Jai Odisha
News

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ; ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ

ଭୁବନେଶ୍ୱର,୨୪ା୭: ପଶ୍ଚିମ–କେନ୍ଦ୍ରୀୟ ତତ୍‍ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳର ବାୟୁମଣ୍ଡଳରେ ସମୁଦ୍ର ପତନଠାରୁ ପାଖାପାଖି ୬ କିଲୋମିଟର ଉର୍ଦ୍ଧରେ ଗୋଟେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ତରଫରୁ ସୂଚନା ମିଳିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ଅଞ୍ଚଳରେ ଗୋଟେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି ।ଆସନ୍ତା ୨୬ରେ ଅବପାତ ରୂପ ନେଇ ପାରେ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ୨୫ରୁ ୨୭ ଯାଏଁ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ। ଏଥିପାଇଁ ରାଜ୍ୟର ୧୦ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।ଆସନ୍ତାକାଲିଠାରୁ ଏହାର ପ୍ରଭାବରେ ବର୍ଷାର ପରିମାଣ ବଢ଼ିବ ।ସେହିଭଳି ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ୨୫ ରୁ ୨୭ ତାରିଖ ଯାଏଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏହି ସମୟ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା କାରଣରୁ ଲୋକଙ୍କୁ ସତର୍କ ରହିବାକୁ ସୂଚନା ଜାରି କରିଛି ପାଣିପାଗ ବିଭାଗ।ସାମୟିକ ଭାବେ ତଳୁଆ ଅଞ୍ଚଳରେ ପାଣି ଜମିବା, ତୀବ୍ର ବୃଷ୍ଟିପାତ ସମୟରେ ରାସ୍ତାରେ ଦୃଶ୍ୟମାନ ଦୂରତା କମିବା, ଯାତାୟତ ବାଧା ପ୍ରାପ୍ତ ହେବା, ସହରାଞ୍ଚଳରେ ଟ୍ରାଫିକ ଜନିତ ସମସ୍ୟା ଉପୁଜିବା ଆଶଙ୍କା କରାଯାଇଛି।ସେହିଭଳି ମୂଷଳ ଧାରାରେ ବର୍ଷା ପ୍ରଭାବରେ ମାଟିକାନ୍ଥ ପଡ଼ିବା, ଉଭୟ କଚ୍ଚା ଘର ଏବଂ କଚ୍ଚା ରାସ୍ତା ପ୍ରଭାବିତ ହେବା, ଚାଷ ଜମି ପାଣିରେ ଜମିବା ଏବଂ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ଥିବାରୁ ଏଥିପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ସେହିଭଳି ସମୁଦ୍ର ଅଶାନ୍ତ ରହିବା କାରଣରୁ ୨୫ ରୁ ୨୭ ତାରିଖ ଯାଏଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି

Leave A Reply

Your email address will not be published.