Jai Odisha
News

ପୁରୀ ଗୁଳିକାଣ୍ଡ : ୭ ଆନ୍ତଃରାଜ୍ୟ ଚୋରା ବନ୍ଧୁକ ବେପାରୀ ଗିରଫ

ପୁରୀ, ୨୮।୫ :ପୁରୀ ଗୁଳିକାଣ୍ଡ ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା । ପୁରୀ ଗୁଳିକାଣ୍ଡ ମାମଲାକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ପୁରୀ ଏସପି । ସେ କହିଛନ୍ତି ଯେ, ‘ପୁରୀ ସହରର ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ କରିଛି । ଚଢ଼ାଉ ସମୟରେ ୪ଟି ବନ୍ଧୁକ ଜବତ କରିଛି ପୋଲିସ । ବନ୍ଧୁକ ରଖିବା ଅଭିଯୋଗରେ ୭ ଜଣଙ୍କୁ ଗିରଫ କରାଯାଇଛି । ବିଭିନ୍ନ ସ୍ଥାନରେ ଏବେ ବି ଚଢ଼ାଉ ଚାଲିଛି । ସେମାନଙ୍କ ଠାରୁ ୪ ଟି ବନ୍ଧୁକ, ୪ ଟି ଗୁଳି, ୨ ଟି ମୋବାଇଲ ଓ ୨୫୦୦ ଟଙ୍କା ଜବତ  ହୋଇଛି। ସଦର, ଟାଉନ ଓ ବଳିଆପଣ୍ଡା ଥାନା ଅଞ୍ଚଳରୁ ଏହି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ଏହି ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ସଦର ଥାନା ଅଞ୍ଚଳ ରେଣ୍ଡାଗଡର ଋଷିଆ ଓରଫ ରତିକାନ୍ତ ପରିଡ଼ାଙ୍କ ନାମରେ ୭ଟି ମାମଲା ରହିଛି। ସେହିପରି ଅନ୍ୟ ଅଭିଯୁକ୍ତମାନେ ହେଲେ ଶିରୁଳି ମହାବୀର ଅଞ୍ଚଳର ବିକି ଓରଫ ବିକ୍ରମ ପଣ୍ଡା, ନୟାଗଡ଼ ଖଣ୍ଡପଡ଼ାର ଅଶୋକ ସାହୁ, ୫ ଟି ମାମଲାରେ ସଂପୃକ୍ତ ଥିବା ନୂଆପାଟଣାର ଗୁଡୁ ଓରଫ ରୁଦ୍ରପ୍ରସାଦ ରାଉତ, ହାଡଗୋଡ଼ିଆ ସାହିର ରକି ଓରଫ  ହରିଶ୍ଚନ୍ଦ୍ର ପୃଷ୍ଟି, ୬ ଟି ମାମଲାରେ ସଂପୃକ୍ତ ଥିବା ଖାକିମଠ ନୂଆ ସାହିର ଲୋକନାଥ ଦାଶ ଓ ବଉଳମଠ ଲେନର ରଞ୍ଜିତ କୁମାର ମହାନ୍ତି। ଏହି ୭ ଜଣଙ୍କ ମଧ୍ୟରୁ ୨ ଜଣ ଚୋରା ବନ୍ଧୁକ ଯୋଗାଇବାରେ ସଂପୃକ୍ତ ଥିଲେ। ଚଳିତ ବର୍ଷର ବର୍ତ୍ତମାନ ସୁଦ୍ଧା ୧୬ ଟି ବନ୍ଧୁକ ଜବତ ହୋଇଥିବା ଏସପି କେ.ବିଶାଲ ସିଂହ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.