକ  । ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ପରେ ସର୍କିଟ ହାଉସରେ ସ୍ଥିତିର ସମୀକ୍ଷା କରିଥିଲେ। ପୁରୀ ଜିଲ୍ଲାରେ ଦୟା, ଭାର୍ଗବୀ, କୁଶଭଦ୍ରା, ରତ୍ନଚିରା, ଲୁଣା ଓ ମକରା ଆଦି ନଦୀ ଓ ତାର ଶାଖାନଦୀ ଦେଇ ବନ୍ୟା ଜଳ ସମୁଦ୍ରକୁ ନିଷ୍କାସିତ ହେଉଥିବାରୁ ପୁରୀ ଜିଲ୍ଲାରେ ବନ୍ୟା ବିଭୀଷିକା ଦେଖାଦେଇଛି । ଫଳରେ ଜିଲ୍ଲାର ଅସ୍ତରଙ୍ଗ, ଗୋପ, ଡେଲାଙ୍ଗ, କଣାସ, ନିମାପଡ଼ା, ପିପିଲି, ପୁରୀ ସଦର ଆଦି ୭ଟି ବ୍ଲକ ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି ।ବନ୍ୟାରେ ମୋଟ ୫୫ଟି ପଞ୍ଚାୟତର ୨୦୧ଟି ଗ୍ରାମ ବନ୍ୟା ପାଣିରେ ବୁଡ଼ି ରହିଛି । ମୋଟ ପ୍ରାୟ ୧,୪୩,୪୨୯ ଲୋକ ପ୍ରଭାବିତ ହେବା ସହ ଘର ଛାତ କିମ୍ବା ନଦୀବନ୍ଧ ଉପରେ ଆଶ୍ରୟ ନେଇଛନ୍ତି । ଗାଁ ଗୁଡ଼ିକୁ ସଂଯୋଗ କରୁଥିବା ରାସ୍ତା ଉପରେ ପାଣି ଚାଲୁଥିବା ଯୋଗୁଁ ଏ ସବୁ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି । ଗତ ୧୭ ତାରିଖ ଦିନ ମୋଟ ୧୨,୩୧ ୯ଜଣଙ୍କୁ ୧୬୧ଟି ସେଣ୍ଟରକୁ ସ୍ଥାନାନ୍ତରିତ କରାଯାଇଥିବାବେଳେ ଗୁରୁବାର ୧୦,୩୬୦ ଜଣଙ୍କୁ ୭ଟି ସେଣ୍ଟରକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ମୋଟ ୨୨,୬୭୯ ଜଣଙ୍କୁ ସ୍ଥାନାନ୍ତର କରାଯାଇ ୧୬୮ଟି ସେଣ୍ଟରରେ ସୁରକ୍ଷିତ ଭାବେ ରଖାଯାଇଛି । ପ୍ରଥମେ ୨୮ଟି ଓ ପରେ ଆଉ ୧୯ଟି କେନ୍ଦ୍ରରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବାବେଳେ ଅଧିକ ୭ଟି କେନ୍ଦ୍ର ମଞ୍ଜୁର କରାଯାଇଛି ।ରିଲିଫ କେନ୍ଦ୍ର ଖୋଲାଯାଇ ରିଲିଫ ବଣ୍ଟନ କରାଯାଉଛି । ୧୮୦ କୁଇଣ୍ଟାଲ ଚାଉଳ, ୬୭୫କେଜି ଚୁଡ଼ା, ୮୭ କେଜି ଚିନି ଓ ଗୁଡ, ୨୫ହଜାର ପାଣି ବୋତଲ ସହ ୮ହଜାର ପାଣି ପାଉଚ ଆଦି ରିଲିଫ ବଣ୍ଟନ କରାଯାଇଛି । ବନ୍ୟାଞ୍ଚଳରେ ୪୬ହଜାରରୁ ଉର୍ଦ୍ଧ୍ବ ପାଣି ବୋତଲ ବଣ୍ଟନ କରାଯାଇଥିବାବେଳେ ୧୨୨୦ ପଲିଥିନ ରିଲିଫ ବାବଦରେ ବଣ୍ଟନ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.