Jai Odisha
News

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ପାସ ହାର ୯୬.୪%

କଟକ,୧୮/୫:ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଫଳ ଘୋଷଣା କରିଛନ୍ତି। ଏଥର ପାସ୍ ହାର ୯୬.୪% ରହିଛି।  ମଧ୍ୟାହ୍ନ ୧୨ଟା ସୁଦ୍ଧା ବୋର୍ଡ ୱେବ୍ ସାଇଟରେ ରେଜଲ୍ଟ ଉପଲବ୍ଧ ହେବ। ପରୀକ୍ଷାର୍ଥୀମାନେ www. bseodisha.ac.in ରେ ନିଜ ରେଜଲ୍ଟ ପାଇପାରିବେ। ଏହାବାଦ SMS ମାଧ୍ୟମରେ ବି ପରୀକ୍ଷାର୍ଥୀମାନେ ଫଳାଫଳ ଜାଣିପାରିବେ। OR10 ଲେଖି ସ୍ପେଶ ଦେବାପରେ ନିଜ ରୋଲ୍ ନମ୍ବରକୁ ଟାଇପ କରି 5676750 ନମ୍ବରକୁ ପଠାଇ ସେମାନେ ରେଜଲ୍ଟ ଜାଣିପାରିବେ। ଚଳିତ ବର୍ଷ ମୋଟ ୫ ଲକ୍ଷ ୨୭ ହଜାର ୩୭୪ ଜଣ ପରୀକ୍ଷା ଦେବାକୁ ଫର୍ମପୂରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୧୬ ହଜାର ୪୩୫ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩୮୬ ଜଣଙ୍କୁ ଏମ୍‌ପି କରାଯାଇଥିବା ବେଳେ ୫ ଲକ୍ଷ ୮ ହଜାର ୪୦୪ ଜଣ ପାସ୍ କରିଛନ୍ତି। ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୧୫୮ ଜଣ A1 ଗ୍ରେଡରେ ପାସ୍ କରିଥିବା ବେଳେ ୨୯ ହଜାର ୮୩୮ ଜଣ A2, ୭୭ ହଜାର ୫୬୭ ଜଣ B1, ୧ଲକ୍ଷ ୧୮ ହଜାର ୭୫୦ ଜଣ B2, ୧ ଲକ୍ଷ ୨୧ ହଜାର ୬୧୧ ଜଣ C, ୯୫ ହଜାର ୬ ଜଣ D, ୬୧ ହଜାର ୪୭୪ ଜଣ E ଓ ୭୬୪୫ ଜଣ F ଗ୍ରେଡରେ ପାସ୍ କରିଛନ୍ତି। ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି। ମୋଟ ୫ ଲକ୍ଷ ୧୬ ହଜାର ୪୩୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨ଲକ୍ଷ ୫୭ ହଜାର ୧୦୬ ଜଣ ଛାତ୍ରୀ ପାସ୍ କରିଥିବା ବେଳେ ୨ ଲକ୍ଷ ୫୧ ହଜାର ୨୯୮ ଜଣ ଛାତ୍ର ପାସ୍ କରିଛନ୍ତି। ପରୀକ୍ଷା ଫଳକୁ ନେଇ ଯଦି ପରୀକ୍ଷାର୍ଥୀଙ୍କର କିଛି ଆପତ୍ତି ଅଭିଯୋଗ ଥାଏ ତେବେ ଗୋଟିଏ ମାସ ମଧ୍ୟରେ ଛାତ୍ରଛାତ୍ରୀମାନେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଜଣାଇପାରିବେ। ସେଥିପାଇଁ ବୋର୍ଡ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍ ନମ୍ବର ୦୬୭୧-୨୪୧୫୪୬୦ ଜାରି କରାଯାଇଛି।

Leave A Reply

Your email address will not be published.